ହାଟଡିହି ବ୍ଲକରେ ନୂତନ ଭତ୍ତା ବଣ୍ଟନର ଶୁଭାରମ୍ଭ କଲେ ବିଧାୟକ

ହାଟଡିହି (ଓ୍ବାଇଏନଏସ): ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ଅସହାୟ, ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ହାଟଡିହି ବ୍ଲକରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଫଳରେ ଦୀର୍ଘଦିନ ଧରି ନୂତନ ଭତ୍ତା ପାଇବାକୁ ଅପେକ୍ଷା କରିଥିବା ଅନେକ ହିତାଧିକାରୀଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଏବିଡ଼ିଓ ରଶ୍ମିରେଖା ନାଇକ  ପ୍ରମୁଖ ଉପସ୍ଥିତ ରହି ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରଥମ ଦିନରେ ମୋଟ ୧୮୦ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଏହା ସହିତ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ହାଟଡିହି ବ୍ଲକର ଆଉ ୨୬୧୨ ଜଣ ନୂତନ ହିତାଧିକାରୀଙ୍କୁ ପଞ୍ଚାୟତ ମାଧ୍ୟମରେ ଭତ୍ତା ପ୍ରଦାନ କରାଯିବ। ଏ ନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାତୀ ସିଂ ସୂଚନା ଦେଇଛନ୍ତି।  ଏହି ଅବସରରେ ବିଧାୟକ ଅଭିମନ୍ୟୁ ସେଠୀ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିବାରୁ ଓ ନୂତନ ଭାବେ ଭତ୍ତା ପୋର୍ଟାଲ ପ୍ରଚଳିତ କରିଥିବାରୁ  ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ କେନ୍ଦୁଝର ଜିଲ୍ଲାର ଭତ୍ତା ହିତାଧିକାରୀଙ୍କ ଆର୍ଥିକ ସହାୟତା ରାଶି ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିରୁ ଆବଶ୍ୟକ ଅର୍ଥ ବ୍ୟୟବରାଦ କରି ଭତ୍ତା ରାଶି ବୃଦ୍ଧି କରାଗଲେ ଜିଲ୍ଲାର ହଜାର ହଜାର ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ବିଧାୟକ ସଭାରେ ନିଜର ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପିଇଓ ମହେଶ୍ୱର ସାହୁ, ସୁଶ୍ରୀ ସଙ୍ଗୀତା ପାତ୍ର, ମଧୁସ୍ମିତା ମହାନ୍ତି, ରାଜେଶ ସାହୁ, ଏସ. ପ୍ରତୀକ ଆନନ୍ଦ, ସୁଦର୍ଶନ ଘଡ଼େଇଙ୍କ ସମେତ ବ୍ଲକର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ। ହାଟଡିହି ବ୍ଲକରେ ନୂତନ ଭତ୍ତା ବଣ୍ଟନର ଏହି ଶୁଭାରମ୍ଭ ଅନେକ ଅପେକ୍ଷାରତ ପରିବାରଙ୍କ ମନରେ ନୂଆ ଆଶା ସଞ୍ଚାର କରିଥିବାବେଳେ ଅବଶିଷ୍ଟ ହିତାଧିକାରୀଙ୍କୁ ମଧ୍ୟ ଶୀଘ୍ର ଭତ୍ତା ପ୍ରଦାନ କରିବା ନେଇ ଆଶା ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ