ଯୁକ୍ତ୨ ଛାତ୍ରୀ ନିଖୋଜ ଘଟଣାକୁ ନେଇ ଅପହରଣ ଅଭିଯୋଗ, ଥାନାରେ ମାମଲା ରୁଜୁ

ହାଟଡ଼ିହି, (ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଅନ୍ତର୍ଗତ ନନ୍ଦିପଦା ଥାନା ଅଞ୍ଚଳରୁ ଜଣେ ଯୁକ୍ତ୨ ଛାତ୍ରୀ ନିଖୋଜ ହୋଇଥିବା ଘଟଣାକୁ ନେଇ ଅପହରଣ ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ଗତ ୭ ତାରିଖ ଦିନ ଛାତ୍ରୀଙ୍କ ପରିବାରର ସଦସ୍ୟମାନେ ଜଣେ ସମ୍ପର୍କୀୟ ରୋଗୀଙ୍କୁ ଦେଖିବା ପାଇଁ ଡାକ୍ତରଖାନା ଯାଇଥିଲେ। ଏହି ସମୟରେ ଛାତ୍ରୀ ଜଣକ ଘରେ ଏକୁଟିଆ ଥିଲେ। ପରିବାର ଲୋକେ ଡାକ୍ତରଖାନାରୁ ଘରକୁ ଫେରିବା ପରେ ଝିଅକୁ ଘରେ ନ ପାଇ ଚିନ୍ତିତ ହୋଇପଡ଼ିଥିଲେ। ଏହାପରେ ପରିବାର ଲୋକେ ଆଖପାଖ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ବନ୍ଧୁବାନ୍ଧବ ଓ ପରିଚିତଙ୍କ ନିକଟରେ ମଧ୍ୟ ଖବର ନେଇଥିଲେ। ତେବେ ଛାତ୍ରୀଙ୍କ କୌଣସି ସନ୍ଧାନ ମିଳି ନଥିଲା।  ଭଦ୍ରକ ଜିଲ୍ଲା ଜଅନ୍ତା ଗ୍ରାମର ରତନା ମଲ୍ଲିକଙ୍କ ପୁଅ ଆକାଶ ମଲ୍ଲିକ ତାଙ୍କ ଝିଅକୁ ନେଇଯାଇଥିବା ସୂଚନା ମିଳିବା ପରେ  ପରିବାର ଲୋକେ ସୋମବାର ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ ନନ୍ଦିପଦା ପୋଲିସ କେସ୍ ନମ୍ବର ୩୯୯/୨୦୨୬ରେ ମାମଲା ରୁଜୁ କରିଛି। ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ତେବେ ଛାତ୍ରୀଙ୍କ ନିଖୋଜ ହେବା ପଛରେ ପ୍ରକୃତ କାରଣ କ’ଣ ଏବଂ ତାଙ୍କର ବର୍ତ୍ତମାନ ସ୍ଥିତି କ’ଣ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ