ଜମି ଜବରଦଖଲ କରି ନିର୍ମାଣ ଅଭିଯୋଗ :୧୫ଦିନ ମଧ୍ୟରେ ଜବରଦଖଲ ମୁକ୍ତ ପାଇଁ ନୋଟିସ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଜମି ଜବରଦଖଲ, ବେଆଇନ ନିର୍ମାଣ ଏବଂ ପରିବାରକୁ ଧମକ ଦେବା ଅଭିଯୋଗକୁ ନେଇ ପାଟକୁରା ଥାନା ଅଧିନ ବ୍ରହ୍ମପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଆଇନଗତ ନୋଟିସ ଜାରି କରାଯାଇଛି। ନୋଟିସରେ ଅଭିଯୋଗକାରୀ ଅନାମ ଚରଣ ଦାଶ ତାଙ୍କ ଜମିରୁ ଜବରଦଖଲ ହଟାଇବା ସହ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ପ୍ରତିପକ୍ଷ ପ୍ରଶାନ୍ତ ଦାଶଙ୍କୁ ଦାବି କରିଛନ୍ତି। ଆଇନଗତ ନୋଟିସ ଅନୁଯାୟୀ ମୌଜା ବ୍ରହ୍ମପୁର, ଥାନା ନଂ–୬୬, ଖାତା ନଂ–୭୨୦/୨୮୦, ଘରବାରି କିସମ ପ୍ଲଟ ନଂ–୧୧୦୯ର ମୋଟ ୨୭ ଡିସିମିଲ ଜମି ଉପରେ ଅନାମ ଚରଣ ଦାଶଙ୍କ ବୈଧ ମାଲିକାନା ଓ ଦଖଲ ଥିବା ଦାବି କରାଯାଇଛି। ଉକ୍ତ ଜମିରୁ ପ୍ରାୟ ୨୦ କଡ଼ି ଜମିକୁ ପ୍ରଶାନ୍ତ ଦାଶ ବିନା ବୈଧ ଅଧିକାରରେ ଜବରଦଖଲ କରିଥିବା ନୋଟିସରେ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ୨୦୨୫ମସିହା ମଇମାସ ୫ତାରିଖରେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ନୋଟିସରେ ଉଲ୍ଲେଖ ରହିଛି। ପରେ ସ୍ଥାନୀୟ ଭଦ୍ରଲୋକ, ସରପଞ୍ଚଙ୍କ ପ୍ରତିନିଧି ଓ ଗ୍ରାମର ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ସେହି ଆଲୋଚନାରେ ଜବରଦଖଲ ହଟାଇବାକୁ ପ୍ରତିପକ୍ଷ ସହମତି ପ୍ରକାଶ କରିଥିବା ଅଭିଯୋଗକାରୀଙ୍କ ପକ୍ଷରୁ ଦାବି କରାଯାଇଛି। ତେବେ ଏହା ପରେ ମଧ୍ୟ ଉକ୍ତ ସ୍ଥାନରେ ଘର ନିର୍ମାଣ ଆରମ୍ଭ କରାଯାଇଥିବା ନୋଟିସରେ ଅଭିଯୋଗ ହୋଇଛି। ବିବାଦର ସମାଧାନ ପାଇଁ ୨୦୨୫ମସିହା ଜୁଲାଇମାସ ୨ତାରିଖରେ ସ୍ଥାନୀୟ ଅମିନଙ୍କ ଦ୍ୱାରା ଜମିର ମାପଚୁପ କରାଯାଇଥିବା ଏବଂ ମାପଚୁପ ଓ ସ୍କେଚ୍ ମ୍ୟାପରୁ ଜବରଦଖଲ ସ୍ପଷ୍ଟ ହୋଇଥିବା ନୋଟିସରେ ଦାବି କରାଯାଇଛି। ଏଥିସହ ଜମିକୁ ନେଇ ବିରୋଧ କରିବାରୁ ଅଭିଯୋଗକାରୀ ଓ ତାଙ୍କ ପରିବାରକୁ ଜୀବନ ପ୍ରତି ଧମକ ଦିଆଯାଉଥିବା ମଧ୍ୟ ନୋଟିସରେ ଉଲ୍ଲେଖ କରାଯାଇଛି। ଏହି ଅଭିଯୋଗଗୁଡ଼ିକର ସ୍ୱତନ୍ତ୍ର ଆଇନଗତ ପ୍ରମାଣିକତା ସମ୍ପର୍କରେ ଅଦାଲତ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିି ହିଁ ଚୂଡ଼ାନ୍ତ ହେବ। ନୋଟିସ ମାଧ୍ୟମରେ ୧୫ ଦିନ ମଧ୍ୟରେ କଥିତ ଜବରଦଖଲ ହଟାଇବା, ନିର୍ମାଣ କାର୍ଯ୍ୟ ବନ୍ଦ କରିବା, ଯଦି କୌଣସି ନିର୍ମାଣ ହୋଇଥାଏ ତାହାକୁ ହଟାଇ ଜମିକୁ ପୂର୍ବାବସ୍ଥାକୁ ଫେରାଇବା ଏବଂ ଅଭିଯୋଗକାରୀଙ୍କୁ ଦଖଲ ପ୍ରଦାନ କରିବାକୁ ଦାବି କରାଯାଇଛି। ଏଥିସହ ଅଭିଯୋଗକାରୀ ଓ ତାଙ୍କ ପରିବାରକୁ ଧମକ କିମ୍ବା ଭୟଭୀତ କରିବା ବନ୍ଦ କରିବାକୁ ମଧ୍ୟ ନୋଟିସରେ କୁହାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ନହେଲେ ସିଭିଲ ଓ ଫୌଜଦାରୀ ଆଇନ ଅନୁଯାୟୀ ମାମଲା, ଜବରଦଖଲ ଉଚ୍ଛେଦ, ସ୍ଥାୟୀ ଓ ଅସ୍ଥାୟୀ ନିଷେଧାଜ୍ଞା, କ୍ଷତିପୂରଣ ଏବଂ ମକଦ୍ଦମା ଖର୍ଚ୍ଚ ଆଦି ପାଇଁ ଆଇନଗତ ପଦକ୍ଷେପ ନିଆଯିବ ବୋଲି ନୋଟିସରେ ଚେତାବନୀ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ