କାର୍ତ୍ତିକ ପଞ୍ଚୁକରେ ଶ୍ରୀ ବିଗ୍ରହ ମାନଙ୍କ ପାଞ୍ଚ ବେଶ


ସନ୍ତୋଷ କୁମାର ଦାଶ

କାର୍ତ୍ତିକ ମାସ ବର୍ଷକର ସବୁଠାରୁ ପବିତ୍ର ଓ ଧର୍ମ ମାସ ଭାବେ କୁହା ଯାଇଥାଏ। କାର୍ତ୍ତିକ ମାସ ସାରା ଶ୍ରୀ ମନ୍ଦିର ରେ ଅନେକ ବିଶେଷ ନୀତି ମାନ ଅନୁଷ୍ଠିତ ହୋଇଥାଏ। ଶ୍ରୀ ବିଗ୍ରହ ମାନେ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ ମାସ ସାରା ଅର୍ଥାତ କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ ତିଥି ପର୍ଯ୍ୟନ୍ତ ରାଇ ଦାମୋଦର ବେଶ ରେ ସଜ୍ଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବେଶ ସମ୍ପର୍କ ରେ ଏକ ସୁନ୍ଦର କିମ୍ୱଦନ୍ତୀ ରହିଛି। ଦ୍ଵାପର ଯୁଗରେ ଗୋପୀ ମାନେ କାର୍ତ୍ତିକ ବ୍ରତ ରଖି ଯମୁନା କୂଳରେ ରାଇ ଦାମୋଦର ଙ୍କୁ ଆରାଧନା କରୁଥିଲେ। ସେଥିପାଇଁ ଶ୍ରୀ ମନ୍ଦିର ରେ ଶ୍ରୀ ବିଗ୍ରହ ମାନଙ୍କ ରାଇ ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ତେବେ କାର୍ତ୍ତିକ ମାସ ର ଶେଷ ପାଞ୍ଚ ଦିନ କୁ ପଞ୍ଚୁକ ବା ଭୀଷ୍ମ ପଞ୍ଚକ କୁହାଯାଇଥାଏ। ଏହି ପାଞ୍ଚ ଦିନ ଶ୍ରୀ ବିଗ୍ରହ ମାନଙ୍କର ପାଞ୍ଚୋଟି ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ ବୋଲି ଶ୍ରୀ ଜଗନ୍ନାଥ ଙ୍କ ଜାନିଯାତ୍ରା ପୁସ୍ତକ ରେ ଉଲ୍ଲେଖ ରହିଛି। ପଞ୍ଚୁକ ର ପ୍ରଥମ ଦିନ କାର୍ତ୍ତିକ ଶୁକ୍ଳ ଏକାଦଶୀ ରେ ଶ୍ରୀ ବିଗ୍ରହ ମାନଙ୍କ ଲକ୍ଷ୍ମୀନାରାୟଣ ବା ଠିଆକିଆ ବେଶ ଅନୁଷ୍ଠିତ ହୋଇଥାଏ। ଅନ୍ୟାନ୍ୟ ସମସ୍ତ ଅଳଙ୍କାର ଥାଇ ସୁବର୍ଣ୍ଣ କର, ପୟର , ହଳ, ଲଙ୍ଗଳ, ଶଙ୍ଖ, ଚକ୍ର ଲାଗି ହୋଇ ଥାଏ । ତ୍ରିମୁଣ୍ଡି ଚୂଳ ପରିବର୍ତ୍ତେ କୁଣ୍ଡଳ ଉପର ସମାନ ଭାବରେ ‘ସୁବର୍ଣ୍ଣ ଚନ୍ଦ୍ରିକା’ ଚୂଳ ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵରେ ସମାନ ଭାବରେ ଖଞ୍ଜା ଯାଇଥାଏ । ଆଚାରୀ ବୈଷ୍ଣବ ମାର୍ଗୀ ମାଗଧି ସମ୍ପ୍ରଦାୟ ପକ୍ଷରୁ ଏହି ଦିନ ‘ମହନ୍ତେଇ ଶାଢ଼ୀ’ ବନ୍ଦା ଯାଇଥାଏ। ପଞ୍ଚୁକ ର ଦ୍ଵିତୀୟ ଦିନ ଅର୍ଥାତ ଶୁକ୍ଳ ଦ୍ଵାଦଶୀ ଦିନ ଶ୍ରୀ ବିଗ୍ରହ ମାନଙ୍କ ବାମନ ବା ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶ ଲକ୍ଷ୍ମୀ ନାରାୟଣ ବେଶ ଠାରୁ ବିଶେଷ ଭିନ୍ନ ନ ହୋଇ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ଼ଖୋସା ପଡ଼ିଥାଏ । ଶିର ରେ ସୁବର୍ଣ୍ଣ ଚୂଳ ଲାଗି ହୋଇଥାଏ । ଗୋପାଳ ତୀର୍ଥ ମଠ, ମହୀ ପ୍ରକାଶ ମଠ, ସ୍ମାତ ସମ୍ପ୍ରଦାୟ ପକ୍ଷରୁ ଏହି ବେଶ ର ଉପକରଣ ସବୁ ଯୋଗାଇ ଦିଆ ଯାଇଥାଏ। ବାମନ ରୂପରେ ଶ୍ରୀ ବିଗ୍ରହ ମାନେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ତୃତୀୟ ଦିନ ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହ ମାନଙ୍କର ତ୍ରିବିକ୍ରମ ବା ଆଡକିଆ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ଶିର-ଶୃଙ୍ଗାର ର ଆକର୍ଷଣ ବେଶୀ ଥିବାର ଦେଖାଯାଏ ।ଏଇ ବେଶ ଅତିବଡ଼ି ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ ବେଶ ବୋଲି ବିବେଚନା କରାଯାଏ।
ପଞ୍ଚୁକ ର ଚତୁର୍ଥ ଦିନ ଅର୍ଥାତ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଜଗନ୍ନାଥ ଙ୍କର ନୃସିଂହ ବା ଡାଳକିଆ ବେଶ ଅନୁଷ୍ଠିତ ହୋଇଥାଏ। ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କ ଶ୍ରୀ ଭୂଜ ରେ ହଳ ଓ ଲଙ୍ଗଳ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଶ୍ରୀ ଭୁଜ ରେ ଶଙ୍ଖ ଓ ଚକ୍ର ଶୋଭା ପାଏ । କିଆ, ନଖଞ୍ଜି ଫଳ, ଫୁଲ, ଭଣ୍ଡାଚୂଳ ଲାଗି ହୋଇ ଦଶାବତାର ମାଳି, ପଦକ ମାଳି, ଆଦି ସୁବର୍ଣ୍ଣ ଅଳଙ୍କାର ରେ ଶ୍ରୀ ବିଗ୍ରହ ମାନେ ଭୂଷିତ ହୁଅନ୍ତି। ନୃସିଂହ ରୂପେ ଶ୍ରୀ ଜଗନ୍ନାଥଙ୍କୁ ଆରାଧନା କରାଯାଏ ।
ପଞ୍ଚୁକ ର ଶେଷଦିନ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶ୍ରୀ ବିଗ୍ରହ ମାନଙ୍କର ରାଜ ରାଜେଶ୍ଵର ବା ସୁନାବେଶ ଅନୁଷ୍ଠିତ ହୋଇଥାଏ ।ଏହି ଦିନ କାର୍ତ୍ତିକ ବ୍ରତ ର ସମାପନ ହେଉଥିବାରୁ ଶ୍ରୀ ବିଗ୍ରହ ମାନଙ୍କୁ ରାଜନୀତି ବନ୍ଦାପନା କରା ଯାଇଥାଏ। ଶ୍ରୀ ବିଗ୍ରହ ମାନଙ୍କୁ ନାନାଦି ସ୍ଵର୍ଣ୍ଣ ଓ ରୌପ୍ୟ ଅଳଙ୍କାର ରେ ସଜ୍ଜିତ କରାଯାଇ ଥାଏ। ରଥ ଯାତ୍ରା ସମୟରେ ରଥ ଉପରେ ଶ୍ରୀ ବିଗ୍ରହ ମାନଙ୍କ ସୁନା ବେଶ ଯେପରି ପ୍ରସିଦ୍ଧ ବେଶ ଅଟେ ସେହିପରି ରତ୍ନ ସିଂହାସନ ଉପରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶ୍ରୀ ବିଗ୍ରହ ମାନଙ୍କ ସୁନାବେଶ ( ରାଜାଧିରାଜ) ବେଶ ମଧ୍ଯ ପ୍ରସିଦ୍ଧ ଅଟେ। ଶ୍ରୀ ବିଗ୍ରହ ମାନଙ୍କ ସୁନା ବେଶ ଅନୁଷ୍ଠିତ ହେବା ପରେ ପଣ୍ଡା, ପତି ମହାପାତ୍ର, ମୁଦିରସ୍ତ ସେବକ ମାନେ ଶ୍ରୀ ବିଗ୍ରହ ମାନଙ୍କୁ ସପ୍ତ ବନ୍ଦାପନା କରିଥାନ୍ତି। ଯେଉଁ ବର୍ଷ ପଞ୍ଚୁକ ଛଅ ଦିନ ପଡ଼େ ମଳ ତିଥି ରେ ଶ୍ରୀ ବିଗ୍ରହ ମାନଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ। ଏହା ଏକ ବୀର ବେଶ
ହୋଇଥିବାରୁ ଏହି ବେଶ ରେ ଶ୍ରୀ ବିଗ୍ରହ ମାନେ ତ୍ରୀକଛ ପରିଧାନ କରିବା ସହିତ ଶିର ରେ ହାଣ୍ଡିଆ, ବଡ଼ଫୁଲ, ବାଘ ନଖ, ସ୍କନ୍ଦ ଦେଶ ରେ କାଣ୍ଡ ଧନୁ, ଶରଫୁଟ, ହସ୍ତ ରେ ଓଳମାଳ, କଟି ରେ ଢାଲ, ବାଙ୍କ ଛୁରୀ, ଭାଲା ପ୍ରଭୃତି ଅସ୍ତ୍ରଶସ୍ତ୍ର ଧାରଣ କରିଥାନ୍ତି। ଏହି ବେଶ ଶ୍ରୀ ବିଗ୍ରହ ମାନଙ୍କ ବିରଳ ବେଶ ଅଟେ। ଏହାକୁ ପର୍ଶୁରାମ ବେଶ ବୋଲି ମଧ୍ୟ କୁହାଯାଇ ଥାଏ। ଚଳିତ ବର୍ଷ ପଞ୍ଚୁକ
ଚାରି ଦିନ ପଡୁଥିବାରୁ ଶ୍ରୀ ଜିଉ ମାନଙ୍କ ବାମନ ବେଶ ବା ବାଙ୍କଚୁଡ଼ା ବେଶ ଅନୁଷ୍ଠିତ ହେବ ନାହିଁ। ଆଉ ସବୁ ବେଶ ଯଥାବିଧି ଅନୁଷ୍ଠିତ ହେବ। ଜୟ ଜଗନ୍ନାଥ ସ୍ଵାମୀ।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ