ଭୂମିପୁତ୍ର ସ୍ୱାଭିମାନ ମଞ୍ଚର ସାମ୍ବାଦିକ ସମ୍ମିଳନୀ କଂଗ୍ରେସର ମାଟିର ପୁଅ ପ୍ରଦୀପଙ୍କୁ ଜିତାଇବାକୁ ଆହ୍ୱାନ

ବେଗୁନିଆ (ଯୁଗାଦ୍ଧ ନ୍ୟୁଜ): ପିଚୁକୁଳିସ୍ଥିତ ରଙ୍ଗ କାରଖାନା ପରିସରରେ ବେଗୁନିଆ ଭୂମିପୁତ୍ର ସ୍ୱାଭିମାନ ମଞ୍ଚ ପକ୍ଷରୁ ଗୁରୁବାର ଅପରାହ୍ନରେ ବରିଷ୍ଠ ସଭ୍ୟ ଅର୍ଜୁନ ଗଡବାଡଙ୍କ ଆବାହକତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଞ୍ଚ ସଭାପତି ସମାଜସେବୀ ଭିକାରୀ ଚରଣ ସାହୁ ସଭାପତିତ୍ୱ କରିଥିଲେ । ପୂର୍ବରୁ ଏ ନେଇ ଉଭୟ ବେଗୁନିଆ ବୋଲଗଡ ବ୍ଲକର ବିଭିନ୍ନ ପ୍ରମୁଖ ସ୍ଥାନ ମାନଙ୍କରେ ମଞ୍ଚ ତରଫରୁ ସଙ୍କଳ୍ପ ସମାବେଶ ଆୟୋଜନ କରାଯାଇ ନିଜ ଅଞ୍ଚଳ ଓ ମାଟିର ପ୍ରାର୍ଥୀଙ୍କୁ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ସୁଯୋଗ ଦେବା ପାଇଁ ସମସ୍ତ ରାଜନୈତିକ ଦଳକୁ ଆହ୍ୱାନ ଦିଆଯାଇଥିଲା । କିନ୍ତୁ ପରେ ରାଜନୈତିକ ଦୃଶ୍ୟ ପଟ୍ଟରେ ଜାତୀୟ କଂଗ୍ରେସ ଦଳ ବ୍ୟତୀତ ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଅଞ୍ଚଳ ବାହାର ପ୍ରାର୍ଥୀଙ୍କୁ ଏଠାରେ ଠିଆ କରାଇଛି । ଏହି ଉଦ୍ୟମ ମଞ୍ଚର ଆଦର୍ଶ ଓ ସଙ୍କଳ୍ପ ବିରୋଧି ହୋଇଥିବାରୁ ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ଥିର କରିବା ପାଇଁ ଆୟୋଜିତ ଏହି ଜରୁରୀ ବୈଠକରେ ଶିକ୍ଷାବିତ୍ ଗୋଦାବରୀଶ ପାଇକରାୟ,ସମାଜସେବୀ ଶଚି ପଟ୍ଟନାୟକ, ଅକ୍ଷୟ କୁମାର ରାଉତରାୟ, ନାରାୟଣ ବଳିୟାର ସିଂହ, ଅଭିରାମ ମହାପାତ୍ର,ସୁଦର୍ଶନ ମଙ୍ଗରାଜ, ଶରତ ପଟ୍ଟନାୟକ ଓ ଅକ୍ଷୟ କୁମାର ରଥ ସମେତ ସହସ୍ରାଧିକ କର୍ମୀ ଯୋଗ ଦେଇଥିଲେ । ୧୪ ତାରିଖ ବିଷୁବ ସଂକ୍ରାନ୍ତି ଠାରୁ ଏକ ସପ୍ତାହ ଧରି ଏକ ନିର୍ବାଚନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହେବ । ଏଥିରେ କର୍ମୀମାନେ ବିଭିନ୍ନ ଭାଗରେ ବିଭକ୍ତ ହୋଇ ଅଞ୍ଚଳର ସ୍ୱାଭିମାନ ରକ୍ଷା ପାଇଁ କଂଗ୍ରେସ ପ୍ରାର୍ଥୀ ମାଟିର ପୁଅ ପ୍ରଦୀପ କୁମାର ସାହୁଙ୍କ ସପକ୍ଷରେ ପ୍ରଚାର ଅଭିଯାନ ଜାରି ରଖିବେ । ଏଥିସହ ଅନ୍ୟ ଦୁଇ ବାହାର ପ୍ର୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଭୋଟରଙ୍କୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି କର୍ମକର୍ତ୍ତା ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ