ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହେଲେ ଛାତ୍ରୀ ସାଲୋନୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କୁଶପଡା ପଞ୍ଚାୟତ ଅନ୍ତର୍ଗତ ପତାଣ୍ଡ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ଏସ୍. ସାଲୋନୀ ଦୋରା ରାଜ୍ଯସ୍ତରୀୟ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରତିଯୋଗିତାକୁ ମନୋନୀତ ହୋଇଥିବା ଜଣାପଡିଛି। ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ ମ୍ଯୁନିସିପାଲଟି ବିଦ୍ୟାଳୟ ଠାରେ ଆୟୋଜିତ ଗଞ୍ଜାମ ଜିଲାସ୍ତରୀୟ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରତିଯୋଗିତାରେ ଛାତ୍ରୀ ସାଲୋନୀ ପୋଖରୀରେ ବ୍ୟବହୃତ ସାନିଟାରୀ ପ୍ୟାଡ଼ ଦ୍ୱାରା ସୃଷ୍ଟି ପ୍ରଦୂଷଣ , ସୁରକ୍ଷିତ ନିଷ୍କାସନ, ବିଘଟନ ଏବଂ ସଡ଼କ ଓ ସ୍ତମ୍ଭ ନିର୍ମାଣରେ ତାହାକୁ ପୁନଃ ବ୍ୟବହାରର ଏକ ନୂତନ ପଦ୍ଧତି ଉପରେ ଆଧାରିତ ଏକ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ପ୍ରଦର୍ଶନୀ ରେ ଜିଲା ର ୨୨ ଟି ବ୍ଳକରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ଶ୍ରେଷ୍ଠ ୭ ଟି ପ୍ରକଳ୍ପକୁ ରାଜ୍ଯସ୍ତରୀୟ ପ୍ରତିଯୋଗିତା ନିମନ୍ତେ ମନୋନୀତ କରାଯାଇଥିବା ବେଳେ ଦିଗପହଣ୍ଡି ବ୍ଲକ ପତାଣ୍ଡ ଗ୍ରାମ ଉନ୍ନୀତ ବିଦ୍ୟାଳୟର ସାଲୋନୀ ଙ୍କ ଦ୍ଵାରା ନିର୍ମିତ ପ୍ରକଳ୍ପ ଟି ଉପସ୍ଥିତ ବିଚାରକ ଏବଂ ଅତିଥି ମାନଙ୍କୁ ଆକର୍ଷିତ କରିଥିଲା । ଅତିଥିବୃନ୍ଦ ଛାତ୍ରୀ ସାଲୋନୀ ଓ ତାଙ୍କ ଗାଇଡ଼ ବିଜ୍ଞାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳୀ ମହାପାତ୍ର ଙ୍କୁ ସମ୍ମାନିତ କରିବା ସହ ରାଜ୍ଯସ୍ତରରେ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ଏହି ପ୍ରକଳ୍ପ ମନୋନୀତ କରିଥିବା ଜଣାପଡିଛି । ଖବର ପ୍ରଚାରିତ ହେବା ପରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବୃନ୍ଦ,ଗ୍ରାମ ର ବହୁ ଅଭିଭାବକ ଛାତ୍ରୀ ସାଲୋନି ଏବଂ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟସ୍ତରୀୟ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରତିଯୋଗିତା ନିମନ୍ତେ ଛାତ୍ରୀ ସାଲୋନି ଙ୍କ ପ୍ରକଳ୍ପ କୁ ମନୋନୀତ କରାଯାଇଥିବାରୁ ତାଙ୍କୁ ସହଯୋଗ କରିଥିବା ଉନ୍ନୀତ ବିଦ୍ୟାଳୟ ର ପ୍ରଧାନଶିକ୍ଷୟତ୍ରୀ ରଶ୍ମିତା ମହାପାତ୍ର , ଅତିଥି ତଥା ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଡ଼.ଶଙ୍କର ନାରାୟଣ ବେଜ, ଗୋକୁଳ ପଣ୍ଡା ଙ୍କୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ତଥା ଗାଇଡ ପୁଷ୍ପାଞ୍ଜଳି ମହାପାତ୍ର କୃତଜ୍ଞତା ଜ୍ଞାପନ କରିଛନ୍ତି।


