ଜିଲ୍ଲାସ୍ତରୀୟ ନିର୍ବାଚନୀ ସାକ୍ଷରତା କ୍ଲବ୍ କୁଇଜ୍ ଏବଂ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ
ବାଲେଶ୍ୱର, (ସରୋଜ ପଣ୍ଡା): ଆଜି ସକାଳ ୧୦ ଘଟିକା ସମୟରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ, ବାଲେଶ୍ୱର ପକ୍ଷରୁ ଜିଲ୍ଲାସ୍ତରୀୟ ନିର୍ବାଚନୀ ସାକ୍ଷରତା କ୍ଲବ୍ (ELC) କୁଇଜ୍ ଏବଂ ପ୍ରବନ୍ଧ ପ୍ରତିଯୋଗିତା ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହ (ଅଡିଟୋରିୟମ୍) ସମେତ ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରମୁଖ ବ୍ଲକ୍ କାର୍ଯ୍ୟାଳୟଗୁଡ଼ିକରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବାଲେଶ୍ୱର ଜିଲ୍ଲାର ସମସ୍ତ ୮ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଡେପୁଟି କଲେକ୍ଟର, ନିର୍ବାଚନ ସମୀକ୍ଷା ବେଉରା, ସହକାରୀ ଜିଲ୍ଲାପାଳ ସୁବ୍ରତ କୁମାର ଘୋଷ, ବାଲେଶ୍ବର ବିଭିନ୍ନ ଶିକ୍ଷାନୁଷ୍ଠାନର ନୋଡାଲ ଅଧିକାରୀ ଏବଂ ନିର୍ବାଚନ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ସଭାଗୃହରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଖୁଣ୍ଟିଆ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତିର ଉପରେ ଗୁରୁତ୍ୱ ଆଲୋକପାତ କରିବା ସହ ମତଦାନ ପ୍ରକ୍ରିୟା ବିଷୟରେ ଅବଗତ କରାଇଥିଲେ । ଭବିଷ୍ୟତର ଭୋଟରମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସୂଚନା ଦେଇ ସେ ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ସକ୍ରିୟ ଭାବେ ଆଗେଇ ଆସିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ଉପସ୍ଥିତ ଅତିଥିମାନଙ୍କ ସମୁଖରେ ନିର୍ବାଚନୀ ସଚେତନତା ସମ୍ପର୍କରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।


