ସାଙ୍ଗର ଜୀବନ ବଞ୍ଚାଇବାକୁ ଡବା ଧରି ରାସ୍ତାରେ ସାଙ୍ଗ

କାକଟପୁର /ଅସ୍ତରଙ୍ଗ, (ଶୁଭାଶିଷ ଖଣ୍ଡୁଆଳ): ଆଜି ଜନ୍ମାଷ୍ଟମୀ ଚାରିଆଡେ କୃଷ୍ଣ ନାମ। କୃଷ୍ଣ-ସୁଦାମାର ବନ୍ଧୁତ୍ୱ କଥା ସବୁଠି ଚର୍ଚ୍ଚା। ହେଲେ ଏହି କାହାଣୀ ଏବେ ବାସ୍ତବରେ ଦେଖିବାକୁ ମିଳୁଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବାଲିଡିଆ ଗାଁରେ। ଯେଉଁଠି ଜନ୍ମାଷ୍ଟମୀ ପୂର୍ବରୁ ସାଙ୍ଗ ପାଇଁ ସାଙ୍ଗମାନେ ରାସ୍ତାରେ ଡବା ଧରି ସାହାଯ୍ୟ ମାଗୁଛନ୍ତି। ଏ ହେଉଛି କଳିଯୁଗର କୃଷ୍ଣ-ସୁଦାମାର ସତ କାହାଣୀ। ଗାଁର ୨୨ ବର୍ଷୀୟ ଯୁବକ ବବୁଲ ଦଳାଇ। ମତ୍ସ୍ୟଜୀବୀ ବିଷ୍ଣୁ ଦଳାଇଙ୍କ ଏକମାତ୍ର ପୁଅ। ଘରେ ୩ ଭଉଣୀ, ବୁଢା ବାପା-ମାଆ। ଅଭାବୀ ସଂସାର। ତେଣୁ ଦୁଇ ବର୍ଷ ତଳେ ସ୍ୱପ୍ନ ଆଖିରେ ନେଇ ତାମିଲନାଡୁ ତିରୁପୁରକୁ ସଟରିଂ କାମକୁ ଯାଇଥିଲା। ଦିନକୁ ୫୦୦ ଟଙ୍କା ମଜୁରୀରେ କାମ କରୁଥିଲା। ପଇସା ପଠାଇ ଘର ଚଳାଇବ, ଭଉଣୀମାନଙ୍କ ବାହା କରିବ ବୋଲି ସ୍ୱପ୍ନ ଦେଖିଥିଲା। ହେଲେ ଗତ ୨୪ ଅଗଷ୍ଟ ସବୁ ସ୍ୱପ୍ନ ଭାଙ୍ଗିଗଲା। କାମ କରୁଥିବା ବେଳେ ୩୦ ଫୁଟ ଉପରୁ ତଳକୁ ଖସି ପଡିଲା। ବେକ ହାଡ ଦୁଇ ଖଣ୍ଡ ହୋଇ ଭାଙ୍ଗିଗଲା, ମେରୁଦଣ୍ଡରେ ଗଭୀର ଆଘାତ। ସାଙ୍ଗମାନେ ଉଦ୍ଧାର କରି ହସ୍ପିଟାଲ ନେଲେ। ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଆଇସିୟୁ ରେ ଗତ ୮ ଦିନ ହେଲା ଜୀବନ ମରଣ ସହ ଲଢୁଛି। ଶରୀର ସମ୍ପୂର୍ଣ୍ଣ ଅଚଳ। ଡାକ୍ତର କହିଛନ୍ତି ତୁରନ୍ତ ଅପରେସନ ନହେଲେ ସାରା ଜୀବନ ଚାଲିପାରିବନି, ଏପରିକି ଜୀବନ ଚାଲିଯିବ। ଅପରେସନ ପାଇଁ ଦରକାର ୨୦ ଲକ୍ଷ ଟଙ୍କା। ୨୦ ଲକ୍ଷ ଶୁଣି ପରିବାର ମୁଣ୍ଡରେ ଆକାଶ ଭାଙ୍ଗି ପଡିଛି। ସମୁଦ୍ରରୁ ମାଛ ଧରି ପେଟ ପୋଷୁଥିବା ବାପା ପାଖରେ ୨୦ ହଜାର ବି ନାହିଁ। ପୁଅର ଔଷଧ ପାଇଁ ଘର ବାସନ ବିକିବାକୁ ବସିଲେଣି। ମାଆ କେବଳ କାନ୍ଦି କହୁଛି, ମୋ ପୁଅକୁ ବଞ୍ଚାଅ। ତିନି ଭଉଣୀ ରାକ୍ଷୀ ହାତରେ ଧରି ଭାଇ ବାଟକୁ ଚାହିଁ ବସିଛନ୍ତି। ଜନ୍ମାଷ୍ଟମୀରେ ଘରେ ଦୀପ ଜଳିବ ନା ନାହିଁ ଚିନ୍ତାରେ ପରିବାର। ଏହି ଅସହାୟ ବେଳେ ଭଗବାନ ସାଜି ଛିଡା ହୋଇଛନ୍ତି ବବୁଲର ସାଙ୍ଗମାନେ। ଯେମିତି ଦ୍ୱାପରରେ ସୁଦାମା ପାଇଁ କୃଷ୍ଣ ଛିଡା ହୋଇଥିଲେ, ଆଜି କଳିଯୁଗରେ ବବୁଲ ପାଇଁ ତାର ପିଲାଦିନର ସାଙ୍ଗମାନେ। ସେମାନେ ଜନ୍ମାଷ୍ଟମୀ ଖୁସି ଛାଡି ହାତରେ ପ୍ଲାଷ୍ଟିକ ଡବା ଧରି ରାସ୍ତାକୁ ଓହ୍ଲାଇଛନ୍ତି। ଅସ୍ତରଙ୍ଗ ବଜାର, ନଗର,ବାଲିଡିଆ ଓ ଆଖପାଖ ଗାଁ ଗାଁ ବୁଲି ହାତ ଯୋଡି ସାହାଯ୍ୟ ମାଗୁଛନ୍ତି। କେହି ୧୦ ଟଙ୍କା ତ କେହି ୧୦୦ ଟଙ୍କା ଦେଉଛି। ତାଙ୍କର ଏହି ନିଃସ୍ୱାର୍ଥ ବନ୍ଧୁତ୍ୱ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଦେଉଛି। ଏହା ହିଁ ପ୍ରକୃତ ଜନ୍ମାଷ୍ଟମୀର ଶିକ୍ଷା। ଏ ନେଇ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି କହିଛନ୍ତି, ଆମେ ରାଜସ୍ୱ ନିରୀକ୍ଷକ ପଠାଇ କାଗଜପତ୍ର ଯାଞ୍ଚ କରି ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇ ସହାୟତା ଯୋଗାଇ ଦେବୁ। ଯଦି ସହଯୋଗ କରିବାକୁ ଚାହୁଁଛନ୍ତି ୮୯୮୪୬୨୪୮୨୭ ନମ୍ବରରେ ଯୋଗାଯୋଗ କରନ୍ତୁ। ଏହି ଜନ୍ମାଷ୍ଟମୀରେ ଆପଣ ବି ହୁଅନ୍ତୁ କଳିଯୁଗର କୃଷ୍ଣ।ବବୁଲ ଙ୍କୁ ସହାୟତା କରନ୍ତୁ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ