ରାସ୍ତାରେ ବିପଦପୂର୍ଣ୍ଣ ତୋରଣ ପାଲଟିଛି ଚିନ୍ତାର କାରଣ

ରାଇକିଆ (ଆଦିତ୍ୟ ପ୍ରସାଦ ପାଢୀ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପ୍ରବେଶ ପଥରେ ଥିବା ମୁଖ୍ୟ ତୋରଣଟି ଦୀର୍ଘ ଦିନ ଧରି ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ପଡ଼ିରହିଛି। ତୋରଣଟିର କଂକ୍ରିଟ୍ ଖୁମ୍ବଗୁଡ଼ିକ ଭାଙ୍ଗି ରଡ୍ ବାହାରକୁ ଦିଶୁଥିବା ବେଳେ ଏହା ଜରାଜୀର୍ଣ୍ଣ ହୋଇପଡ଼ିଛି । ତେବେ ଉକ୍ତ ତୋରଣର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଏହି ରାସ୍ତା ଉପରେ ପ୍ରତ୍ୟହ ପ୍ରବଳ ଜନସମାଗମ ଲାଗି ରହୁଛି । ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସାଧାରଣ ଲୋକମାନେ ଜୀବନ ଜ୍ୟୋତି ମହାବିଦ୍ୟାଳୟ, ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ , ସୁଧାକିରଣ କଲେଜ ଅଙ୍ଗନୱାଡ଼ି କେନ୍ଦ୍ର, ତହସିଲ କାର୍ଯ୍ୟାଳୟ, ରାଇକିଆ ଗ୍ରାମପଞ୍ଚାୟତ, ମୃତିକା ସଂରକ୍ଷଣ କାର୍ଯ୍ୟାଳୟ, ଆରଡି କାର୍ଯ୍ୟାଳୟ, ବନ ବିଭାଗ କାର୍ଯ୍ୟାଳୟ, ଆଇସିଡିଏସ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପୋଲିସ ବାରାକ୍ , ଗ୍ୟାସ ଗୋଦାମ, ହନୁମାନ ମନ୍ଦିର ଏବଂ ଶିଶୁ ଉଦ୍ୟାନକୁ ଯାତାୟାତ କରୁଛନ୍ତି । ତୋରଣର ଅବସ୍ଥା ଦେଖି ସ୍ଥାନୀୟ ଅଞ୍ଚଳବାସୀ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରବଳ ବର୍ଷା କିମ୍ବା ପବନରେ ଏହା ଭୁଶୁଡ଼ି ପଡ଼ି ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି। ଏତେ ସଂଖ୍ୟକ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଥିବାରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ରାସ୍ତାରେ ଯାନବାହାନ ସହ ଲୋକଙ୍କ ନିରନ୍ତର ଚଳପ୍ରଚଳ ଲାଗି ରହିଥାଏ। ଛାତ୍ରଛାତ୍ରୀ ଓ ସାଧାରଣ ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ପ୍ରବେଶ ପଥରେ ଥିବା ଜରାଜୀର୍ଣ୍ଣ ତୋରଣକୁ ତୁରନ୍ତ ମରାମତି କିମ୍ବା ନୂତନ ଭାବେ ନିର୍ମାଣ କରିବାକୁ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଦାବି କରିଛନ୍ତି । ଏ ସମ୍ପର୍କରେ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, “ଏହି ରାସ୍ତା ଦେଇ କଲେଜ ଛାତ୍ରଛାତ୍ରୀଙ୍କ ସମେତ ବହୁ ସରକାରୀ କାର୍ଯ୍ୟାଳୟକୁ ଦୈନିକ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି। ପୁରୁଣା ତୋରଣର ମରାମତି ତଥା ରାସ୍ତା ସମ୍ପ୍ରସାରଣ ପାଇଁ ଆମେ ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛୁ। ଖୁବ୍ ଶୀଘ୍ର ଏହାର ସ୍ଥାୟୀ ସମାଧାନ ହେବ ବୋଲି ଆଶା କରୁଛୁ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ