କୋରାପୁଟ ଲୋକସଭା- ପୁରୁଣା ଓ ନୂଆ ମଧ୍ୟରେ ଲଢେଇ ।
କୋରାପୁଟ (ନୀରଜ ଶତପଥ) : କୋରାପୁଟ ଲୋକସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର । ବିଜେପି ପାଇଁ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ପାଇଁ ମୂଖ୍ୟମନ୍ତ୍ରୀ ପ୍ରଚାର କରିବା ପରେ କିଏ ଏଠି ବାଜି ମାରିବ, ତାହା ଉପରେ ସମସ୍ତଙ୍କ ନଜର । କଂଗ୍ରେସ ଗଡରେ ବିଜେଡି ମହିଳା କାର୍ଡ ଖେଳି ହ୍ୟାଟ୍ରିକ ଲକ୍ଷରେ ଥିବାବେଳେ, ବିଜେପି ଏଥର ଭେଟରାନ ଜୟରାମ ପାଂଗିଙ୍କୁ ପ୍ରାର୍ଥୀ କରିଛି । ତେବେ କଂଗ୍ରେସ ପୁରୁଣା ଗଡ ଭାବରେ ନବାଗତଙ୍କୁ ଟିକେଟ ଦେଇ ଗୋଟିଏ ସୁଯୋଗ ନେଇଛି ।
୭ଟି ବିଧାନସଭା ନିର୍ବାଚନ ମଣ୍ଡଳିକୁ ନେଇ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳି ଗଠିତ । ଏଥି ମଧ୍ୟରେ କୋରାପୁଟ ଜିଲ୍ଲାର ପଟାଂଗି(ଆଦିବାସୀ), କୋରାପୁଟ(ହରିଜନ), ଜୟପୁର(ସାଧାରଣ) ଏବଂ ଲକ୍ଷ୍ମିପୁର(ଆଦିବାସୀ) ଏହିପରି ୪ଟି ନିର୍ବାଚନ ମଣ୍ଡଳି ଅନ୍ତର୍ଭୂକ୍ତ ରହିଥିବା ବେଳେ, ରାୟଗଡା ଜିଲ୍ଲାର ଗୁଣୁପୁର(ଆଦିବାସୀ), ବିଷମକଟକ(ଆଦିବାସୀ) ଏବଂ ରାୟଗଡା(ଆଦିବାସୀ), ଏହିପରି ୩ଟି ନିର୍ବାଚନ ମଣ୍ଡଳି ଅନ୍ତର୍ଭୂକ୍ତ ।
କୋରାପୁଟ ଜିଲ୍ଲାର ୪ଟି ଏବଂ ରାୟଗଡା ଜିଲ୍ଲାର ୩ଟି ଏହିପରି ୭ଟି ବିଧାନସଭା ନିର୍ବାଚନ ମଣ୍ଡଳିକୁ ନେଇ ଗଠିତ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳି ଉପରେ ଏବେ ସମସ୍ତଙ୍କ ନଜର ରହିଛିି । ନିଜ ନିଜ ବିଧାନସଭା ମଣ୍ଡଳିର ପ୍ରାର୍ଥୀ ମାନଙ୍କ ସହିତ ସାଂସଦ ପ୍ରାର୍ଥୀ ମାନେ ସାପ୍ତାହିକ ହାଟରେ ପ୍ରଚାର କରିଛନ୍ତି । ୯ ତାରିଖରେ ପ୍ରଚାର ଶେଷ ହେଉଥିବାରୁ ଦିନବେଳେ ହାଟକୁ ମାଧ୍ୟମ କରିଥିବାବେଳେ, ରାତିରେ ଗାଁ ମୁହାଁ ହେଉଛନ୍ତି ପ୍ରାର୍ଥୀମାନେ । ବିଶେଷ କରି କୋରାପୁଟ ଲୋକସଭା ଆସନ ପାଇଁ ତ୍ରିମୂଖୀ ପ୍ରତିଦ୍ୱନ୍ଦିତା ହେବ । ତେବେ ବିଜେପିର ଜୟରାମ ପାଂଗିଙ୍କ ପାଇଁ କେନ୍ଦ୍ର ମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନ ରାୟଗଡାର କାଶୀପୁର ଏବଂ କୋରାପୁଟର ଲକ୍ଷ୍ମିପୁର ଠାରେ ପ୍ରଚାର କରିଥିବାବେଳେ, ବିଜେଡିର କୌଶଲ୍ୟା ହିକକା ପାଇଁ ମୂଖ୍ୟମନ୍ତ୍ରି ନବିନ ପଟ୍ଟନାୟକ କୋରାପୁଟ ଏବଂ ରାୟଗଡା ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳିରେ ପ୍ରଚାର କରିଛନ୍ତି । ପଛରେ ପଡି ଯ୍ଧବଥିବା କଂଗ୍ରେସ ନିଜର କର୍ମି ମାନଙ୍କୁ ନେଇ ପ୍ରଚାର ଚଲାଇଛି ।
ବିଜେଡି ମହିଳା କାର୍ଡ ଖେଳି ସାଂସଦ ଝିନ୍ନ ହିକକାଙ୍କ ପତ୍ନି କୌଶଲ୍ୟା ହିକକାଙ୍କୁ ଟିକେଟ ଦେଇ ଭେଟରାନ ଜୟରାମ ପାଂଗିଙ୍କୁ ଚେକମେଟ ଦେବା ପାଇଁ ଉଦ୍ୟମ କରିଛି । ତେବେ ମୂଖ୍ୟମନ୍ତ୍ରିଙ୍କ ଗସ୍ତର ପ୍ରଭାବ ନିଶ୍ଚିତ ଭାବରେ ଭୋଟରଙ୍କ ଉପରେ ପଡିବ ଏବଂ ବିଜେଡି ଚଳିତ ନିର୍ବାଚନରେ ବିଜୟି ହେବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିବା ବିଜେଡି ପ୍ରାର୍ଥୀନୀ କୌଶଲ୍ୟା ହିକକା ।
ଅନ୍ୟ ପକ୍ଷରେ କର୍ମୀ ମାନଙ୍କୁ ନେଇ ନିଜର ରଣ କୌଶଳ ପ୍ରୟୋଗ କରିଛନ୍ତି ନବାଗତା କଂଗ୍ରେସର ସପ୍ତଗିରି ଉଲାକା । ସ୍ୱର୍ଗତ ରାମଚନ୍ଦ୍ର ଉଲାକାଙ୍କ ସୁପୁତ୍ର ସପ୍ତଗିରି ଉଲାକା ବିଭିନ୍ନ ନିର୍ବାଚନ ମଣ୍ଡଳି ଗସ୍ତ କରି କର୍ମି ମାନଙ୍କ ମନରେ ଉତ୍ସାହ ଭରିବା ସହିତ କଂଗ୍ରେସ ଆସିଲେ କଣ କଣ କରିବେ ସେ ନେଇ ଲୋକଙ୍କୁ ବୁଝାଇବା ସହିତ ପୁଣି ଥରେ କଂଗ୍ରେସ ତାର ପୁର୍ବ ଗୌରବ ଫେରି ପାଇବା ଆଶା ରଖିଛନ୍ତି ।
କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳି ପୂର୍ବରୁ କଂଗ୍ରେସର ଗଡ ଥିଲା । ତେବେ ଗତ ୨୦୦୯ ମସିହାରେ ହøାଇଥିବା ନିର୍ବାଚନରେ କଂଗ୍ରେସର ଏହି ଅଭେଦ ଦୁର୍ଗ ମଧ୍ୟରେ ପ୍ରବେଶ କରିବାରେ ସଫଳ ହୋଇଥିଲା ବିଜେଡି । କଂଗ୍ରେସର ଗିରିଧାରି ଗମାଂଗୋଙ୍କୁ ପରାସ୍ତ କରି ବିଜେଡିର ଜୟରାମ ପାଂଗି ବିଜୟି ହୋଇଥିଲେ । ତେବେ ଏହି ବିଜୟ ହାସଲ କରିବା ପାଇଁ ତାଙ୍କୁ ୭ ଥର ପରାସ୍ତ ହେବାକୁ ପଡିଥିଲା । ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଜୟରାମ ପାଂଗିଙ୍କୁ ବିଜେପି ଏଥର ମଇଦାନକୁ ଓହ୍ଲାଇଛି । ତାଙ୍କ ବିପକ୍ଷରେ ରହିଛନ୍ତି ନବାଗତା ବିଜେଡିର କୌଶଲା ହିକକା, ଯିଏକି ପ୍ରଥମ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେହିପରି କଂଗ୍ରେସର ସପ୍ତଗିରି ଉଲାକା ମଧ୍ୟ ନବାଗତ । କେବଳ ଦଳିୟ ଆଧାରରେ ନବାଗତ ଦୁହେଁ ଲଢେଇ କରୁଥିବାବେଳେ । ପୁରୁଣା ଓ ନୂଆ ମଧ୍ୟରେ ଏଠାରେ ଲଢେଇ ହେବ ।
ଗତ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଝିନ୍ନ ହିକକା ୩ ଲକ୍ଷ ୯୫ ହଜାରରୁ ଅଧିକ ଭୋଟ ପାଇଥିବାବେଳେ, କଂଗ୍ରେସର ଗିରିଧର ଗମାଂଗୋ ୩ ଲକ୍ଷ ୭୫ ହଜାର ୭୮୧ ଭୋଟ ପାଇଥିଲେ । ତେବେ ବିଜେପିର ଶିବ ଉଲାକା ୮୯ ହଜାର ୭୮୮ ଖଣ୍ଡ ଭୋଟ ପାଇଥିଲେ । ବିଜେଡି ପ୍ରାର୍ଥୀ ଏହି ନିର୍ବାଚନରେ ୨୦ ହଜାର ଭୋଟରେ ବିଜୟି ହୋଇଥିଲେ । କିନ୍ତୁ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟରାମ ପାଂଗି ଅନ୍ୟ ଦଳ ଉପରେ ହାବି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।


