କାଟ୍ଟାମା ଅଞ୍ଚଳରେ ୨କୋଟି ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇ ନଷ୍ଟ କଲା ପ୍ରଶାସନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ କାଟ୍ଟାମା ପଞ୍ଚାୟତର ଟାଙ୍ଗିନୀ ଅଞ୍ଚଳରେ ପୋଲିସ, ଅବକାରୀ ଓ ରାଜସ୍ୱ ବିଭାଗର ଏକ ମିଳିତ ଚଢାଉ କରାଯାଇ ବିପୁଳ ପରିମାଣରେ ଚୋରା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ଗଜପତି ଜିଲାପାଳ ଅନୁପମ ସାହା ଓ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏବଂ ଅବକାରୀ ଅଧିକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ କ୍ରମେ ଏହି ମିଳିତ ଚଢାଉ କରାଯାଇଥିଲା । ଚଢାଉ ବେଳେ ସେଠାରେ ୧୨ ଏକର ଜମିରେ ପ୍ରାୟ ୨୪ହଜାରରୁ ଉର୍ଦ୍ଧ ଗଞ୍ଜେଇ ଗଛ ଚାଷକୁ ପୋଡି ନଷ୍ଟ କରାଯାଇଥିବା ଜଣାପଡିଛି । ଏହି ଗଞ୍ଜେଇ ଗଛ ଗୁଡିକର ମୂଲ୍ୟ ପ୍ରାୟ ୨.୪କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ କିଛି ମାସ ହେବ ଆରମ୍ଭ କରାଯାଇଥିବା ଏହିପରି ମିଳିତ ଚଢାଉରେ ବର୍ତ୍ତମାନ ସୁଦ୍ଧା ଜିଲାର ମୋହନା, ଆର୍.ଉଦୟଗିରି, ନୂଆଗଡ ବ୍ଲକ ଅଞ୍ଚଳର ମୋଟ ୧୮୮୨.୩୭୬ ଏକଚର ଜମିରୁ ୩୭ଲକ୍ଷ ୬୨ହଜାର ୬୪୮ଟି ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିବାର ସୂଚନା ମିଳିଛି ।


