ପୋଲିସ-ମାଜିଷ୍ଟ୍ରେଟ୍ ସମନ୍ୱୟ ଓ ନିର୍ବାଚନ ପ୍ରସ୍ତୁତି ଉପରେ ପର୍ଯ୍ୟବେକ୍ଷକଙ୍କ ବୈଠକ
ବାଲେଶ୍ୱର- ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପୋଲିସ ଅଧିକାରୀ, ମାଜିଷ୍ଟ୍ରେଟ୍, ଫ୍ଲାଇଂ ସ୍କ୍ୱାର୍ଡ, ଭିଡିଓ ଭ୍ୟୁଇଂ ଟିମ୍, ସର୍ଭିଲେନ୍ସ ଟିମର ସମସ୍ତ ଅଧିକାରୀ, ରିଟର୍ଣ୍ଣିଂ ଅଫିସରମାନଙ୍କୁ ନେଇ ଏକ ସମନ୍ନୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ସାଧାରଣ ନିର୍ବାଚନକୁ ଜିଲ୍ଲାରେ କିପରି ସମସ୍ତଙ୍କ ସହଯୋଗ ଓ ସମନ୍ୱୟରେ ସୁରୁଖୁରୁରେ ଆୟୋଜିତ କରାଯାଇପାରିବ ସେଥିନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ପର୍ଯ୍ୟବେକ୍ଷକମାନେ ଆଦର୍ଶ ଆଚରଣ ବିଝଧି ଅନୁପାଳନରେ ରହିଥିବା କେତେକ ଛୋଟ ମୋଟ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରି ଅଧିକାରୀମାନେ ସେ ଦିଗରେ ଯତ୍ନବାନ ହେବାକୁ କହିଥିଲେ । ଇତି ମଧ୍ୟରେ ଜିଲ୍ଲାରେ ପୁଲିଂ କର୍ମଚାରୀମାନଙ୍କୁ ତୃତୀୟ ଓ ଅନ୍ତିମ ତାଲିମ ପ୍ରଦାନ କରାଯାଇଥିଲା ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ପ୍ରକାଶ କରିଥିଲେ । ସେହିପରି ଇଭିଏମ୍ ଷ୍ଟ୍ରଙ୍ଗ ରୁମଠାରେ ଇ.ଭି.ଏମ ମେସିନ୍ କମିଶନିଂ କାର୍ଯ୍ୟ ଚାଲିଥିବା ସେ କହିଥିଲେ । ଗତକାଲି ୩୧ଜଣ ଗାଡି ମାଲିକଙ୍କୁ ନିର୍ବାଚନ କାର୍ଯ୍ୟରେ ଅସହଯୋଗ ନିମନ୍ତେ ତାଙ୍କ ବିରୁଦ୍ଧରେ ୱରେଣ୍ଟ ଜାରୀ କରାଯାଇଛି । ସେହିପରି କେତେଜଣ କର୍ମଚାରୀଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟରେ ଓ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରାଯାଇଥିବା ଏଥିରେ ପ୍ରକାଶ କରାଯାଇଥିଲା । ବେଆଇନ ଭାବେ ଅର୍ଥ ଚାଲାଣ, ଚୋରା ମଦ କାରବାର, ପୋଷ୍ଟର ମରା, ବିନା ଅନୁମତିରେ ସଭାର ଆୟୋଜନ, ପ୍ରଚାର ପ୍ରସାର ଇତ୍ୟାଦି ଉପରେ ଚିଠା ନଜର ରଖିବାକୁ ବିଭିନ୍ନ ଟିମ୍କୁ ପରାମର୍ଶ ଦିଆଯାଇଛି । ସେହିପରି ପ୍ରାର୍ଥୀ ଏବଂ ଦଳଗୁଡିକର ଖର୍ଚ୍ଚ ଉପରେ ନଜର ରଖିବାକୁ କୁହାଯାଇଛି । ସୀମା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ଉପରେ କଡା ଦୃଷ୍ଟି ଦେବା ସହ ଆନ୍ତଃରାଜ୍ୟ ପୋଲିସ-ଅବକାରୀ ଓ ଅଧିକାରୀମାନେ ଯାଞ୍ଚ କରିବା ଏବଂ ସନ୍ଦେହ ଜନକ ଯାନବାହାନ, ବ୍ୟକ୍ତି ପ୍ରଭୃତିକୁ ତନଖି କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ପରେ ପର୍ଯ୍ୟବେକ୍ଷକମାନେ ପୃଥକ ପୃଥକଭାବେ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ସମସ୍ତ ଟିମର ଅଧିକାରୀମାନଙ୍କୁ ନେଇ ବୈଠକ କରିଥିଲେ । ଏହି ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ବିରେନ୍ଦ୍ର ସିଂ ରାୱତ, ରାକେଶ ଶଙ୍କର, ହାଓଲିନଲାଲ ଗୁଲ୍ଟେ, ପୋଲିସ ପର୍ଯ୍ୟବେକ୍ଷକ ହରେମଥ୍ ସୁଧୀର କାଲାୟା, ଖର୍ଚ୍ଚ ପର୍ଯ୍ୟବେକ୍ଷକ ହ୍ୟାରିସନ ଆଣ୍ଟୋନି, ବରୁଣ ରଙ୍ଗସ୍ୱାମୀ, ସୁଶ୍ରୀ ସଶା କାଜଲେ, ଜିତେନ୍ଦ୍ର ପଞ୍ଚଲ ଏବଂ ଏସ. ନଟରାଜ ଯୋଗ ଦେଇଥିବା ବେଳେ ସମସ୍ତ ରିଟର୍ଣ୍ଣିଂ ଅଫିସର ଏବଂ ସମସ୍ତ ନୋଡାଲ ଅଧିକାରୀମାନେ ଯୋଗ ଦେଇଥିଲେ ।


