ବାର୍ଷିକ ଉତ୍ସବ , ଫକୀର ମୋହନ ଜୟନ୍ତୀ ପାଳିତ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ପବିତ୍ର ମକର ସଂକ୍ରାନ୍ତି ଅବସରରେ ବ୍ୟାସକବି ଫକୀରମୋହନଙ୍‌କ ୧୭୮ତମ ଜୟନ୍ତୀ ଓ ବ୍ୟାସକବିନଗର ବିକାଶ ପରିଷଦର ୨୮ତମ ବାର୍ଷିକ ଉତ୍ସବ ବୁଧବାରଦିନ ସହଦେବଖୁଣ୍ଟା ସ୍ଥିତ ବ୍ୟାସକବି ନଗରରେ ପାଳିତ ହୋଇଯାଇଛି । ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ଉତ୍ସବରେ ସମାଜସେବୀ ତଥା ପରିଷଦର ସଭାପତି ରବି ରାୟ ଅଧ୍ୟକ୍ଷତା କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ଅତିଥିମାନେ ଫକୀରମୋହନଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟପ୍ରଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ମୁଖ୍ୟଅତିଥିଭାବେ ବାଲେଶ୍ୱର ବିଧାୟକ ମଦନମୋହନ ଦତ୍ତ, ସମ୍ମାନିତ ଅତିଥିଭାବେ ଉପଜିଲ୍ଲାପାଳ ନିଲୁ ମହାପାତ୍ର, ବ୍ରିଟ୍‌ର ସଚିବ ନବୀନ ଚନ୍ଦ୍ର ସିଂ, କେନ୍ଦ୍ର ସରକାରଙ୍କ କ୍ଷେତ୍ର ପ୍ରଚାର ସଂସ୍ଥା ଅଧିକାରୀ ନିର୍ମାଲ୍ୟ ବେହେରା ଓ ମୁଖ୍ୟବକ୍ତା ଭାବେ ସମାଜ ଉତ୍ତର ଓଡ଼ିଶା ସଂସ୍କରଣ ବ୍ୟୁରୋ ଇନ୍‌ଚାର୍ଯ କୁଳମଣି ବାରିକ ଯୋଗଦେଇ ଫକୀରମୋହନ ସେନାପତିଙ୍କର କେବଳ ଓଡ଼ିଆ ଭାଷା ସାହିତ୍ୟକୁ ଅବଦାନ ଯଥେଷ୍ଟ ନୁହେଁ ବରଂ ସେ ଜଣେ ବିଶିଷ୍ଟ ସମାଜ ବିଜ୍ଞାନୀ ଥିଲେ ବୋଲି ଅତିଥି ଓ ବକ୍ତାମାନେ ମତ ଦେଇଥିଲେ । ଆଜିର ସମାଜରେ ନାରୀଶିକ୍ଷା, ନିଶା ନିବାରଣ, ପାଶ୍ଚାତ୍ୟଶିକ୍ଷାର ପ୍ରଭାବର କୁପରିଣାମ ଓ ଭଣ୍ଡବାବା, ମାତାଙ୍କ ସଂପର୍କରେ ଦେଇଥିବା ବାର୍ତ୍ତା ଆଜିବି ସମାଜର ଦିଗଦର୍ଶକ ହୋଇ ରହିଛି । ମୁଖ୍ୟବକ୍ତା ଶ୍ରୀ ବାରିକ ଫକୀରମୋହନଙ୍କ ଜୀବନାଦର୍ଶ ଓ ଜାତୀୟତାବୋଧ ବର୍ତ୍ତମାନ ସମାଜପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ । ଗତ ୨୮ବର୍ଷ ତଳେ ପ୍ରତିଷ୍ଠିତ ହୋଇଥିବା ବ୍ୟାସକବି ନଗର ଓ ସ୍ଥାନୀୟ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଏବଂ ଭ୍ରାତୃଭାବ ବୃଦ୍ଧିପାଇଁ ଗଠିତ ପରିଷଦ ବାଲେଶ୍ୱରରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇ ରହିବ ବୋଲି ଅତିଥିମାନେ ମତ ଦେଇଥିଲେ । ସଭାକାର୍ଯ୍ୟ ଆରମ୍ଭରେ ସ୍ଥାନୀୟ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ପରିଷଦର ସାଧାରଣ ସଂପାଦକ ନରେନ୍ଦ୍ର କୁମାର ସ୍ୱାଇଁ ବାର୍ଷିକ ବିବରଣୀ ଓ ଆୟବ୍ୟୟର ହିସାବ ପାଠ କରିଥିଲେ । ବକ୍ତୃତା, ଚିତ୍ରାଙ୍କନ, କୌତୁକ ପୋଷାକ, ମୁରୁଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପରିଷଦ ତରଫରୁ ପୁରସ୍କୃତ କରିଥିଲେ । ପରିଷଦର ଉପଦେଷ୍ଠା ଅଖିଳ କୁମାର ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଆଇନଜୀବି ମନୋଜ ନାୟକ ନବବର୍ଷ ଓ ମକରସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ପାଣିଗ୍ରାହୀ ସଭା ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ଉପସଭାପତି ଜିତେନ୍ଦ୍ର ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସାଂସ୍କୃତିକ ସଂପାଦକ ରାଜକିଶୋର ଦାସଅଧିକାରୀ ଓ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଭଗବାନ ମହନି, ଇଂ. ଡମ୍ବରୁଧର ପ୍ରଧାନ, ସଞ୍ଜୟ ଚୌଧୁରୀ, ଅଶୋକ ଦାଶ, ସୁବ୍ରତ ଦାଶ, ବେଣୁଧର ପଣ୍ଡା, ବିନୁ ସିଂ, ସରସ୍ୱତୀ ଜେନା, ପ୍ରଭାତ ସାହୁ ସସ୍ମିତା ବେହେରା, ରେଣୁବାଳା ପ୍ରଧାନ, ସୁଧିର ଦାସ ଓ ଡଃ ଅରବିନ୍ଦ ବେଜ, ରଂଜନ ଭୋଇ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ । ସନ୍ଧ୍ୟାରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବରିଷ୍ଠ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା ସାନ୍ଧ୍ୟ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ