ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ ଓଡ଼ିଶାକୁ ବିଜେପି ଦେବ ‘ପାରଦର୍ଶୀ ଓ ସମ୍ବେଦନଶୀଳ’ ସରକାର
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ବୁଧବାର ସ୍ଥାନୀୟ କଳିଙ୍ଗ ହୋଟେଲରେ ନୂଆ ବାଲେଶ୍ୱର ପାଇଁ ବିଜେପି ସଂକଳ୍ପ ପତ୍ର ବାଲେଶ୍ୱର ଲୋକସଭା ପ୍ରାର୍ଥୀ ତଥା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ୍ତ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ବିଜେପି ଓଡ଼ିଶାରେ ଶାସନ କ୍ଷମତାକୁ ଆସିଲେ ଦାରିଦ୍ର୍ୟର ମୁଳୋତ୍ପାଟନ ହେବ । ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ । ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ପାଣି, ସ୍ୱାସ୍ଥ୍ୟ ଓ ବିଜୁଳି ଯୋଗାଇ ଦିଆଯିବ । ଆଦିବାସୀଙ୍କୁ ଜମି ଓ ପଟ୍ଟା ଦିଆଯିବ । ସରକାର ଆସିବା ମାତ୍ରେ ହିଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯି । ପ୍ରତି ପିଏଚସିରେ ମିନି ଜନୌଷଧି କେନ୍ଦ୍ର ଏବଂ ସିଏଚସିରେ ଜନୌଷଧି କେନ୍ଦ୍ର ଖୋଲାଯିବ । ଜିଲ୍ଲାର ପ୍ରତି ବ୍ଲକ୍ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ । ଖେଳ ଓ ଖେଳାଳିଙ୍କର ବିକାଶ ଲାଗି ବାଲେଶ୍ୱର ଲୋକସଭା ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମିନି ଷ୍ଟାଡିୟମ ନିର୍ମାଣ କରାଯିବ । ଉଦୟପୁର, ତାଳଶାରୀ, ଭୁଷଣ୍ଡେଶ୍ୱର, ଚାନ୍ଦିପୁର, ପଞ୍ଚଲିଙ୍ଗେଶ୍ୱର, ଓ ରେମୁଣାରେ ପର୍ଯ୍ୟଟନ ଶିଳ୍ପର ବିକାଶ କରାଯିବ । ବାଲେଶ୍ୱର ଏକ ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏବଂ ଜିଲ୍ଲାରେ ବନ୍ଦର ନିର୍ମାଣ ସମ୍ଭାବନାକୁ ଦୃଷ୍ଟିରେ ରଖି ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ରୋଜଗାରକ୍ଷମ କରିବା ପାଇଁ
ବନ୍ଦରଭିତ୍ତିକ ପାଠ୍ୟକ୍ରମ ପ୍ରଚଳନ କରାଯିବ । ବାଲେଶ୍ୱରରେ ରେଲୱେ ଓ ଏଲଆଇସିର ଡିଭିଜନ ଅଫିସ ପ୍ରତିଷ୍ଠା କରାଯିବ । ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବା ଲାଗି ଗମନାଗମନକୁ ସୁଗମ କରିବା ପାଇଁ ଏବଂ ବାଲେଶ୍ୱର ଜିଲ୍ଲାକୁ ବ୍ୟବସାୟର ପେଣ୍ଠସ୍ଥଳୀ କରିବା ପାଇଁ ଛୋଟ ବିମାନବନ୍ଦର ପ୍ରତିଷ୍ଠା କରାଯିବ । ବନ୍ୟାର ମୁକାବିଲା କରିବା ଏବଂ ବେକାର ଯୁବତୀଯୁବକଙ୍କ ନିଯୁକ୍ତି ପାଇଁ ଇଷ୍ଟକୋଷ୍ଟ କେନାଲର ପୁନରୁଦ୍ଧାର କରାଯିବ । ଓଡ଼ିଆ ସଂସ୍କୃତିର ସୁରକ୍ଷା ପାଇଁ ସଂସ୍କୃତ ଭାଷାକୁ ବିଦ୍ୟାଳୟ ସ୍ତରରେ ଅଧିକ ଗୁୁରୁତ୍ୱ ଦିଆଯିବା ସହତ ସ୍ୱତନ୍ତ୍ର ଅର୍ଥର ବ୍ୟୟବରାଦ କରାଯିବ । ବାଲେଶ୍ୱର ଏକ କୃଷିଭିତ୍ତିକ ଜିଲ୍ଲା ହୋଇଥିବାରୁ ଜିଲ୍ଲାରେ କୃଷି ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଜଳେଶ୍ୱରରୁ ଦୀଘା ଟ୍ରେନ ଚଳାଚଳ ପାଇଁ ଜମି ଅଧିଗ୍ରହଣ ଯୁଦ୍ଧାକାଳୀନ ଭିତ୍ତିରେ କରାଯିବ । ଜିଲ୍ଲାରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପର ବିକାଶ ଲାଗି ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯିବ । କୃଷକଙ୍କୁ ୨୪ ଘଣ୍ଟିଆ ବିଜୁଳି ଯୋଗାଇ ଦିଆଯିବ । ସହରରେ ପ୍ରିପେଡ ଅଟୋର ରିକ୍ସର ବ୍ୟବସ୍ଥା କରାଯିବ । ସହରର ସୁରକ୍ଷା ପାଇଁ ବାଲିଘାଟଣରୁ ପୁରୁଣା ବାଲେଶ୍ୱର ନଦୀ ପାଶ୍ୱର୍ରେ ପଥର ବନ୍ଧ ତିଆରି କରାଯିବ । ବାଲେଶ୍ୱର ମ୍ୟୁନିସିପାଲିଟିକୁ କର୍ପୋରେସନ ଘୋଷଣା କରାଯିବ । ସହରରେ ଏକ ଇନ୍ଡୋର ଷ୍ଟାଡିୟମ ନିର୍ମାଣ କରାଯିବ । ବାଲେଶ୍ୱରକୁ ମଦମୁକ୍ତ ଜିଲ୍ଲାରେ ପରିଣତ କରାଯିବ । ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ରେ ପିପିପି ମୋଡରେ ସିବିଏସ୍ଇ ସ୍କୁଲ୍ ଖୋଲାଯିବ । ଲୁଣିଆଝୁଡ଼ିଠାର ଦ୍ୱିତୀୟ ପୋଲ ନିର୍ମାଣ କରାଯିବ । ପୁଜାରୀ ବନ୍ଧୁ ଯୋଜନାର ଧାର୍ମିକ ସ୍ଥଳର ପୂଜକଙ୍କ ପାଇଁ ହଜାରେ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ନୃତ୍ୟ ଓ ସଂଗୀତର ବିକାଶ ପାଇଁ ଜିଲ୍ଲାରେ କେଳୁଚରଣ ମହାପାତ୍ର ପରଫର୍ମିଂ ଆଟଁ ସେକ୍ଟର ପ୍ରତିଷ୍ଠା ହେବ । ୨୦୧୯ ଓଡ଼ିଶା ଇତିହାସ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ଏହି ସାମ୍ବଦିକ ସମ୍ମିଳନୀରେ ସଦର ବିଧାୟକ ପ୍ରାର୍ଥୀ ମଦନ ମୋହନ ଦତ୍ତ, ଲୋକସଭା ପ୍ରାର୍ଥୀ ଅଜୟ ମିଶ୍ର, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ, ନୀଳଗିରି ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ, ବସ୍ତା ବିଧାୟକ ପ୍ରାର୍ଥୀ ରଘୁନାଥ ମହାନ୍ତି, ଜଳେଶ୍ୱର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମହାନ୍ତି, ଭୋଗରାଇ ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ବଡ଼ସାହି ବିଧାୟକ ପ୍ରାର୍ଥୀ ସନାତନ ବିଜୁଳି, ଲୋକସଭା ପ୍ରଚାର କମିଟି ଅଧ୍ୟକ୍ଷ ଶୁଭଙ୍କର ମହାପାତ୍ର, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ୍ ମିଶ୍ର ଓ ଜିଲ୍ଲା ମିଡିଆ ସଂଯୋଜକ ଗୌରମଙ୍ଗ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


