ଏସ୍‌ସିବି ଅଗ୍ନିକାଣ୍ଡ ଘଟଣା : ଚତୁର୍ଥ ଥର ପାଇଁ ବଢ଼ିଲା ନ୍ୟାୟିକ କମିସନଙ୍କ କାର୍ଯ୍ୟକାଳ

କଟକ (ଓ୍ବାଇଏନଏସ): ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଗତ ମାର୍ଚ୍ଚ ୧୬ ତାରିଖରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଏଯାଏଁ ଶେଷ ହୋଇପାରିନାହିଁ। ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରୁଥିବା ନ୍ୟାୟିକ କମିସନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଚତୁର୍ଥ ଥର ପାଇଁ ବୃଦ୍ଧି କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, କମିସନଙ୍କ କାର୍ଯ୍ୟକାଳ ୨୦୨୭ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏହି ନ୍ୟାୟିକ କମିସନ ଗଠନ କରାଯାଇଥିଲା। ପ୍ରାରମ୍ଭରେ ୬୦ ଦିନ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ କମିସନଙ୍କୁ ସମୟ ଦିଆଯାଇଥିଲା। ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ତଦନ୍ତ ସମ୍ପୂର୍ଣ୍ଣ ହୋଇନପାରିବାରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାଳ ବୃଦ୍ଧି କରାଯାଇ ଆସୁଛି।ସୂଚନା ଅନୁଯାୟୀ, ପ୍ରଥମେ ମେ’ ୧୫ ତାରିଖରେ କମିସନଙ୍କ କାର୍ଯ୍ୟକାଳକୁ ଜୁଲାଇ ୧୫ ଯାଏଁ ବୃଦ୍ଧି କରାଯାଇଥିଲା। ପରେ ଜୁଲାଇ ୧୫ରୁ ସେପ୍ଟେମ୍ବର ୧୫ ଯାଏଁ ଏବଂ ସେପ୍ଟେମ୍ବର ୧୮ ତାରିଖରେ ନଭେମ୍ବର ୧୫ ଯାଏଁ ସମୟସୀମା ବଢ଼ାଯାଇଥିଲା। ତେବେ ଏହି ସମୟ ମଧ୍ୟରେ ମଧ୍ୟ ତଦନ୍ତ ଶେଷ ହୋଇନଥିବାରୁ ସରକାର ପୁଣି ଥରେ ଦୁଇ ମାସର ଅଧିକ ସମୟ ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୬ ତାରିଖରେ ଏସ୍‌ସିବି ଟ୍ରମା କେୟାର ଆଇସିୟୁରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ୧୨ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣା ପରେ ଅଗ୍ନିକାଣ୍ଡର କାରଣ, ଦାୟିତ୍ୱ ଏବଂ ସମ୍ପୃକ୍ତ ବିଭିନ୍ନ ଦିଗର ତଦନ୍ତ ପାଇଁ ନ୍ୟାୟିକ କମିସନ ଗଠନ କରାଯାଇଥିଲା। ତେବେ ବାରମ୍ବାର କାର୍ଯ୍ୟକାଳ ବୃଦ୍ଧି ପାଉଥିବାରୁ ତଦନ୍ତ ରିପୋର୍ଟ କେବେ ଆସିବ ଏବଂ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ କେବେ ଆସିବ, ତାହାକୁ ନେଇ ଅପେକ୍ଷା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ