ମାସିକ ଇପିଏଫ୍ ପେନସନ୍ ବୃଦ୍ଧି ଓ ମହଙ୍ଗାଭତ୍ତା ଦାବିରେ ଦାବିପତ୍ର

ବାଲେଶ୍ୱର, (ଓ୍ବାଇଏନଏସ): କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଇପିଏଫ୍ ସଂସ୍ଥାରୁ ମାସିକ ପେନ୍‌ସନ୍ ପାଉଥିବା କର୍ମଚାରୀମାନେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୋମବାର ଦିନ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଇପିଏଫ୍ ପେନସନ୍ ୧୯୯୫ ଆଇନ ଅନୁଯାୟୀ କେନ୍ଦ୍ର ସରକାର ଗତ ୨୦୧୪ ମସିହାରେ ସର୍ବନିମ୍ନ ମାସିକ ପେନସନ୍ ଏକହଜାର ଟଙ୍କା ଧାର୍ଯ୍ୟ କରିଥିବାବେଳେ ବହୁ କର୍ମଚାରୀ ଏକ ହଜାରରୁ କମ୍ ପରିମାଣର ପେନସନ୍ ପାଉଛନ୍ତି। ମାସିକ ପେନ୍‌ସନ୍ ସର୍ବନିମ୍ନ ୯ ହଜାର ଟଙ୍କା ସହ ମହଙ୍ଗା ଭତ୍ତା ଓ ନିଃଶୁଳ୍କ ଚିକିତ୍ସା ପାଇଁ ଇପିଏଫ୍ ପେନ୍‌ସନ୍‌ଭୋଗୀଙ୍କ ରାଜ୍ୟ ଓ ଜାତୀୟସ୍ତରର ଆସୋସିଏସନ୍ ଦୀର୍ଘବର୍ଷ ଧରି ଦାବି କରିଆସୁଛି। ଅବସରପ୍ରାପ୍ତ ଏହି ଶ୍ରେଣୀର କର୍ମଚାରୀମାନେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରୁଛନ୍ତି। କିନ୍ତୁ ବର୍ତ୍ତମାନର କେନ୍ଦ୍ର ସରକାର ଗତ ୧୪ ବର୍ଷ ଶାସନ କାଳରେ ଏହି ବରିଷ୍ଠ ନାଗରିକମାନଙ୍କ ଦାବିପ୍ରତି କର୍ଣ୍ଣପାତ କରୁନାହାନ୍ତି ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାିଛି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅଧିକ ବେତନ ପାଇଥିବା କର୍ମଚାରୀଙ୍କୁ ବେତନ ଅନୁପାତରେ ଅଧିକ ପେନସନ୍ ଦେବାରେ ଇପିଏଫ୍ ସଂସ୍ଥା କାଳକ୍ଷେପଣ ନୀତି ଗ୍ରହଣ କରୁଛି ବୋଲ ିସେମାନେ ଅଭିଯୋଗ କରିଛନ୍ତି।
ବିଭିନ୍ନ ସରକାରୀ ଉଦ୍ୟୋଗ ଓ ବେସରକାରୀ ସଂସ୍ଥାରେ ଦୀର୍ଘବର୍ଷ କାର୍ଯ୍ୟ କରି ଅବସର ନେଇଥିବା କର୍ମଚାରୀମାନେ ସ୍ୱଳ୍ପ ପେନସନ୍‌ରେ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି। ଜାତୀୟ ଓ ରାଜ୍ୟ ସ୍ତରର ଆସୋସିଏସନ୍ ଆହ୍ୱାନରେ ସମଗ୍ର ଦେଶରେ ଚଳିତ ନଭେମ୍ବର ୧୬ ତାରିଖ ଦିନ ଦାବି ଦିବସ ପାନଳ ଅବସରରେ ଜିଲ୍ଲାପାଳମାନଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବାଲେଶ୍ୱର ଜିଲ୍ଲାର ଶତାଧିକ ଇପିଏଫ୍ ପେନସନ୍‌ଭୋଗୀ କର୍ମଚାରୀ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ସମବେତହୋଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସଂସ୍ଥା ଓ ବେସରକାରୀ ସଂସ୍ଥା ପକ୍ଷରୁ ସର୍ବଶ୍ରୀ ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଜେନା, ଗୋପାଳ ଚନ୍ଦ୍ର ମହାନ୍ତି, ବି.ବି. ଦାସ, ଶରତ ଚନ୍ଦ୍ର ଦଳାଇ, ପରମେଶ୍ୱର ପାତ୍ର, ଲମ୍ବୋଦର ଜେନା, ଗୌତମ ଦଳାଇ, ଅକ୍ଷୟ ସାହୁ, ରାମଚନ୍ଦ୍ର ନନ୍ଦୀ, ଅନାଦି ରଂଜନ ପ୍ରଧାନ, ମଧୁସୂଦନ ବେହେରା ରମେଶ କୁମାର ରଥ, ହରେକୃଷ୍ଣ ପ୍ରଧାନ, ହିମାଂଶୁ ନନ୍ଦୀ ଓ ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଦାବିପତ୍ରରେ ସ୍ୱାକ୍ଷର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ