ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସୁଲଣ ପଞ୍ଚାୟତର ଜଳସରପୁର ଗ୍ରାମରେ ଆଜି ସକାଳେ ଏକ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଯାଇଛି। ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ନିଆଁ ଲାଗି ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିଯିବା ସହ ଘରେ ଥିବା ଆସବାବପତ୍ର, ସୁନା ଓ ରୁପା ଅଳଙ୍କାର, ନଗଦ ଟଙ୍କା ସମେତ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜଳସରପୁର ଗ୍ରାମର ଅର୍ଜୁନ ଜେନାଙ୍କ ଘରେ ଆଜି ସକାଳୁ ହଠାତ୍ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିଲା। ଘର ଭିତରୁ ଧୂଆଁ ଓ ନିଆଁ ବାହାରୁଥିବା ଦେଖିବା ବେଳକୁ ନିଆଁ ଧୀରେ ଧୀରେ ଭୟଙ୍କର ରୂପ ଧାରଣ କରିଥିଲା। ଚାହୁଁଚାହୁଁ ନିଆଁ ଘରର ଦୁଇ ବଖରାକୁ ବ୍ୟାପିଯାଇଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଘର ଭିତରେ ଥିବା କୌଣସି ସାମଗ୍ରୀକୁ ଉଦ୍ଧାର କରିବା ସମ୍ଭବ ହୋଇପାରି ନଥିଲା। ଘଟଣା ସମୟରେ ଘରେ କେହି ଉପସ୍ଥିତ ନଥିବାରୁ ଜୀବନହାନି ଘଟିନଥିଲେ ମଧ୍ୟ ପରିବାରର ସମସ୍ତ ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ନିଆଁରେ ନଷ୍ଟ ହୋଇଯାଇଛି। ବହୁ କଷ୍ଟରେ ସଞ୍ଚୟ କରି ରଖିଥିବା ସୁନା ଓ ରୁପା ଅଳଙ୍କାର, ନଗଦ ଟଙ୍କା, ଟିଭି, ଫ୍ରିଜ ଏବଂ ଘରର ଦରକାରୀ ସାମଗ୍ରୀ ପୋଡି ନଷ୍ଟ ହୋଇ ଯାଇଛି। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ହାଟଡିହି ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ନିଆଁ ଅନ୍ୟ ଘରକୁ ବ୍ୟାପିବାରୁ ରୋକାଯାଇପାରିଥିଲା। ଅନ୍ୟପକ୍ଷରେ, ଅଗ୍ନିକାଣ୍ଡ ଖବର ପାଇ ବଡ଼ରମ୍ପାସ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ସଠିକ୍ ଆକଳନ କରାଯାଇ ପୀଡ଼ିତ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।


