ବାତ୍ୟା ଆକଭାନର ମୁକାବିଲା ପାଇଁ ପୋଲସରା ବ୍ଲକରେ ଆଗୁଆ ପ୍ରସ୍ତୁତ

ପୋଲସରା, (ଓ୍ବାଇଏନଏସ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆକଭାନ ୧୯/୧୧/୨୬ ତାରିଖ ସୁଦ୍ଧା ଅତି ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଯାହା ଫଳରେ ବାତ୍ୟା ପବନ ୧୨୦ ରୁ ୧୩୦ କିମି ବେଗରେ ବହିବା ସହ ଝଟକା ପବନ ୧୪୫ କିମି ହୋଇପାରେ। ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାଯୋଗୁଁ ଜିଲ୍ଲା ପ୍ରସାଶନଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ବିଡିଓ ଶଶିଭୂଷଣ ମହାପାତ୍ର ଆଗୁଆ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ରାସ୍ତାର ଅସୁବିଧା ଥିବା ଆଦିବାସୀ ଅଞ୍ଚଳରେ ୧୭/୧୧/୨୬ ତାରିଖ ଦିନ ଶୁଖିଲା ଖାଦ୍ୟ ସାମଗ୍ରୀ ଲୋକମାନଙ୍କୁ ନିଜ ଉପସ୍ଥିତିରେ ବଣ୍ଟନ କରିଛନ୍ତି। ସେହିପରି ଆଦିବାସୀ ବହୁଳ ଗ୍ରାମ ସମେତ ତଳୁଆ ଅଞ୍ଚଳ ଓ ମାଟି ଘରେ ରହୁଥିବା ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରି ଗରମ ରୋଷେଇ ଖାଦ୍ୟ ଦେବାର ବ୍ୟବସ୍ଥା କରିଛନ୍ତି। ୧୮/୧୧/୨୬ ତାରିଖ ଦିନ ବ୍ରହ୍ମପୁର ଜିଲ୍ଲା ଶିଳ୍ପ ଅଧିକାରୀ ବସନ୍ତ କୁମାର ସେଠୀ ପର୍ଯ୍ୟବେକ୍ଷକ ଭାବେ ଆସି ବିଡିଓ ଶ୍ରୀ ମହାପାତ୍ରଙ୍କ ସହ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ରନ୍ଧା ଖାଦ୍ୟ ଯାଞ୍ଚ କରିବା ସହ ଆଶ୍ରାୟସ୍ଥଳୀରେ ରହୁଥିବା ଲୋକମାନଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଚନ୍ତି। ବ୍ଲକ ପ୍ରଶାସନଙ୍କ ଏହିପରି ଆଗୁଆ ପଦକ୍ଷେପ ପାଇଁ ଅଞ୍ଚଳର ଜନସାଧାରଣ ପ୍ରଂଶସା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ