ଏଆଇଏସଏଫ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଅଖିଳ ଭାରତ ଛାତ୍ର ସଙ୍ଘ ପକ୍ଷରୁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଦେଶର ସ୍ୱାଧୀନତା ସଂଗ୍ରାମରେ ଏଆଇଏସଏଫର ବହୁ ଛାତ୍ର ବ୍ରିଟିଶକୁ ହଟାଇବା ପାଇଁ ଜୀବନ ତ୍ୟାଗ କରିଥିଲେ। ୧୯୩୬ମସିହା ଅଗଷ୍ଟ ୧୨ତାରିଖରେ ଉତ୍ତରପ୍ରଦେଶର ଲକ୍ଷୈ୍ନାରେ ପ୍ରତିଷ୍ଠା ହୋଇଥିବା ଏହି ଛାତ୍ର ସଙ୍ଘ ଅନେକ ଲଢେଇ କରିଛି। ସ୍ୱାଧୀନତା ପରେ ଶିକ୍ଷାକୁ ସମ୍ବିଧାନର ମୈାଳିକ ଅଧିକାର କରିବା ସହିତ ସମ୍ପୂର୍ଣ୍ଣ ଦେୟମୁକ୍ତ ଶିକ୍ଷା ଓ ନିଯୁକ୍ତି ଦାବିରେ ଆଜିବି ସଙ୍ଘର ଲଢେଇ ବଳବତ୍ତର ରହିଛି। ସେମାନଙ୍କ ଦାବି ଗୁଡିକ ମଧ୍ୟରେ ଚଳିତ ଶିକ୍ଷାବର୍ଷ ଠାରୁ ସରକାରଙ୍କ ଦ୍ୱାରା ଘୋଷିତ କେନ୍ଦ୍ରାପଡା ବିଶ୍ୱବିଦ୍ୟାଳୟରେ ନାମଲେଖା ଆରମ୍ଭ କରାଯିବା, କେନ୍ଦ୍ରାପଡା ଜିଲ୍ଲାରେ ତୁରନ୍ତ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରାଯାଇ ସେଥିରେ ଗରିବ ମେଧାବୀ ପିଲାଙ୍କୁ ପଢିବାର ସୁଯୋଗ ଦିଆଯିବା, ଏହି ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟାପକ/ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ପଦକୁ ପୁରଣ କରାଯିବା, ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ମାନଙ୍କରେ କ୍ରୀଡା ଭିତ୍ତିଭୂମୀର ବିକାଶ କରାଯିବା, ଜିଲ୍ଲାରେ ଅନ୍ୟୂନ୍ୟ ଏକଶହ ଆଦର୍ଶ ପାଠାଗାର ଖୋଲାଯିବା, ଶିକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଜିଡିପିର ଦଶ ଶତାଂଶ ଏବଂ ରାଜ୍ୟ ସରକାର ବଜେଟର ୨୦ପ୍ରତିଶତ ଖର୍ଚ୍ଚ କରିବାକୁ ଦାବି କରାଯାଇଛି। ସାଥି ଆହ୍ୱାନ ରାଉତରାୟଙ୍କ ନେତୃତ୍ୱରେ ଦୀନେଶ କୁମାର ସାହୁ, ଅର୍ଚ୍ଚିତା ରାଉତ, ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ ଶତାଧିକ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।


