ଆସିକାରେ କ୍ଷତିଗ୍ରସ୍ତ ଏଟିଏମ୍‍ ସେବା କାର୍ଯ୍ୟକ୍ଷମ କେବେ?

ଆସିକା (ୱାଇଏନ୍‍ଏସ୍‍): ଗତ ଅକ୍ଟୋବର ମାସ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ବିଭିଷିକାକୁ ଆସନ୍ତାକାଲି ୩ ସପ୍ତାହ ପୁରିବାକୁ ଯାଉଛି । ପ୍ରଳୟଙ୍କରୀ ବନ୍ୟାରେ ଆସିକା ଅଞ୍ଚଳର କଳିଙ୍ଗରୋଡ, ଲକ୍ଷ୍ମୀବଜାର, ତାଲୁକା ଛକ ସମେତ ଅନ୍ୟ କେତେକ ଅଞ୍ଚଳରେ ଥିବା ବ୍ୟାଙ୍କ ଗୁଡିକରେ ବନ୍ୟାପାଣି ପଶି ପ୍ରଭୁତ କ୍ଷତି ଘଟିଥିିଲା । ଏପରିକି ଗ୍ରାହକଙ୍କୁ ହାତପାଆନ୍ତାରେ ଏଟିଏନ୍‍ ସେବା ଯୋଗାଇ ଦେଇଆସୁଥିବା କେତେକ ଏଟିଏମ୍‍ କାଉଣ୍ଟରରେ ବନ୍ୟାପାଣି ପଶି ମୂଲ୍ୟବାନ୍‍ ଯନ୍ତ୍ରାଂଶ ଗୁଡିକ ନଷ୍ଟ ହୋଇଯାଇଥିବା ବେଳେ ଦୀର୍ଘ ପ୍ରାୟ ଦୁଇ ସପ୍ତାହରୁ ଉର୍ଦ୍ଧ୍ୱ ଦିନ ହେଲା କେତେକ ଅଞ୍ଚଳରେ ଏଟିଏମ୍‍ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଜଣାପଡିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ମୋବାଇଲ୍‍ ଏଟିଏମ୍‍ ମାଧ୍ୟମରେ ଏକ ସ୍ୱତନ୍ତ୍ର ଗାଡିରେ ସେବା ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ହଜାର ହଜାର ଜନତାଙ୍କ ସୁବିଧା ଲାଗି ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏଟିଏମ୍‍ ସେବା କାର୍ଯ୍ୟକାରୀ କରାଯାଇଛି । ଆସିକା ସହରର ବିଭିନ୍ନ ସ୍ଥାନରେ ଏଟିଏମ୍‍ ସେବା ପ୍ରତିଷ୍ଠା ହେବା ପର ଠାରୁ ବ୍ୟାଙ୍କର ଜମାକାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଓ ବୟୋଜ୍ୟେଷ୍ଠ ନାଗରିକମାନେ ଆବଶ୍ୟକତା ସମୟରେ ଟଙ୍କା ଉଠାଣ କରିପାରୁଥିଲେ । ଆସିକା ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ହୋଇଥିବା ଏଟିଏମ୍‍ କାଉଣ୍ଟର ମାଧ୍ୟମରେ ସାଧାରଣ ଜନତା ଆବଶ୍ୟକତା ସମୟରେ ଟଙ୍କା ଉଠାଣ କରି ଉନ୍ନତ ମାନର ସେବା ପାଇ ଆସୁଥିଲେ । ତେବେ ପ୍ରଳୟଙ୍କରୀ ବନ୍ୟାର ପ୍ରଭାବରେ ଗତ ପ୍ରାୟ ଦୁଇ ସପ୍ତାହରୁ ଉର୍ଦ୍ଧ୍ୱ ଦିନ ଧରି କେତେକ ଏଟିଏମ୍‍ କାଉଣ୍ଟପ ବନ୍ଦ ରହିଥିବା ଯୋଗୁଁ ବିଭିନ୍ନ ବ୍ୟାଙ୍କର ଉପଭୋକ୍ତାମାନେ ଟଙ୍କା ଉଠାଣ କ୍ଷେତ୍ରରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଆଲୋଚିତ ହେଉଛି । ଆସିକା ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ହୋଇଥିବା ଏଟିଏମ୍‍ କାଉଣ୍ଟର ଗୁଡିକ ଜନସାଧାରଣଙ୍କୁ ଦୀର୍ଘ ବର୍ଷ ହେଲା ସେବା ଯୋଗାଇ ଆସୁଥିଲେ । ଆସିକା ଅଞ୍ଚଳକୁ ଦୈନିକ ଶହ ଶହ ସାଧାରଣ ଜନତା ବିଭିନ୍ନ ବ୍ୟବସାୟିକ କାର୍ଯ୍ୟ ପାଇଁ ଆସୁଥିଲା ବେଳେ ପ୍ରଳୟଙ୍କରୀ ବନ୍ୟାର ପ୍ରଭାବରେ ବହୁ ଏଟିଏମ୍‍ କାଉଣ୍ଟର ବନ୍ଦ ରହିଥିବା ଯୋଗୁଁ ଆବଶ୍ୟକତା ସମୟରେ ଟଙ୍କା ଉଠାଣ କ୍ଷେତ୍ରରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ତେବେ ବନ୍ୟା ବିଭିଷିକାରେ ନଷ୍ଟ ହୋଇ ଅଚଳ ଅବସ୍ଥାକୁ ଆସି ବନ୍ଦ ହୋଇପଡିଥିବା ଏଟିଏମ୍‍ କାଉଣ୍ଟର ଗୁଡିକ ପୁନଃ କେବେ କାର୍ଯ୍ୟକ୍ଷମ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି । ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଜନସାଧାରଣଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଯୁଦ୍ଧକାଳୀନ ଭିତ୍ତିରେ ବନ୍ଦ ଥିବା ଏଟିଏମ୍‍ କାଉଣ୍ଟର ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ସମାଜସେବୀ ପ୍ରସନ୍ନ କୁମାର ତ୍ରିପାଠୀ, ଏମ୍‍.ତାରିଣୀ ସେନାପତି, ନିଗମାନନ୍ଦ ରାଉତ, କୈଳାଶ ଚନ୍ଦ୍ର ପ୍ରଧାନ, କେଶବ ଦାଶ, ଶିବପ୍ରଶାଦ ଶତପଥୀ ପ୍ରମୁଖ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ