ମରଣାନ୍ତଙ୍କ ଆକ୍ରମଣରେ ୩ ଗୁରୁତର, ଥାନାରେ ମାମଲା ରୁଜୁ

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମରେ ଏକ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାରେ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରି ଚୁପ୍ ବସିଥିବା ନେଇ ପୀଡ଼ିତ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଭରତପୁର ଗ୍ରାମର ଜନ୍ମେଜୟ ଦାସଙ୍କ ପତ୍ନୀ ରୂପବନ୍ୟା ଦାସ ଏନେଇ କେନ୍ଦ୍ରାପଡ଼ା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗ୍ରାମର ରାମଚନ୍ଦ୍ର ସାହୁ, ରଶ୍ମିରଞ୍ଜନ ସାହୁ, ଅମୀୟରଞ୍ଜନ ସାହୁ ଓ ମିନତୀ ସାହୁ ସଂଘବଦ୍ଧ ଭାବେ ଜନ୍ମେଜୟଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ। ବିଶେଷ କରି ଅଭିଯୁକ୍ତ ରଶ୍ମିରଞ୍ଜନ ଏକ ଧାରୁଆ ଭୁଜାଲିରେ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରି ମୁଣ୍ଡ, କାନ୍ଧ ଓ ହାତକୁ ହାଣି ପକାଇଥିଲା। ଏହି ଅତର୍କିତ ଆକ୍ରମଣରେ ରୂପବନ୍ୟାଙ୍କ ଶ୍ୱଶୁର ମନୋଜ କୁମାର ଦାସ (୬୪), ଶାଶୁ ବାସନ୍ତୀ ଦାସ (୬୦) ଏବଂ ସ୍ୱାମୀ ଜନ୍ମେଜୟ ଦାସ (୩୦) ରକ୍ତାକ୍ତ ଓ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତିନିଜଣଯାକ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଅନ୍ୟପକ୍ଷରେ ରୂପବନ୍ୟାଙ୍କ ଏତଲାକୁ ଭିତ୍ତି କରି କେନ୍ଦ୍ରାପଡ଼ା ସଦର ଥାନା ପୋଲିସ କେସ୍ ନମ୍ବର ୬୫୧ରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଦଫା ୧୨୬(୨), ୭୪, ୧୧୫(୨), ୧୧୭(୨), ୧୦୯, ୩୫୧(୩), ୧୩୧ ଓ ୩(୫) ଅନୁଯାୟୀ ଏକ ମାମଲା ରୁଜୁ କରିଛି। ତେବେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଅଭିଯୁକ୍ତମାନେ ଖୋଲାଖୋଲି ଭାବେ ବାହାରେ ବୁଲୁଥିବାରୁ ପୀଡ଼ିତ ପରିବାର ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପୋଲିସ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ