ପ୍ରଚାର ଶେଷ ଦିବସରେ ନଗର ବିଜେଡ଼ିର ବିଶାଳ ବାଇକ ରାଲି ଓ ମାରାଥନ କ୍ୟାମ୍ପେନିଂ
ହିଂଜିଳିକାଟୁ, (ଶେଷଦେବ ସାହୁ) : ଆଉ ୪୮ ଘଂଟା ପରେ ୨ୟ ପର୍ଯ୍ୟାୟ ଭୋଟ ହେବ । ୨ୟ ପର୍ଯ୍ୟାୟ ମତଦାନ ପାଇଁ ଆସିକା ସଂସଦୀୟ କ୍ଷେତ୍ର ସମେତ ୭ ଟି ବିଧାନସଭା ଆସନରେ ମତଦାନ ହେବ । ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ମାନେ କଳେ ବଳେ କୌଶଳେ ଭୋଟରଙ୍କୁ ପ୍ରଭାବିତ କରି ଭୋଟ ହାତେଇବାକୁ ପ୍ରାଣପଣେ ଚେଷ୍ଟା ଜାରୀ ରଖିଛନ୍ତି । ନିର୍ବାଚନ ପାଇଁ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମାଂଚଳରେ ପ୍ରଚାର ଜୋରସୋରରେ ଚାଲିଛି । ପ୍ରଚାର ଗାଡ଼ିର କାନଫଟା ସ୍ଳୋଗାନ ଓ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଗାଡ଼େିରେ ବାଜୁଥିବା ବିଭିନ୍ନ ସଙ୍ଗୀତରେ ଫାଟିପଡ଼ୁଛି ସହରରୁ ଆରମ୍ଭ କରି ଗାଁ ଦାଣ୍ଡ । ଭୋଟରଙ୍କ ମନ କିଏ ଜିଣିବ ତାହାକୁ ନେଇ ଚାଲିଛି ଚର୍ଚ୍ଚା । ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାରର ଶେଷ ଦିବସରେ ହିଂଜିଳିକାଟୁ ପୌରାଂଚଳ ବିଜେଡ଼ି ପକ୍ଷରୁ ମାରାଥନ କ୍ୟାମ୍ପେନିଂ କରାଯିବା ସହ ବିଶାଳବାଇକ୍ ରାଲିର ଆୟୋଜନ କରାଯାଇଛି । ମଙ୍ଗଳବାର ପୂର୍ବାହ୍ନରେ ଶ୍ୟାମଳାଇ ଛକରୁ ସହସ୍ରାଧିକ ବିଜେଡ଼ି କର୍ମୀ ୫ ଶହରୁ ଉଦ୍ଧ୍ୱର୍ ମୋଟର ସାଇକେଲ ରାଲିରେ ବାହାରି ସମଗ୍ର ହିଂଜିଳିକାଟୁ ପୌରାଂଚଳର ସମସ୍ତ ୱାର୍ଡ଼ ପରିକ୍ରମା କରିଥିଲେ । ରୋଡ଼ ଶୋ କରିବା ସହ ବଭିନ୍ନ ସ୍ଥାନରେ ମାରାଥନ ପ୍ରଚାର ଓ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ପୌରାଂଚଳର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆସିକା ଲୋକସଭା ସାଂସଦ ପ୍ରାର୍ଥୀନି ପ୍ରମିଳା ବିଷୋୟୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରାଇବାକୁ ଗାଁ ଗାଁ ବୁଲି ହାଇପ୍ରୋଫାଇଲ ପ୍ରଚାର କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ହୃଦୟାନନ୍ଦ ମାହପାତ୍ର, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଛାତ୍ର ବିଜେଡ଼ି ସଭାପତି ରିଙ୍କୁ ପଣ୍ଡା, ଅଜିତ ଗୌଡ଼, ସୁଜିତ ପଣ୍ଡା, ଅଶ୍ୱିନି ଗୌଡ଼, ତାପସ ପଣ୍ଡା, ବିରଂଚି ପଣ୍ଡା, ଯୁଧିଷ୍ଟିର ସ୍ୱାଇଁ, ମାନସ ରଂଜନ ବେହେରା, ରଂଜନ ପ୍ରଧାନ, କିରଣ ପଟ୍ଟନାୟକ, କୃଷ୍ଣ ସାହୁ, ତପନ ସାହୁ, ଦିଲ୍ଲିପ ବୈଠାରୁ, ମୁନା ପାଢି, ସୁଶାନ୍ତ ପ୍ରଧାନ, କୋରାମଣି ରାଉଳ, ଟୁଟୁ ମୁନିଙ୍କ ସମେତ ସହସ୍ରାଧିକ ବିଜେଡ଼ି କର୍ମୀ ଅଂଶଗ୍ରହଣ କରିଥିଲେ ।


