ମୃତକଙ୍କ ପରିବାରକୁ ଯୁବଗୋଷ୍ଠୀଙ୍କ ପକ୍ଷରୁ ସହାୟତା
ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡା ପଞ୍ଚାୟତର ଲୁଣିଆପଡ଼ା ଗ୍ରାମ ବାସିନ୍ଦା ସନ୍ତୋଷ ଦଳେଇ(୪୨) ଯକୃତ ରୋଗରେ ପୀଡ଼ିତ ହୋଇ ଗତ ୦୭/୧୧/୨୬ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ। ପରିବାରର ମୁଖ୍ୟ ସନ୍ତୋଷଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଚଳିବାରେ କଷ୍ଟ ହେଉଥିବା ଜାଣିବା ପରେ ପୋଲସରା ବ୍ଳକ ଚିରିକିପଡ଼ା ଶାସନ ଗ୍ରାମର ଯୁବ ଆଇନଜୀବୀ ନାରାୟଣ ସାହୁଙ୍କ ନେତୃତ୍ୱରେ କିଛି ଯୁବଗୋଷ୍ଠୀ ମିଶି ମୃତକଙ୍କ ପରିବାରକୁ ଭେଟି ଆର୍ଥିକ ସାହାଯ୍ୟ ସମେତ ଖାଦ୍ୟ ସାମଗ୍ରୀ ଦେଇଥିଲେ। ମୃତକ ସନ୍ତୋଷଙ୍କ ପରିବାର ଗରୀବ ଶ୍ରେଣୀର ହୋଇଥିବା ବେଳେ ଘରର ମୁଖିଆଙ୍କ ଅକାଳ ବିୟୋଗରେ ତାଙ୍କର ବିଧବା ପତ୍ନୀ ୧୦ ବର୍ଷର ପୁଅ ଓ ୭ ବର୍ଷର ଝିଅକୁ ନେଇ କିପରି ପରିବାର ପ୍ରତିପୋଷଣ କରି ବଞ୍ଚିବେ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଅଟି ପାଠ ପଢୁଥିବା ବେଳେ ଝିଅଟି ଶିକ୍ଷାରୁ ବଞ୍ଚିତ ହୋଇଥିବା ଜଣାପଡିବା ପରେ ଶିକ୍ଷା ବିଭାଗ ଆଗଭର ହୋଇଥିବା ଜଣାପଡ଼ିଛି। ଏହି ଗରିବ ପରିବାରର ସମସ୍ୟା ସମାଧାନ ପାଇଁ ପୋଲସରା ବ୍ଲକ ପ୍ରଶାସନ, ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ଦୃଷ୍ଟି ଦେଇ ସହଯୋଗ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରିବା ସହିତ ଯୁବ ଗୋଷ୍ଠୀଙ୍କ ସହାୟତା ପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି।


