ସରପଞ୍ଚ ଚାମେଲି ଓଝାଙ୍କ ପରିବାର ଓ ପ୍ରତିପକ୍ଷ ମଧ୍ୟରେ ମାରପିଟ୍, ଥାନାରେ ଦୁଇଟି ମାମଲା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗ୍ରାମରେ ରବିବାର ଅପରାହ୍ନରେ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ତୀବ୍ର ରକ୍ତାକ୍ତ ସଂଘର୍ଷ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଗୋଷ୍ଠୀ ମାରପିଟ୍ ଘଟଣାରେ ପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କ ପରିବାରବର୍ଗ ଏବଂ ଗ୍ରାମର ଅନ୍ୟ ଏକ ପକ୍ଷ ମଧ୍ୟରେ ହିଂସାତ୍ମକ ଆକ୍ରମଣ ଓ ପ୍ରତିଆକ୍ରମଣ ଘଟି ଉଭୟ ପକ୍ଷରୁ ଏକାଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଘଟଣାକୁ କେନ୍ଦ୍ର କରି ଉଭୟ ପକ୍ଷ ପରସ୍ପର ବିରୋଧରେ ସଙ୍ଗିନ ଅଭିଯୋଗ ଆଣି ମାର୍ଶାଘାଇ ଥାନାରେ ପୃଥକ୍ ଏତଲା ଦାୟର କରିଛନ୍ତି। ସରପଞ୍ଚ ଚାମେଲି ଓଝା ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ରବିବାର ଅପରାହ୍ନ ସମୟରେ ତାଙ୍କ ସାନଭାଇ ସ୍ମୃତିକାନ୍ତ ଘର ନିକଟରେ ଛିଡ଼ା ହୋଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ଆଶିଷ ସେଠୀ ନାମକ ଜଣେ ଯୁବକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାର ପ୍ରତିବାଦ କରିବାରୁ ଆଶିଷ ତାଙ୍କୁ ଆକ୍ରମଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଭାଇ ନିକଟସ୍ଥ ଏକ ଦୋକାନକୁ ଯାଇଥିବା ବେଳେ ଆଶିଷ ଓ ଦେବାଶିଷ ସେଠୀ ମିଳିତ ଭାବେ ତାଙ୍କ ଉପରେ ପୁନର୍ବାର ଆକ୍ରମଣ କରିଥିଲେ। ଏହି ଖବର ପାଇ ଚାମେଲିଙ୍କ ପରିବାର ସଦସ୍ୟ ସେଠାରେ ପହଞ୍ଚିବା ପରେ ସେମାନଙ୍କ ଉପରକୁ ମଧ୍ୟ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ଯୋଗୁଁ ଚାମେଲିଙ୍କ ବାପା ନିରଞ୍ଜନଙ୍କ ମୁହଁ ଓ ଆଖିରେ ଗଭୀର ଆଘାତ ଲାଗିଥିବା ବେଳେ ଭାଇ ସୂର୍ଯ୍ୟକାନ୍ତଙ୍କ ମୁଣ୍ଡ ଫାଟି ରକ୍ତାକ୍ତ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନେ ଚିକିତ୍ସାଧିନ ଅଛନ୍ତି। ଅପରପକ୍ଷରେ ଦେବାଶିଷ ସେଠୀ ମଧ୍ୟ ମାର୍ଶାଘାଇ ଥାନାରେ ସରପଞ୍ଚଙ୍କ ପରିବାର ବିରୋଧରେ ପାଲଟା ଏତଲା ଦାୟର କରି ଏକ ଭିନ୍ନ ଅଭିଯୋଗ ଆଣିଛନ୍ତି। ଦେବାଶିଷଙ୍କ ଅଭିଯୋଗ ମୁତାବକ ତାଙ୍କର ଏକ ଡ୍ରିଲ୍ ମେସିନ୍ ଚୋରି ହୋଇଯାଇଥିଲା ଏବଂ ଚାମେଲିଙ୍କ ଭାଇ ଏହାକୁ ଚୋରି କରି ନେଇଥିବା ସନ୍ଦେହରେ ସେ ପଚରାଉଚୁରା କରିଥିଲେ। ଏହାକୁ ନେଇ ବିବାଦ ଉପୁଜିବାରୁ ଚାମେଲିଙ୍କ ଭାଇ ସୂର୍ଯ୍ୟକାନ୍ତ, ବାପା ନିରଞ୍ଜନ, ସ୍ମୃତିରଞ୍ଜନ ଏବଂ ଅନ୍ୟ ଜଣେ ଯୁବକ ଗଜେନ୍ଦ୍ର ମିଶି ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଲୁହା ରଡ୍ରେ ପ୍ରହାର କରାଯିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଛି ଏବଂ ସେ ଗୁରୁତର ଆହତ ହୋଇଥିବା ନେଇ ଦେବାଶିଷ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ମାର୍ଶାଘାଇ ଥାନାଧିକାରୀ ତପନ ନାୟକ ସୂଚନା ଦେଇ କହିଛନ୍ତି ଯେ ଉଭୟ ପକ୍ଷଙ୍କ ପକ୍ଷରୁ ପୃଥକ୍ ଏତଲା ଗ୍ରହଣ କରାଯାଇ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ନିରପେକ୍ଷ ତଦନ୍ତ ଆରମ୍ଭ କରିଛି ଏବଂ ତଦନ୍ତ ପରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କ ବିରୋଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।


