ଜାଲିୱାନାବାଗ୍ ହତ୍ୟାକାଣ୍ଡ ଶତବାର୍ଷିକୀ ଅବସରରେ.. ମୁଦ୍ରା, ଡାକ ଟିକଟ ଜାରି କଲେ ଉପରାଷ୍ଟ୍ରପତି
ଅମୃତସର(ଏଜେନ୍ସି): ପଞ୍ଜାବ ପ୍ରଦେଶ ଅମୃତସରର ଜାଲିୱାନାବାଗ୍ ନରସଂହାର ହତ୍ୟାକାଣ୍ଡକୁ ଶନିବାର ଶହେ ବର୍ଷ ପୂରିଛି । ଏହି ଅବସରରେ ପଞ୍ଜାବ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ସମସ୍ତ ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ମାରକୀ ଭାବେ ମୁଦ୍ରଣ ହୋଇଥିବା ସ୍ୱତନ୍ତ୍ର ମୁଦ୍ରା ଓ ଡାକ ଟିକଟ ଜାରି କରିଛନ୍ତି । ପରେ ଉପରାଷ୍ଟ୍ରପତି ଜାଲିୱାନାୱାଲାବାଗ ପରିସର ବୁଲିଦେଖିଥିଲେ ଏବଂ ଭିଜିଟର ବୁକ୍ରେ ନିଜ ବାର୍ତ୍ତା ଲେଖିଥିଲେ । ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜାଲିୱାନାୱାଲାବାଗ ଆସି ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାହୁଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ମଧ୍ୟ ସାମିଲ ହୋଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଅମୃତସରରେ ପହଞ୍ôଚବା ପରେ ରାହୁଲ ଶ୍ରୀ ଅକଲ ତଖତ ଗୋଲଡେନ ଟେମ୍ପୁଲ ଦର୍ଶନ କରିଥିଲେ । ଶୁକ୍ରବାର ସନ୍ଧ୍ର୍ୟାରେ ରାଜ୍ୟପାଳ ବି.ପି. ସିଂହ ବଦନୋର, ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଜାଲିୱାନାବାଗରେ ପଞ୍ଜାବ ପୁଲିସ ଓ ବିଏସ୍ଏଫ୍ ଫୋର୍ସଙ୍କୁ ମୁତୟନ କରାଯାଇଛି ।


