ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

କୋରାପୁଟ,  (ହେମନ୍ତ ପାଣିଗ୍ରାହୀ) : ଭକ୍ତି, ବିଶ୍ୱାସ ଓ ଆଧ୍ୟାତ୍ମିକ ଚେତନାର ଅପୂର୍ବ ସମାଗମରେ ମୁଖରିତ ହୋଇଉଠିଛି କୋରାପୁଟ ଜିଲ୍ଲାର ଗ୍ରାମାଞ୍ଚଳ। ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଅବସରରେ ଗାଁଠୁ ଗାଁ ଆରମ୍ଭ ହୋଇଛି ହରିନାମ ସଂକୀର୍ତ୍ତନ ଓ ନାମଯଜ୍ଞର ପବିତ୍ର ଆୟୋଜନ। ଶଙ୍ଖ, ଘଣ୍ଟ, ମୃଦଙ୍ଗ ଓ ଝାଞ୍ଜର ତାଳେ ତାଳେ ଗୁଞ୍ଜରିତ ହେଉଛି ପ୍ରଭୁ ଶ୍ରୀରାମଙ୍କ ପବିତ୍ର ନାମ। ଏହି ଭକ୍ତିମୟ ଧାରାରେ ସାମିଲ ହୋଇଛି ଲକ୍ଷ୍ମୀପୁର ବ୍ଲକର ବୁର୍ଜା ଗ୍ରାମ। ଗ୍ରାମରେ ପ୍ରଥମଥର ପାଇଁ ଆୟୋଜିତ ଅଷ୍ଟପ୍ରହରୀ ନାମଯଜ୍ଞକୁ ନେଇ ସମଗ୍ର ଅଞ୍ଚଳରେ ଏକ ପବିତ୍ର ଓ ଆଧ୍ୟାତ୍ମିକ ପରିବେଶର ଅବତାରଣା ହୋଇଛି। ଏହି ଅବସରରେ ଶ୍ରଦ୍ଧା ଓ ନିଷ୍ଠାର ସହ ଆୟୋଜିତ ହୋଇଥିଲା ପବିତ୍ର କଳସ ଯାତ୍ରା। ଗ୍ରାମର ମହିଳା ଓ ଶ୍ରଦ୍ଧାଳୁମାନେ ମୁଣ୍ଡରେ କଳସ ଧାରଣ କରି ଭକ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବୁର୍ଜା ନଦୀ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ୧୦୮ଟି କଳସରେ ପବିତ୍ର ଜଳ ସଂଗ୍ରହ କରି ପୁନର୍ବାର ନାମଯଜ୍ଞ ମଣ୍ଡପକୁ ଫେରିଥିଲେ। ପରେ ବୈଦିକ ରୀତିନୀତି ଅନୁସାରେ ମଣ୍ଡପରେ ୧୦୮ଟି କଳସ ସ୍ଥାପନ କରାଯାଇଥିଲା। ଏହି ପବିତ୍ର ଅନୁଷ୍ଠାନରେ ଅଞ୍ଚଳର ନଅଟି ସଂକୀର୍ତ୍ତନ ଦଳ ଯୋଗଦେଇ ଅଖଣ୍ଡ ହରିନାମ ଗାନ କରିଥିଲେ। ହରିନାମର ମଧୁର ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ଗ୍ରାମର ପରିବେଶ। ଗ୍ରାମବାସୀଙ୍କ ସାମୂହିକ ଶ୍ରଦ୍ଧା, ସହଯୋଗ ଓ ଭକ୍ତିଭାବ ଏହି ଆୟୋଜନକୁ ଏକ ସ୍ମରଣୀୟ ଧାର୍ମିକ ଉତ୍ସବରେ ପରିଣତ କରିଥିଲା। ଶନିବାର ଦଧିହାଣ୍ଡି ଭଙ୍ଗା ଉତ୍ସବ ସହ ବୁର୍ଜା ଗ୍ରାମର ଅଷ୍ଟପ୍ରହରୀ ନାମଯଜ୍ଞର ପରିସମାପ୍ତି ଘଟିଥିଲା। ଅନ୍ୟପକ୍ଷରେ, ଲକ୍ଷ୍ମୀପୁର ବ୍ଲକର ବନ୍ଦିକାର ଗ୍ରାମରେ ଶନିବାରଠାରୁ ଷୋହଳପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଛି। ପଞ୍ଚୁକର ଏହି ପବିତ୍ର ଅବସରରେ ହରିନାମର ଅମୃତଧାରା ଗ୍ରାମାଞ୍ଚଳରେ ଭକ୍ତି ଓ ଆଧ୍ୟାତ୍ମିକତାର ନୂତନ ସଞ୍ଚାର କରିବା ସହ ମଣିଷ ମନରେ ଶାନ୍ତି, ସଦ୍‌ଭାବ ଓ ସାମୂହିକ ଏକତାର ବାର୍ତ୍ତା ପ୍ରସାର କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ