ବାତ୍ୟା ‘ଆକ୍ବାନ୍’ ମୁକାବିଲା ପାଇଁ କଟକ ମହାନଗର ନିଗମର ବ୍ୟାପକ ପ୍ରସ୍ତୁତି

କଟକ, (ଓ୍ବାଇଏନଏସ): ସମ୍ଭାବ୍ୟ ବାତ୍ୟା ‘ଆକ୍ବାନ୍’ ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ସହ ଜିରୋ କାଜୁଆଲିଟି ଲକ୍ଷ୍ୟକୁ ଗୁରୁତ୍ୱ ଦେଇ ନିଗମ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ବିଜୁ ଭବନସ୍ଥିତ ସିଏମ୍‌ସି କାର୍ଯ୍ୟାଳୟରେ ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ସହରର ତଳିଆ ଅଞ୍ଚଳରେ ଯେପରି ଜଳବନ୍ଦୀ ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଆବଶ୍ୟକ ସଂଖ୍ୟକ ପାଣି ପମ୍ପ ମହଜୁଦ ରଖିବାକୁ ମେୟର ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ପଡ଼ିଲେ ତଳିଆ ଓ ଅସୁରକ୍ଷିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ଖାଦ୍ୟ ଓ ମୌଳିକ ସୁବିଧା ଯୋଗାଇବାକୁ ମଧ୍ୟ କୁହାଯାଇଛି। ନିଗମର ସୂଚନା ଅନୁସାରେ, ସହରର ୯୪ଟି ବାତ୍ୟା ଆଶ୍ରୟସ୍ଥଳୀରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଏଥିସହ ୩୬ଟି ଅସୁରକ୍ଷିତ ସ୍ଥାନରୁ ୪,୫୨୦ ଜଣଙ୍କୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଉଛି। ଜରୁରୀକାଳୀନ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ୧୭ଟି ସେକ୍ଟର ଅଫିସ୍ ଗଠନ କରାଯାଇଛି। ସେଠାରେ ଜେନେରେଟର, ପାଣି ଟ୍ୟାଙ୍କର, ମହମବତୀ ଆଦି ଜରୁରୀ ସାମଗ୍ରୀ ମହଜୁଦ ରଖାଯାଇଛି। ସେହିପରି ଜଳ ନିଷ୍କାସନ ପାଇଁ ୩୧୦ଟି ପାଣି ପମ୍ପ ଓ ୨୦ଟି ଦମକଳ ପାଣି ପମ୍ପ ପ୍ରସ୍ତୁତ ରଖାଯାଇଛି। ରାସ୍ତା ସଫା, ଗଛ କାଟିବା ଓ ଉଦ୍ଧାର କାର୍ଯ୍ୟ ପାଇଁ ୩ଟି ଜେସିବି, ୩ଟି ହାଇଡ୍ରା, ୭ଟି ଟ୍ରାକ୍ଟର ଏବଂ ୨୦ ଜଣିଆ ଟିମ୍ ନିୟୋଜିତ ହେବେ। ଅନ୍ୟପକ୍ଷରେ ୱାଟକୋ ପକ୍ଷରୁ ୮୦ଟି ପାୱାର ଜେନେରେଟର, ୮୦ଟି ପାଣି ଟ୍ୟାଙ୍କର ଓ ୨୦ ଜଣିଆ ଟିମ୍‌କୁ ୨୪ ଘଣ୍ଟିଆ ଡ୍ୟୁଟିରେ ରଖିବାର ବ୍ୟବସ୍ଥା ହୋଇଛି। ବାତ୍ୟା ଓ ବର୍ଷା ସମୟରେ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିବ। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ଏନଫୋର୍ସମେଣ୍ଟ ଟିମ୍‌କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ବାତ୍ୟାରେ ଗଛ କିମ୍ବା ଅନ୍ୟ ସାମଗ୍ରୀ ପଡ଼ି ରାସ୍ତା ଅବରୋଧ ହେଲେ ଏକ ଘଣ୍ଟା ମଧ୍ୟରେ ତାହା ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ରହିଛି। ବୈଠକରେ ଡେପୁଟି ମେୟର ଦମୟନ୍ତୀ ମାଝୀ, ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, କର୍ପୋରେଟର, ସିଏମ୍‌ସିର ବିଭାଗୀୟ ଅଧିକାରୀ, ୱାଟକୋ ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କଟକବାସୀଙ୍କ ସୁରକ୍ଷା ନିଗମର ସର୍ବୋଚ୍ଚ ପ୍ରାଥମିକତା ଏବଂ ଯେକୌଣସି ପରିସ୍ଥିତିରେ ସମସ୍ତ ବିଭାଗ ସମନ୍ୱୟ ରଖି କାର୍ଯ୍ୟ କରିବେ ବୋଲି ମେୟର କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ