ବାତ୍ୟା ଆଶଙ୍କା: ଚାଷୀଙ୍କ ଅମଳ ଧାନ ଓ କପା ସୁରକ୍ଷା ପାଇଁ ପ୍ରଶାସନର ଆଗୁଆ ପଦକ୍ଷେପ

ଗୁଣୁପୁର, (ୱାଇ ଏନ ଏସ):* ସମ୍ଭାବ୍ୟ ବାତ୍ୟା ‘ ଆକଭାନ’କୁ ନେଇ ଚାଷୀଙ୍କ ମଧ୍ୟରେ ଫସଲ ସୁରକ୍ଷା ଚିନ୍ତା ବଢ଼ିଥିବାବେଳେ ଅମଳ ଧାନ ଓ କପାକୁ ବର୍ଷା ଏବଂ ପ୍ରତିକୂଳ ପାଣିପାଗରୁ ସୁରକ୍ଷିତ ରଖିବାକୁ ଗୁଣୁପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଗଜପତି ଜିଲ୍ଲା ପରେ ରାୟଗଡ଼ା ଜିଲ୍ଲା ପ୍ରଭାବିତ ହେବାର ପୂର୍ବାନୁମାନକୁ ଗୁରୁତ୍ୱ ଦେଇ ଚାଷୀଙ୍କ କଷ୍ଟଲବ୍ଧ ଫସଲର ସୁରକ୍ଷା ପାଇଁ ଆଗୁଆ ବ୍ୟବସ୍ଥା ଆରମ୍ଭ ହୋଇଛି।
ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନକୁ ଆଧାର କରି ଗୁଣୁପୁର ନିୟନ୍ତ୍ରିତ ବଜାର କମିଟି (RMC) ଅଧୀନରେ ଥିବା ସମସ୍ତ ମାର୍କେଟ୍ ୟାର୍ଡରେ ଅମଳ ଧାନ ଓ କପା ସୁରକ୍ଷିତ ଭାବେ ରଖିବା ନିମନ୍ତେ ଆବଶ୍ୟକ ସୁବିଧା ଯୋଗାଇଦେବାକୁ ପଦକ୍ଷେପ ନିଆଯାଇଛି। ଫଳରେ ଖୋଲା ଆକାଶ ତଳେ ଅମଳ ଫସଲ ରଖି କ୍ଷତିର ଆଶଙ୍କାରେ ଥିବା ଚାଷୀମାନେ ଏହି ବ୍ୟବସ୍ଥାର ସୁଯୋଗ ନେଇପାରିବେ।
ଏହି କାର୍ଯ୍ୟକୁ ସଫଳ କରିବା ପାଇଁ ଗୁଣୁପୁର ଉପଖଣ୍ଡର ସମସ୍ତ ବିଡିଓ, ତହସିଲଦାର, ବ୍ଲକ କୃଷି ଅଧିକାରୀ, ଲ୍ୟାମ୍ପସ୍‌ର ପରିଚାଳନା ନିର୍ଦ୍ଦେଶକ ଏବଂ ଏସିଏସ୍‌ଓଙ୍କୁ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଚାଷୀଙ୍କୁ ସହଯୋଗ କରିବାକୁ ଗୁଣପୁର ଉପଜିଲ୍ଲାପାଳ ତଥା ନିୟନ୍ତ୍ରୀତ ବଜାର କମିଟିର ଅଧ୍ୟକ୍ଷ ଦୁଧାଲ ଅଭିଷେକ ଦିଲ୍ଲୀପ ନିର୍ଦେଶ ଦେଇଛନ୍ତି। ଏଥିସହ ଗ୍ରାମାଞ୍ଚଳର ଚାଷୀଙ୍କ ନିକଟରେ ଏହି ସୂଚନା ବ୍ୟାପକ ଭାବେ ପହଞ୍ଚାଇବାକୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।
ଫସଲ ସଂରକ୍ଷଣ ଓ ମାର୍କେଟ୍ ୟାର୍ଡରେ ଉପଲବ୍ଧ ସୁବିଧା ସମ୍ପର୍କରେ ଚାଷୀମାନେ ଆରଏମସି ଗୁଣୁପୁରର ନିମ୍ନଲିଖିତ କର୍ମଚାରୀଙ୍କ ସହ ଯୋଗାଯୋଗ କରିପାରିବେ।
ଗୁଣୁପୁର: ଦେବେନ୍ଦ୍ର ନାୟକ – ୯୪୩୭୩୫୪୮୧୯
ଗୁଡ଼ାରୀ: ଜି. ମୁରଲୀ ରାଓ – ୯୪୩୭୩୩୮୨୦୬
ପଦ୍ମପୁର: ଜି. ଶ୍ରୀନିବାସ – ୯୪୩୭୬୪୧୭୬୫
ରାମନାଗୁଡ଼ା: ବିଜୟ କେ. ମହାନ୍ତି – ୮୮୯୫୦୮୬୬୬୫
ବିଷମକଟକ: ଚିତ୍ତରଞ୍ଜନ ପ୍ରଧାନ – ୯୪୩୭୪୧୬୩୦୧
ମୁନିଗୁଡ଼ା: ଏସ୍.ବି. ଜାମି – ୯୪୩୯୮୨୨୯୧୧
ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଅମଳ ଫସଲ ନଷ୍ଟ ହେଲେ ଚାଷୀଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ। ତେଣୁ ପ୍ରଶାସନର ଏହି ଆଗୁଆ ପଦକ୍ଷେପ ଚାଷୀଙ୍କ ପାଇଁ ଆଶ୍ୱସ୍ତିକର ହୋଇଥିବାବେଳେ ଏହାର ସଫଳ କାର୍ଯ୍ୟାନ୍ୱୟନ ଉପରେ ଏବେ ନଜର ରହିଛି। କେବଳ ନିର୍ଦ୍ଦେଶ ଜାରି ନୁହେଁ, ଆବଶ୍ୟକ ସମୟରେ ପ୍ରତ୍ୟେକ ଚାଷୀ ଯେପରି ମାର୍କେଟ୍ ୟାର୍ଡର ସୁବିଧା ପାଇପାରିବେ, ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ