ନରାଜ ଡାଟା ସେଣ୍ଟରକୁ ଏସ୍‌ୟୁସିଆଇର ବିରୋଧ

କଟକ, (ଓ୍ବାଇଏନଏସ): କଟକ ଜିଲ୍ଲାର ନରାଜଠାରେ ଆଦାନୀ ଗ୍ରୁପ୍ ପକ୍ଷରୁ ପ୍ରସ୍ତାବିତ ବୃହତ୍‌ ଡାଟା ସେଣ୍ଟର ପ୍ରକଳ୍ପକୁ ନେଇ ବିରୋଧର ସ୍ୱର ତୀବ୍ର ହୋଇଛି। ପ୍ରକଳ୍ପ ପ୍ରତିଷ୍ଠା ହେଲେ ଅଞ୍ଚଳରେ ଜଳସଙ୍କଟ ଉତ୍କଟ ହେବା ସହ ପରିବେଶୀୟ ସନ୍ତୁଳନ ଓ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ କରିଛି ଏସ୍‌ୟୁସିଆଇ (କମ୍ୟୁନିଷ୍ଟ)ର କଟକ ଜିଲ୍ଲା କମିଟି। ଜନସ୍ୱାର୍ଥକୁ ଅଣଦେଖା କରି କର୍ପୋରେଟ୍ ସଂସ୍ଥାର ଲାଭ ପାଇଁ ଏଭଳି ପ୍ରକଳ୍ପକୁ ଆଗକୁ ବଢ଼ାଯାଉଥିବା ଅଭିଯୋଗ କରି ଏହାକୁ ତୁରନ୍ତ ବାତିଲ କରିବାକୁ ଦଳ ଦାବି କରିଛି। ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତାମାନେ ପ୍ରକଳ୍ପର ବିଭିନ୍ନ ଦିଗ ଉପରେ ଉଦ୍‌ବେଗ ପ୍ରକାଶ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ, ପ୍ରାୟ ୧.୦୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶରେ ୨୫୦ ଏକର ଜମି ଉପରେ ଏକ ଗିଗାୱାଟ୍ କ୍ଷମତାସମ୍ପନ୍ନ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଗତ ସେପ୍ଟେମ୍ବର ମାସରେ ଆଦାନୀ ଗ୍ରୁପ୍‌କୁ ଅନୁମତି ଦେଇଛନ୍ତି। ତେବେ ଏତେ ବୃହତ୍‌ ପ୍ରକଳ୍ପର ଦୀର୍ଘକାଳୀନ ପରିବେଶୀୟ ଓ ସାମାଜିକ ପ୍ରଭାବକୁ ନେଇ ଯଥେଷ୍ଟ ଚିନ୍ତା କରାଯାଇନାହିଁ ବୋଲି ଦଳ ଅଭିଯୋଗ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ ଡାଟା ସେଣ୍ଟର ପରିଚାଳନା ପାଇଁ ହଜାର ହଜାର ସର୍ଭର, ଷ୍ଟୋରେଜ୍ ସିଷ୍ଟମ୍‌, ନେଟୱର୍କିଂ ଉପକରଣ, ଶୀତଳୀକରଣ ବ୍ୟବସ୍ଥା ଓ ବ୍ୟାକ୍‌ଅପ୍‌ ଜେନେରେଟର ଆବଶ୍ୟକ ହୋଇଥାଏ। ଏହି ସମସ୍ତ ବ୍ୟବସ୍ଥା ଦିନରାତି ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହୁଥିବାରୁ ବିପୁଳ ପରିମାଣର ବିଦ୍ୟୁତ୍‌ ଶକ୍ତି ଖର୍ଚ୍ଚ ହୁଏ। ନରାଜରେ ପ୍ରସ୍ତାବିତ ଏକ ଗିଗାୱାଟ୍‌ କ୍ଷମତାର ପ୍ରକଳ୍ପ ପାଇଁ ଦୈନିକ ପ୍ରାୟ ୨.୪ କୋଟି ୟୁନିଟ୍‌ ବିଦ୍ୟୁତ୍‌ ଆବଶ୍ୟକ ହେବ ବୋଲି ଦଳ ଆକଳନ କରିଛି। ଏହା ରାଜ୍ୟର ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବା ସହ ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍‌ ସଙ୍କଟକୁ ଆହୁରି ଗମ୍ଭୀର କରିପାରେ ବୋଲି ଏସ୍‌ୟୁସିଆଇ ଆଶଙ୍କା ପ୍ରକାଶ କରିଛି। ଜଳ ବ୍ୟବହାରକୁ ନେଇ ମଧ୍ୟ ଦଳ ଗଭୀର ଉଦ୍‌ବେଗ ଜଣାଇଛି। ଡାଟା ସେଣ୍ଟରର ସର୍ଭରଗୁଡ଼ିକୁ ଅତ୍ୟଧିକ ଉତ୍ତାପରୁ ସୁରକ୍ଷିତ ରଖିବା ପାଇଁ ବ୍ୟାପକ ଶୀତଳୀକରଣ ବ୍ୟବସ୍ଥା ଆବଶ୍ୟକ ହୋଇଥାଏ। ଏଥିପାଇଁ ପ୍ରତିଦିନ ପ୍ରାୟ ୩୦ ନିୟୁତ ଲିଟର ଜଳ ଆବଶ୍ୟକ ହେବ ବୋଲି ଦଳ ଦାବି କରିଛି। ଏହି ଜଳ ମହାନଦୀ ଓ ନରାଜ ଆନିକଟରୁ ନିଆଯିବାର ଆଶଙ୍କା ଥିବାରୁ ନଦୀର ଜଳପ୍ରବାହ, ଭୂତଳ ଜଳସ୍ତର ଏବଂ ଚାଷବାସ ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ଦଳ କହିଛି। ମହାନଦୀ ଓଡ଼ିଶାର ଜୀବନରେଖା ହୋଇଥିବାରୁ ଏହାର ଜଳସମ୍ପଦ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହେଲେ ପାନୀୟ ଜଳ ଯୋଗାଣ, ଜଳସେଚନ, କୃଷି ଓ ମତ୍ସ୍ୟଚାଷ ଭଳି କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ରହିଛି।ପ୍ରକଳ୍ପରୁ ସ୍ଥାନୀୟ ଲୋକଙ୍କୁ ଆଶାନୁରୂପ ନିଯୁକ୍ତି ମିଳିବ ନାହିଁ ବୋଲି ମଧ୍ୟ ଏସ୍‌ୟୁସିଆଇ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। ଡାଟା ସେଣ୍ଟରରେ ଅଧିକାଂଶ କାର୍ଯ୍ୟ ଉଚ୍ଚକୁଶଳୀ ଇଞ୍ଜିନିୟର ଓ ବୈଷୟିକ ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୀମିତ ରହିବ ବୋଲି ଦଳ କହିଛି। ଏପରିକି ସୁରକ୍ଷା ବ୍ୟବସ୍ଥା ଅତ୍ୟାଧୁନିକ ହୋଇଥିବାରୁ ସାଧାରଣ ସୁରକ୍ଷା କର୍ମୀଙ୍କ ନିଯୁକ୍ତି ସୁଯୋଗ ମଧ୍ୟ କମ୍‌ ରହିବ ବୋଲି ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ, ଜମି ଅଧିଗ୍ରହଣ ଯୋଗୁଁ ଶତାଧିକ ପରିବାର ନିଜର ଭିଟାମାଟି ଓ ବହୁଫସଲି ଚାଷଜମି ହରାଇବାର ଆଶଙ୍କା ରହିଛି। ଏହାର ପ୍ରତିବଦଳରେ ସ୍ଥାନୀୟ ଅଞ୍ଚଳରେ ଆନୁଷଙ୍ଗିକ ଶିଳ୍ପ କିମ୍ବା ସହାୟକ ଶିଳ୍ପ ଗଢ଼ିଉଠିବାର ସମ୍ଭାବନା ମଧ୍ୟ କ୍ଷୀଣ ବୋଲି ଦଳ ମତ ଦେଇଛି। ଏହା ବ୍ୟତୀତ ଡାଟା ସେଣ୍ଟରରୁ ନିର୍ଗତ ତାପ ଅଞ୍ଚଳର ତାପମାତ୍ରା ବୃଦ୍ଧିରେ ସହାୟକ ହୋଇପାରେ ଏବଂ ଇଲେକ୍ଟ୍ରୋନିକ୍‌ ଆବର୍ଜନାର ଅନୁପଯୁକ୍ତ ପରିଚାଳନା ଦ୍ୱାରା ମୃତ୍ତିକା ଓ ପରିବେଶ ପ୍ରଦୂଷଣର ଆଶଙ୍କା ରହିଛି ବୋଲି ଦଳ ଚେତାବନୀ ଦେଇଛି। ଡାଟା ସେଣ୍ଟରକୁ ଏକ ପ୍ରକାର ଡିଜିଟାଲ୍‌ ଗୋଦାମ ଘର ଭାବେ ବର୍ଣ୍ଣନା କରି ଏହା ଦ୍ୱାରା ରାଜ୍ୟରେ ବ୍ୟାପକ ଆଇଟି ଶିଳ୍ପ ଗଢ଼ିଉଠିବ ବୋଲି ସରକାରଙ୍କ ପ୍ରଚାରକୁ ମଧ୍ୟ ଦଳ ପ୍ରଶ୍ନ କରିଛି। ସେହିପରି, ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ସରକାର ଜମି ଓ ଅନ୍ୟାନ୍ୟ ସୁବିଧା ଯୋଗାଇବା ସହ ରେଜିଷ୍ଟ୍ରେସନ୍‌ ଫି, ଷ୍ଟାମ୍ପ ଡ୍ୟୁଟି, ଜିଏସ୍‌ଟି ଓ ବିଦ୍ୟୁତ୍‌ ଶୁଳ୍କରେ ରିହାତି ଦେବାକୁ ଘୋଷଣା କରିଥିବା ଦଳ ଅଭିଯୋଗ କରିଛି। ଏପରିକି ଦୀର୍ଘ ସମୟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଓ ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବାର ବ୍ୟବସ୍ଥା କର୍ପୋରେଟ୍‌ ସଂସ୍ଥାଗୁଡ଼ିକୁ ଅଧିକ ଲାଭବାନ କରିବ ବୋଲି ଏହା କହିଛି। ଜନସାଧାରଣଙ୍କ ସମ୍ପଦ ଓ ସରକାରୀ ରାଜସ୍ୱକୁ ଏଭଳି ଭାବେ ବ୍ୟବହାର କରିବା ନେଇ ଦଳ ପ୍ରଶ୍ନ ଉଠାଇଛି। ଏହି ପରିପ୍ରେକ୍ଷୀରେ ନରାଜଠାରେ ପ୍ରସ୍ତାବିତ ଡାଟା ସେଣ୍ଟର ପ୍ରକଳ୍ପକୁ ତୁରନ୍ତ ବାତିଲ କରିବା ସହ ପୂର୍ବରୁ ଅଧିଗୃହୀତ ଜମି ସମ୍ପୃକ୍ତ ଲୋକଙ୍କୁ ଫେରାଇ ଦେବାକୁ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ଦାବି କରିଛି। ଏହି ଦାବିକୁ ନେଇ ଏକ ଦୀର୍ଘସ୍ଥାୟୀ ଓ ଶକ୍ତିଶାଳୀ ଜନଆନ୍ଦୋଳନ ଗଢ଼ିତୋଳିବାକୁ ଦଳ ପକ୍ଷରୁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି।ସାମ୍ବାଦିକ ସମ୍ମିଳନୀରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) କଟକ ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସଙ୍କ ସମେତ ଜିଲ୍ଲା କମିଟି ସଭ୍ୟ ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ, ବବି ବଲବନ୍ତରାୟ, ବସନ୍ତ ନାୟକ ଓ ମାଳବିକା ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ