ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ପ୍ରଥମ ଦିନରେ ହରିୟାଣାର ଦୃଢ଼ ସ୍ଥିତି, ୩୨୦/୩ରେ ଖେଳ ଶେଷ
କଟକ, (ଓ୍ବାଇଏନଏସ): ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଏଲିଟ୍-ସି (ଅଣ୍ଡର-୧୬) ମଲ୍ଟି ଡେ’ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଓ ହରିୟାଣା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ର ପ୍ରଥମ ଦିନରେ ହରିୟାଣା ଦୃଢ଼ ସ୍ଥିତିରେ ରହିଛି। କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ର ନାଭୁଲେ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଓଡ଼ିଶା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହରିୟାଣା ଦଳ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୯୦ ଓଭରରେ ୩ ୱିକେଟ୍ ହରାଇ ୩୨୦ ରନ୍ ସଂଗ୍ରହ କରିଛି। ହରିୟାଣା ପକ୍ଷରୁ ଯଶବର୍ଦ୍ଧନ ରାଠୀ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଅପରାଜିତ ୧୪୪ ରନ୍ କରିଛନ୍ତି। ସେ ୨୮୬ଟି ବଲ୍ର ସମ୍ମୁଖୀନ ହୋଇ ୧୨ଟି ଚୌକା ଓ ୨ଟି ଛକା ମାରିଛନ୍ତି। ସେହିପରି ବିରାଟ ତ୍ୟାଗୀ ୮୦ଟି ବଲ୍ରୁ ୧୦ଟି ଚୌକା ଓ ଗୋଟିଏ ଛକା ସହ ୬୨ ରନ୍ର ଉପଯୋଗୀ ଇନିଂସ ଖେଳିଛନ୍ତି। ଓଡ଼ିଶା ପକ୍ଷରୁ ସିଦେଶ୍ୱର ବାଗ ୧୩ ଓଭର ବୋଲିଂ କରି ୩୮ ରନ୍ ବ୍ୟୟରେ ଗୋଟିଏ ୱିକେଟ୍ ହାସଲ କରିଥିବା ବେଳେ ସୁଭମ ପରିଡ଼ା ୩୩ ଓଭରରେ ୧୦୫ ରନ୍ ବ୍ୟୟ କରି ଗୋଟିଏ ୱିକେଟ୍ ନେଇଛନ୍ତି। ପ୍ରଥମ ଦିନର ଖେଳ ଶେଷରେ ହରିୟାଣା ୩୨୦/୩ ସ୍କୋର ସହ ମ୍ୟାଚ୍ରେ ନିଜର ସ୍ଥିତି ମଜଭୁତ କରିଛି।


