ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ: ମାଟି ଖୋଳି କେନ୍ଦ୍ରୀୟ ଟିମ୍‌ର ଯାଞ୍ଚ

କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : ବିଭିନ୍ନ ଖବର କାଗଜ ଓ ଜାତୀୟ ସ୍ତରୀୟ ଟେଲିଭିଜନ ରେ ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣର ମାନକୁ ନେଇ ଉଠିଥିବା ଅଭିଯୋଗ ଏବେ ତଦନ୍ତର କେନ୍ଦ୍ରବିନ୍ଦୁ ପାଲଟିଛି। କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳର ବାହିରିପଡାରୁ ଲେଞ୍ଜିପୁଟ ପର୍ଯ୍ୟନ୍ତ ଆରଡି ରାସ୍ତାର ନିର୍ମାଣ ମାନକୁ ନେଇ ସ୍ଥାନୀୟ ଅଭିଯୋଗ ପରେ କେନ୍ଦ୍ରୀୟ ଟିମ୍ ମାଇଦାନକୁ ଓହ୍ଲାଇ ଯାଞ୍ଚ କରିଛି। ଅଭିଯୋଗର ମୂଳ ପ୍ରଶ୍ନ ହେଉଛି—ରାସ୍ତା ନିର୍ମାଣ ପରେ ଏହାର ଆବଶ୍ୟକ ରକ୍ଷଣାବେକ୍ଷଣ ଓ ମରାମତି ଠିକ୍ ଭାବେ ହୋଇଛି କି? ରାସ୍ତାରେ ଫାଟ, ଗର୍ଭ ମରାମତି, ନାଳ ଓ କଲଭର୍ଟର ଅବସ୍ଥା ସହ ରାସ୍ତା ପାର୍ଶ୍ୱର ବିଭିନ୍ନ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଯାଞ୍ଚ ସମୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ରାସ୍ତାର ତିନୋଟି ସ୍ଥାନରେ ମାଟି ଖୋଳି ଯାଞ୍ଚ କରାଯିବା। କେବଳ ଉପରିଭାଗ ଦେଖି ରାସ୍ତାର ମାନ ନିର୍ଣ୍ଣୟ ନକରି ଭିତ୍ତିର ଗଠନ ଓ ନିର୍ମାଣ ସ୍ତରକୁ ଯାଞ୍ଚ କରାଯାଇଥିବାରୁ ଏହା ତଦନ୍ତର ଗୁରୁତ୍ୱପୂର୍ଣ୍ଣ ଦିଗ ପାଲଟିଛି। ଏହା ସହ କଲଭର୍ଟ ଓ ସିସି ରାସ୍ତାର ମଧ୍ୟ ଯାଞ୍ଚ କରାଯାଇଛି। ତେବେ ଏହି ଯାଞ୍ଚରେ କଣ ମିଳିଲା, ରାସ୍ତାର ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ କାମ ହୋଇଛି କି ନାହିଁ ଏବଂ କେଉଁଠି ତ୍ରୁଟି ରହିଛି—ତାହା ଅଧିକୃତ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ। ଅଭିଯୋଗ ପରେ ତଦନ୍ତ, ଏବେ ରିପୋର୍ଟ ଉପରେ ନଜର ସ୍ଥାନୀୟ ଲୋକଙ୍କ ଅଭିଯୋଗ କେନ୍ଦ୍ରୀୟ ସ୍ତରକୁ ପହଞ୍ଚିବା ପରେ ଟିମ୍ ନନ୍ଦପୁରରେ ପହଞ୍ଚି ଯାଞ୍ଚ କରିବା ଘଟଣାକୁ ଗୁରୁତ୍ୱ ଦେଇଛି। କିନ୍ତୁ ଯାଞ୍ଚ ପ୍ରକ୍ରିୟାକୁ ନେଇ ମଧ୍ୟ କିଛି ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ଦାବି, ରାସ୍ତାର ପ୍ରକୃତ ମାନ ଜାଣିବା ପାଇଁ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ କରାଯିବା ଆବଶ୍ୟକ। ଏବେ ପ୍ରଶ୍ନ ହେଉଛି—ମାଟି ଖୋଳିବା ପରେ ରାସ୍ତାର ଭିତ୍ତିର ପ୍ରକୃତ ମାନ କଣ ମିଳିଲା ..? ଅଭିଯୋଗ ଅନୁଯାୟୀ ନିର୍ମାଣ କିମ୍ବା ରକ୍ଷଣାବେକ୍ଷଣରେ କୌଣସି ଅନିୟମିତତା ହୋଇଛି କି? ଯଦି ତ୍ରୁଟି ମିଳେ, ତେବେ ଏଥିପାଇଁ ଦାୟୀ କିଏ? ଏସବୁ ପ୍ରଶ୍ନର ଉତ୍ତର ଏବେ କେନ୍ଦ୍ରୀୟ ଟିମ୍‌ର ଯାଞ୍ଚ ରିପୋର୍ଟ ଉପରେ ନିର୍ଭର କରୁଛି। ଅଭିଯୋଗ ସତ ନା କେବଳ ଅଭିଯୋଗ—ରିପୋର୍ଟ ହିଁ ଖୋଲିବ ରାସ୍ତା ନିର୍ମାଣର ଗୁମର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ