ଆସିକାର ୫ଟି ସରକାରୀ ହାଇସ୍କୁଲରେ ଖାଲି ପଡିଛି ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ

ଆସିକା (ୱାଇଏନ୍‍ଏସ୍‍) : ଆସିକା ବ୍ଳକ ଓ ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳରେ ଥିବା ଅଧିକାଂଶ ହାଇସ୍କୁଲ ଗୁଡିକ ଦୀର୍ଘ ଦିନ ହେଲା ନାନା ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଅଭିଯୋଗ ହେଉଛି । ଆସିକା ଅଞ୍ଚଳର କେତେକ ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକଙ୍କ ଠାରୁ ଆରମ୍ଭ କରି ସହକାରୀ ଶିକ୍ଷକ ପଦବୀ ଗୁଡିକ ଖାଲି ପଡିଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ନାନା ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଆସିକା ବ୍ଳକ ଓ ପୌର ପରିଷଦ ଅଧୀନସ୍ଥ ଅଞ୍ଚଳରେ ୧୬ଟି ସରକାରୀ ହାଇସ୍କୁଲ, ୪ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ଓ ୧୩ଟି ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲ ଥିବା ଜଣାପଡିଛି । ଆସିକା ଅଞ୍ଚଳରେ ଥିବା ୧୬ଟି ସରକାରୀ ହାଇସ୍କୁଲ (ମାଧ୍ୟମିକ ବିଦ୍ୟାଳୟ) ମଧ୍ୟରୁ ୧୧ଟି ସରକାରୀ ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ଥିବା ବେଳେ ଅବଶିଷ୍ଟ ୫ଟି ସରକାରୀ ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଦ୍ୱାରା ବିଦ୍ୟାଳୟ ଚାଲିଥିବା ଜଣାପଡିଛି । ବିଶେଷକରି ଭାରପ୍ରାପ୍ତ ପ୍ରଧାନଶିକ୍ଷକମାନଙ୍କ ଜରିଆରେ ଶିକ୍ଷାବିଭାଗ ପକ୍ଷରୁ କାମ ଚଳାଇନେବାର ପ୍ରୟାସ ଜାରି ରହିଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀ ଓ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଅଞ୍ଚଳର ୫ଟି ସରକାରୀ ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିଲା ବେଳେ ସେଗୁଡିକୁ ପୂରଣ କରାଯାଉନାହିଁ । ଯାହାରି ଫଳରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଦ୍ୱାରା ଏହିସବୁ ବିଦ୍ୟାଳୟ ପରିଚାଳିତ ହେଉଛି । ଜଣେ ଶିକ୍ଷକ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦାୟିତ୍ୱରେ ରହିବା ପରେ ସେ ଅଧିକାଂଶ ସମୟରେ ଆବଶ୍ୟକତା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ପାଠପଢା କ୍ଷେତ୍ରରେ ଅଧିକ ସମୟ ଦେବା କ୍ଷେତ୍ରରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଗୋଟିଏ ପଟେ ଅଧିକାଂଶ ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଓ ଅନ୍ୟପଟେ କେତେକ ବିଦ୍ୟାଳୟରେ ବହୁ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ପିଲାଙ୍କ ପାଠପଢାରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଥିବା ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ଅଞ୍ଚଳରେ ଥିବା ଅଧିକାଂଶ ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକଙ୍କ ଠାରୁ ଆରମ୍ଭ କରି ସହକାରୀ ଶିକ୍ଷକ ପଦବୀ ଖାଲି ପଡିଥିଲା ବେଳେ ସେଗୁଡିକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ପିଲାଙ୍କ ପାଠ ପଢା ନେଇ ବହୁ ଅଭିଭାବକ ଚିନ୍ତାରେ ପଡିଯାଇଥିବା ଅଭିଯୋଗ ହେଉଛି । ଖାଲି ପଡିଥିବା ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ପଦବୀ ପୂରଣ ହେଉନଥିବା ଯୋଗୁଁ ପିଲାଙ୍କର କିଭଳି ଭବିଷ୍ୟତ ଉଜ୍ଜଳ ହେବ ତାହା ସହଜରେ ଅନୁମେୟ । ଆସିକା ପୌର ପରିଷଦ ଅଧିନସ୍ଥ ଶତାୟୁ ପୁରାତନ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଏନ୍‍ଏସି ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ବରଗାଁ ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟ, ରିଷିପୁର ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ସ୍ଥାୟୀ ପ୍ରଧାନଶିକ୍ଷକ ଖାଲି ପଡିଥିଲା ବେଳେ ଦାୟିତ୍ୱରେ ଥିବା ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କୁ ପାଠ ପଢାଇବା ସାଙ୍ଗକୁ ବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ତଦାରଖ କରୁଥିବା ଦେଖିବାକୁ ମିଳୁଛି । ଶିକ୍ଷା ବ୍ୟବସ୍ଥାର ଉନ୍ନତି ସମେତ ଶିକ୍ଷାର ଆଧୁନିକତା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି । କିନ୍ତୁ ଆସିକା ବ୍ଳକ ଓ ପୌର ପରିଷଦ ଅଧୀନସ୍ଥ ଅଧିକାଂଶ ହାଇସ୍କୁଲ ଗୁଡିକରେ ଲାଗି ରହିଥିବା ଶିକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଦିଗରେ ପଦକ୍ଷେପ ନେଉନଥିବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକାର ୫ଟି ସରକାରୀ ହାଇସ୍କୁଲ ଗୁଡିକରେ ଖାଲି ପଡିଥିବା ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଓ ସମସ୍ତ ହାଇସ୍କୁଲ ଗୁଡିକରେ ଖାଲି ପଡିଥିବା ସହକାରୀ ଶିକ୍ଷକ ପଦବୀ ପୂରଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ