ନାଉଗାଁ ପଞ୍ଚାୟତ ସମିତିର ଦଶମ ଅଧିବେଶନ

ନାଉଗାଁ (ପ୍ରଦୋଷ ମହାନ୍ତି) : ନାଉଗାଁ ପଞ୍ଚାୟତ ସମିତିର ଦଶମ ଅଧିବେଶନ ଶୁକ୍ରବାର ନୂତନ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅଧିବେଶନରେ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବିଳମ୍ବ, ପାନୀୟ ଜଳ ସମସ୍ୟା, ସ୍ବାସ୍ଥ୍ୟସେବା, ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନିଯୁକ୍ତି ଓ ଅଙ୍ଗନବାଡ଼ି କେନ୍ଦ୍ରର ଅବ୍ୟବସ୍ଥା ନେଇ ଜନପ୍ରତିନିଧିମାନେ ଉଦ୍ବେଗ ପ୍ରକାଶ କରିଥିଲେ। ଅନୁମୋଦିତ ପ୍ରକଳ୍ପର କେସ୍ ରେକର୍ଡ ଖୋଲାଯାଉ ନଥିବାରୁ କାର୍ଯ୍ୟ ଆରମ୍ଭ ହୋଇପାରୁନଥିବା ଅଭିଯୋଗ ହେବା ପରେ ବିଧାୟକ ତୁରନ୍ତ କାର୍ଯ୍ୟ ଆରମ୍ଭ ଓ ଶେଷ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋରୁଅରୁ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟକୁ ବସ୍ ସେବା, ଡେରିକି ମେଡିକାଲରେ ଫାର୍ମାସିଷ୍ଟ ନିଯୁକ୍ତି ଓ ଛଅଟି ୱାର୍ଡକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦାବି ଉଠିଥିଲା। ସେହିପରି ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନିଯୁକ୍ତିରେ ଅସଙ୍ଗତି, ଅଙ୍ଗନବାଡ଼ିରେ ରୋଷେଇ ଓ ଛତୁଆର ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ନିୟମିତ ଯାଞ୍ଚ ଓ ଛତୁଆ ଉତ୍ପାଦନ କେନ୍ଦ୍ର ଖୋଲିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ଏଥିସହ ମଦ ଦୋକାନ ସ୍ଥାନାନ୍ତର, ଚୋରା ମଦ କାରବାର ରୋକିବା, ସ୍ବାବଲମ୍ବୀ କାରିଗରଙ୍କ ବକେୟା ପାରିଶ୍ରମିକ ପ୍ରଦାନ ଓ ଚାଷକୁ ଷଣ୍ଢ ଓ ମାଙ୍କଡ଼ଙ୍କ ଉପଦ୍ରବରୁ ସୁରକ୍ଷା ପାଇଁ ଗୋଶାଳା ନିର୍ମାଣ ଆଦି ଦାବି ଉଠିଥିଲା। ଅଧିବେଶନରେ ବିଡିଓ ନିରଞ୍ଜନ ପରିଡ଼ା, ତହସିଲଦାର ଅକ୍ଷୟ ବଡୁ, ଉପାଧ୍ୟକ୍ଷ ସୁଜିତ ପୁହାଣ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ବାଇଁ ଓ ମମତା ପରିଡ଼ା, ସାଂସଦ ପ୍ରତିନିଧି ଲଲାଟେନ୍ଦୁ ପରିଡ଼ା, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ. ଶାରଦା ପ୍ରସନ୍ନ ନାୟକ, ଆତ୍ମା କମିଟି ଅଧ୍ୟକ୍ଷ ଆଶିଷ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ