ଭୋଟର ଲିଷ୍ଟ୍ରେ ଆପୋଲୋ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷଙ୍କ ନାଁ ନାହିଁ
ହାଇଦ୍ରାବାଦ୍(ଏଜେନ୍ସି): ଭୋଟର ଲିଷ୍ଟ୍ ପ୍ରସ୍ତୁତି ବେଳେ ସେଥିରେ ତ୍ରୁଟି ରହିବା ଆମ ଦେଶରେ ଏକ ଅଭ୍ୟାସଗତ ପ୍ରକ୍ରିୟାରେ ପରିଣତ ହୋଇସାରିଛି । ମାତ୍ର ଜଣେ ଉଚ୍ଚସ୍ଥାନ ଅଳଙ୍କୃତ କରିଥିବା ବ୍ୟକ୍ତିବିଶେଷଙ୍କ ଭୋଟର ଲିଷ୍ଟରେ ଆଦୌ ନାଁ ରହିବା ନିଶ୍ଚିତ ଭାବେ ଏକ ଗୁରୁତର ତ୍ରୁଟି ବୋଲି ଗ୍ରହଣ କରାଯିବ । ଆଜି ଏସମ୍ପର୍କରେ ଏକ ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି । ତେଲେଙ୍ଗାନା ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲେ ହେଁ ଭୋଟର୍ ଲିଷ୍ଟରେ ଆପୋଲୋ ହସ୍ପିଟାଲ୍ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ଭାଇସ୍ ଚେୟାରମ୍ୟାନ୍ ଶୋବନା କାମିନେନିଙ୍କ ନାଁ ନାହିଁ । ଫଳରେ ଆଜି ତାଙ୍କୁ ଭୋଟ୍ଦାନରୁ ବିରତ ରହିବାକୁ ପଡିଥିଲା । ଏକଥାକୁ ଖୋଦ୍ ଶୋବନା ଆଜି ଗଣମାଧ୍ୟମ ସମ୍ମୁଖରେ କ୍ଷୋଭର ସହ କହିଛନ୍ତି । ଭାରତୀୟ ନାଗରିକ ଭାବେ ଆଜିର ଦିନ ତାଙ୍କ ପାଇଁ ସବୁଠାରୁ ଖରାପ ଦିନ ବୋଲି କହିଛନ୍ତି । ଏକ ଭିଡିଓ ବାର୍ତ୍ତାରେ ଶୋବନା ଆଜି କ୍ଷୋଭର ସହ କହିଛନ୍ତି, ସେ ବିଦେଶରେ ଥିଲେ । କିନ୍ତୁ ଭୋଟ୍ ଦେବାପାଇଁ ସେ ଆଜି ଭାରତ ଆସିଥିଲେ । ମାତ୍ର ସେ ଭୋଟ୍ ଦେବାକୁ ମତଦାନ କେନ୍ଦ୍ରକୁ ଯାଇ ସେଠାରେ ତାଙ୍କ ନାମ ଭୋଟର ଲିଷ୍ଟରୁ ବାଦ ଦିଆଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ନିର୍ବାଚନ ଆୟୋଗ ଏବଂ ଭାରତ ସରକାରଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି ଯେ, ସେ କ’ଣ ଭାରତୀୟ ନାଗରିକ ନୁହେଁ? ତାଙ୍କ ଭୋଟ୍ କ’ଣ ଗୁରୁତ୍ୱପୂର୍ଣ୍ଣ ନୁହେଁ?ପ୍ରକାଶ ଯେ, ଶୋବନା ପୂର୍ବରୁ ସିଆଇଆଇ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଆପୋଲୋ ଗ୍ରୁପର ପ୍ରତିଷ୍ଠାତାଙ୍କ ଝିଅ ଅଟନ୍ତି ।


