ମହର୍ଷି ଗୁରୁକୁଳର ଶିକ୍ଷାମୂଳକ ଭ୍ରମଣ କାର୍ଯ୍ୟକ୍ରମ
ଗୁଣପୁର, (ୱାଇ ଏନ ଏସ): ଗୁଣପୁରସ୍ଥିତ ମହର୍ଷି ଗୁରୁକୁଳ (ଏ ଟେକ୍ନୋ କନ୍ସେପ୍ଟ ସ୍କୁଲ) ପକ୍ଷରୁ ଏକ ଶିକ୍ଷାମୂଳକ ଭ୍ରମଣର ଆୟୋଜନ କରାଯାଇଥିଲା। ଏଥିରେ ୧୩୫ ଜଣ ଛାତ୍ରଛାତ୍ରୀଙ୍କ ସହ ୨୫ ଜଣ ଶିକ୍ଷକ ଓ କର୍ମଚାରୀ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀମାନେ ରାୟଗଡ଼ାସ୍ଥିତ ନାଗାବଳୀ ପ୍ଲାନେଟୋରିୟମ୍ ପରିଦର୍ଶନ କରି ମହାକାଶ ବିଜ୍ଞାନ, ସୌରମଣ୍ଡଳ ଓ ଗ୍ରହନକ୍ଷତ୍ର ସମ୍ପର୍କରେ ଜ୍ଞାନ ଆହରଣ କରିବା ସହ ଥେରୁବାଲି ଲକ୍ଷ୍ମୀନାରାୟଣ ମନ୍ଦିର ଦର୍ଶନ କରିଥିଲେ। ବିଜ୍ଞାନ ସମ୍ପର୍କରେ ବ୍ୟବହାରିକ ଜ୍ଞାନ ଆହରଣ ସହ ନିଜ ଐତିହ୍ୟ ଓ ସଂସ୍କୃତି ସହ ପରିଚିତ କରାଇବା ଏହି ଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବିଦ୍ୟାଳୟର ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ଶତପଥୀଙ୍କ ପରିଚାଳନାରେ ଏବଂ ଅଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ, ଉପାଧ୍ୟକ୍ଷ ଲୋକନାଥ ମିଶ୍ର, ସହସମ୍ପାଦକ ରାଜେଶ କୁମାର ପଣ୍ଡା ଓ ଯୁଗ୍ମ ସମ୍ପାଦକ କୃଷ୍ଣ ମାଧବ ଦାଶଙ୍କ ମାର୍ଗଦର୍ଶନରେ ଭ୍ରମଣଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀଙ୍କ ସହଯୋଗରେ ଛାତ୍ରଛାତ୍ରୀମାନେ ଏହି ଭ୍ରମଣରେ ଆନନ୍ଦ ସହ ଶିକ୍ଷଣୀୟ ଅନୁଭୂତି ହାସଲ କରିଥିଲେ।


