ଜାତୀୟ କ୍ରୀଡ଼ା ଦିବସର ତ୍ରିଦିବସୀୟ ଭବ୍ୟ ଉତ୍ସବ ଉଦ୍ଯାପିତ
ବାଲେଶ୍ୱର, (ଓ୍ବାଇଏନଏସ): ବାଲେଶ୍ୱରରେ ଚାଲିଥିବା ଜାତୀୟ କ୍ରୀଡ଼ା ଦିବସର ତିନିଦିନିଆ ଭବ୍ୟ କ୍ରୀଡ଼ା ଉତ୍ସବ ଆଜି (ଅଗଷ୍ଟ ୩୦) ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। “ଖେଳିବ ଭାରତ, ଜିତିବ ଭାରତ”, “ଏକ ଘଣ୍ଟା ଖେଳ ପଡିଆରେ” ବିଷୟ ସହିତ ଆୟୋଜିତ ଏହି କ୍ରୀଡ଼ା ମହୋତ୍ସବର ଅନ୍ତିମ ଦିବସରେ ସ୍ୱାସ୍ଥ୍ୟ ଏବଂ ପରିବେଶ ସଚେତନତାକୁ ନେଇ “ସଣ୍ଡେ ଅନ୍ ସାଇକେଲ” (Sunday on Cycle) କ୍ୟାମ୍ପେନ ଆୟୋଜିତ ହୋଇଥିଲା। ଏହି ସ୍ୱତନ୍ତ୍ର ସାଇକେଲ ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇ ସହର ପରିକ୍ରମା କରିଥିଲା। ଏହି ସମାପନ ଉତ୍ସବ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ପୌରୋହିତ୍ୟରେ ଆୟୋଜନ ହୋଇଥିବା ବେଳେ ବାଲେଶ୍ୱର ସଦରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ସହ ଜୀବନରେ କ୍ରୀଡ଼ାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଅନ୍ୟାନ୍ୟ ବରେଣ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଖୁଣ୍ଟିଆଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସୁଚାରୁ ପରିଚାଳନାରେ ଏହି ତିନିଦିନିଆ ଉତ୍ସବର ସମସ୍ତ କାର୍ଯ୍ୟସୂଚୀ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଉଦ୍ଯାପନୀ ସମାରୋହରେ ସ୍ଥାନୀୟ କ୍ରୀଡ଼ାବିତ, କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ, କର୍ମଚାରୀ ଏବଂ ଜନସାଧାରଣ ପ୍ରବଳ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଗତ ଦୁଇ ଦିନରେ ହୋଇଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ବିଜୟୀ କ୍ରୀଡ଼ାବିତମାନଙ୍କୁ ପୁରସ୍କୃତ କରାଯାଇଥିଲା।


