୩୦ ଲିଟର ଦେଶୀ ମଦ ଜବତ କଲା ଅବକାରୀ ବିଭାଗ
ବନ୍ତ,(ଯୁଗାଦ୍ଧ ନିଜ୍ୟୁ) : ବୁଧବାର ବନ୍ତ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଚଢାଉ କରି ୩୦ ଲିଟର ଦେଶୀ ମଦ ଜବତ କରିବା ସହ ଏଥିରେ ସଂପୃକ୍ତ ୨ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରିଛି । ପ୍ରକାଶ ଯେ, ବନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଶୀ ଓ ବିଦେଶୀ ମଦ ଚୋରା କାରବାର ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା । ଗତ କିଛି ଦିନ ପୂର୍ବେ ପଧାନପଡା ଆଦିବାସୀ ସାହିରେ ଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ କରି ଶତାଧିକ ମହିଳା ଘେରାଉ କରିବା ପରେ ବନ୍ତ ଥାନା ପକ୍ଷରୁ ଚଢାଉ କରାଯାଇଥିଲା । ବର୍ତ୍ତମାନ ନିର୍ବାଚନ ପରିପେକ୍ଷୀରେ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କୌଣସି ସୂତ୍ରରୁ ଖବର ପାଇ ବୁଧବାର ଭୋର ସମୟରେ ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ଟି ସ୍ଥାନରେ ଚଢାଉ କରାଯାଇଥିଲା । ଗଭରପୁର ଗ୍ରାମର ପ୍ରଭାତ ବିଶ୍ୱାଳଙ୍କ ଠାରୁ ୧୫ଲିଟର, ମାଳତୀରା ଗ୍ରାମର ବିମ୍ବାଧର ସାମଲଙ୍କ ଠାରୁ ୮ଲିଟର ଏବଂ ଶାସନ ଗ୍ରାମର ମିନି ମୁଣ୍ଡାଙ୍କ ଠାରୁ ୭ଲିଟର ଦେଶୀ ମଦ ଜବତ ହୋଇଥିଲା । । ଏହି ଚଢାଉ ଭୋର ପ୍ରାୟ ୫ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା । ଉକ୍ତ ଚଢାଉରେ ଭଦ୍ରକ ଅବକାରୀ ବିଭାଗ ଇନ୍ସପେକ୍ଟର ଧନେଶ୍ୱର ବରାଦ୍, ଦୀପକ ରାଉତ, ପରେଶ ଚନ୍ଦ୍ର ଟୁଡୁ, ରଶ୍ମିରେଖା ଜେନା, ସନ୍ଧ୍ୟାରାଣୀ ସେନାପତି ପ୍ରମୁଖ ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ଭଦ୍ରକ ରେଞ୍ଜ ପକ୍ଷରୁ ୧/୧୯ ଏବଂ ଓଆଇସି, ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ୩/୧୯ ଓ ୪/୧୯ ମୂଳେ ମାମଲା ରୁଜ୍ଜୁ କରାଯାଇ ସଂପୃକ୍ତ ବ୍ୟକ୍ତି ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।


