ଇତିହାସ ରଚିଲା ବୁଗୁଡ଼ା ବ୍ଲକ, ଏକକାଳୀନ ୧୮୭୭ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ
ବୁଗୁଡ଼ା (ଅନୀଲ କୁମାର ମହାରଣା): ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବୁଗୁଡ଼ା ବ୍ଲକ ସ୍ତରୀୟ ଏକୀକୃତ ପେନସନ ପରିଚାଳନା ପୋର୍ଟାଲର ଶୁଭ ଉନ୍ମୋଚନ ଉତ୍ସବ ୧୩/୧୧/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ପୋର୍ଟାଲର ଶୁଭ ଉନ୍ମୋଚନ କରିବା ସହ ୧୮୭୭ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରି ବୁଗୁଡ଼ା ବ୍ଲକର ସମସ୍ତ ପୁରୁଣା ଭତ୍ତା ବଣ୍ଟନ ରେକର୍ଡ ଭଙ୍ଗ କରି ଇତିହାସ ସୃଷ୍ଟି କରିଛନ୍ତି। ଏହି ଅବସରରେ ବୁଗୁଡ଼ା ବ୍ଲକର ୧୭୯୫ ଜଣ ଏବଂ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୮୨ ଜଣ, ଏହିପରି ମୋଟ ୧୮୭୭ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ଏଥିସହ ତିନି ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବ୍ୟାଟେରୀ ଚାଳିତ ଯାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୁଗୁଡ଼ା ତହସିଲଦାର ତାପସ ରାଉତ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ଉପାଧ୍ୟକ୍ଷ ମାନସ ପ୍ରଧାନ, ବୁଗୁଡ଼ା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା ଯୋଗଦେଇଥିଲେ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ପେନସନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ସରଳତା ଆସିବା ସହ ଯୋଗ୍ୟ ହିତାଧିକାରୀମାନେ ସୁବିଧାରେ ସରକାରୀ ସୁବିଧା ପାଇପାରିବେ ବୋଲି ଆଶା ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମ ଅଞ୍ଚଳର ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବା ସହ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହୋଇଛି।


