ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ

ଛତ୍ରପୁର (ଓ୍ବାଇଏନଏସ): ଭାରତୀୟ ସମ୍ବିଧାନର ବିଶିଷ୍ଟ ରୂପକାର, ସମାଜ ବିଜ୍ଞାନୀ, ଶିକ୍ଷାବିତ୍, ଆଇନଜୀବୀ, ସମାଜ ସଂସ୍କାରକ, ସୁଲେଖକ ଓ ମାନବିକ ଅଧିକାରର ବଡ ପ୍ରବକ୍ତା ଡଃ ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ଜିଲ୍ଲା ସ୍ତରୀୟ ୧୩୪ ତମ ଜନ୍ମ ଜୟନ୍ତୀ ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରସ୍ଥିତ ଇଞ୍ଜିନିୟରିଂ କଲେଜ ଛକ ଠାରେ ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୂର୍ବାହ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପମାଲ୍ୟାର୍ପଣ ଓ ସ୍ମୃତି ଚାରଣ ସଭା ଆୟୋଜିତ ହୋଇଥିଲା । ପରେପରେ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରି ଆମ୍ବେଦକରଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଭାରପ୍ରାପ୍ତ ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟରେ ବିଶିଷ୍ଟ ସମାଜସେବୀ ଅରୁଣ କୁମାର ଶତପଥୀ ପରିଚାଳନା କରି ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ ଯେ, ଆମ୍ବେଦକର ବହୁ ପ୍ରତିଭାର ଅଧିକାରୀ ହେଲେ ମଧ୍ୟ ତାଙ୍କ ଜୀବନ ଥିଲା ବହୁ ବିପର୍ଯ୍ୟୟ ଓ ନୈରାଶ୍ୟର କାହାଣୀ । ସେ ଏକ ଦଳିତ ପରିବାରରେ ଜନ୍ମ ହୋଇ ବହୁ ଅଭାବ, ଅସୁବିଧା, ଅସମ୍ମାନ ଓ ଭେଦଭାବକୁ ସାମ୍ନା କରିଥିଲେ । ଦଳିତ ମାନଙ୍କର ମାନବିକ ଅଧିକାର, ସାମାଜିକ ନ୍ୟାୟ ଓ ଏକ ଭେଦଭାବ ମୁକ୍ତ ସମାଜ ନିର୍ମାଣ ପାଇଁ ସେ ଜୀବନ ସାରା ସଂଗ୍ରାମ ଜାରି ରଖିଥିଲେ । ବାବା ସାହେବ୍ ଆମ୍ବେଦକର ସମାଜର ଅସ୍ପୃଶ୍ୟତା ଦୂର କରିବା, ଦଳିତ ମାନଙ୍କ ଅଧିକାରକୁ ସମ୍ବିଧାନରେ ସାବ୍ୟସ୍ତ କରିବା ଓ ସମାଜରୁ ସକଳ ଭେଦଭାବ ବିଲୋପ କରି ବଞ୍ଚିତ ଗୋଷ୍ଠୀକୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସମ୍ବିଧାନ ସଭାର ସଭ୍ୟ ହେବାକୁ ଆଗ୍ରହୀ ଥିଲେ ଓ ପରିଶେଷରେ ପଶ୍ଚିମ ବଙ୍ଗରୁ ସମ୍ବିଧାନ ସଭାର ସଭ୍ୟରୂପେ ମନୋନୀତ ହୋଇଥିଲେ । ଅନ୍ୟତମ ବକ୍ତା ରାଜେନ୍ଦ୍ର କୁମାର ଦାଶ କହିଥିଲେଯେ, ଆମ୍ବେଦକର ସମ୍ବିଧାନକୁ ତର୍ଜମା କରି ସମାଜରୁ ଅସ୍ପୃଶ୍ୟତା ନିବାରଣ କରିପାରିଛନ୍ତି । ତାଙ୍କ ଅସୀମ ଜ୍ଞାନ ପାଖରେ ଆଜି ଆମେ ନତମସ୍ତକ । ଆମ୍ବେକରଙ୍କ ଯୋଗୁଁ ଆଜି ସମାଜର ବିକାଶ ହୋଇପାରିଛି । ତାଙ୍କ କର୍ମ ଆଜି ତାଙ୍କୁ ଅମର କରି ରଖିପାରିଛି । ସମାଜରେ ଆଜି ଜାତିକୁ ନୁହେଁ ଜ୍ଞାନକୁ ପୂଜା କରାଯାଉଛି । ଆଜି ସମାଜରେ ବାଛନ୍ଦ ନାହିଁ – ଏହା କେବଳ ସମ୍ଭବ ହୋଇପାରିଛି ତାଙ୍କର ଚିନ୍ତାଧାରା ଯୋଗୁଁ । ସମ୍ମାନୀତ ଅତିଥି ତଥା ଅନ୍ୟତମ ବକ୍ତା ଅବନୀକାନ୍ତ ଗୟା ତାଙ୍କ ଅଭିଭାଷଣରେ କହିଛନ୍ତିଯେ, ଆମ୍ବେଦକର ଜଣେ ଦଳିତ, ନିଶ୍ପେଷିତ ବ୍ୟକ୍ତି ଥିଲେ । ତାଙ୍କ ଜୀବନ ବହୁ ସଂଘର୍ଷମୟ ଥିଲା । ଅନେକ ଘାତ ପ୍ରତିଘାତରେ ସେ ପାଠ ପଢି ଅନେକ ଶିକ୍ଷାଗତ ଯୋଗ୍ୟତାର ଅଧି୍କାରୀ ହୋଇପାରିଥିଲେ । ନାନା ବିବିଧତା ମଧ୍ୟରେ ଏକ ସ୍ବାଧୀନ ସଂହତିପୂର୍ଣ୍ଣ ରାଷ୍ଟ୍ର ନିର୍ମାଣ କରିବା ଆମ୍ବେଦକରଙ୍କ ଲକ୍ଷ୍ୟ ଥିଲା । ସମସ୍ତ ନାଗରିକଙ୍କର ଆତ୍ମ ସମ୍ମାନ, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବିଚାରଶୀଳ ମାନବବାଦୀ ଆଭିମୁଖ୍ଯ ଦେଶ ପାଇଁ ପ୍ରେରଣାଦାୟୀ ଆଦର୍ଶ ହୋଇ ରହିବ । ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ବିଘ୍ନେଶ୍ବର ସାହୁ କହିଥିଲେ ଯେ, ସମ୍ବିଧାନର ଖସଡା ପ୍ରସ୍ତୁତ କରିବାରେ ଓ ଏହାର ଭାଷାକୁ ସୁନ୍ଦର ଭାବେ ଅଭିବ୍ୟକ୍ତି ଦେବାରେ ଆମ୍ବେଦକର ଯେଉଁ ଶ୍ରମ, ଶକ୍ତି ଓ ସମୟ ବ୍ୟୟ କରିଛନ୍ତି ତାହା ପ୍ରକୃତରେ ଅଭିନନ୍ଦନୀୟା । ସମ୍ବିଧାନ ସଭାର ସଭାପତି ଡଃ ରାଜେନ୍ଦ୍ର ପ୍ରସାଦ ନେହେରୁଙ୍କ ପରାମର୍ଶ କ୍ରମେ ୧୯୪୭ ଅଗଷ୍ଟ ୨୯ ରେ ଆମ୍ବେଦକରଙ୍କ ନାମ ସମ୍ବିଧାନ ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ବୋଲି ସମ୍ବିଧାନ ସଭାରେ ଘୋଷଣା କଲେ । ତାଙ୍କ ସହିତ ଆଉ ୬ ଜଣ ବ୍ୟକ୍ତି ସମ୍ବିଧାନ ପ୍ରସ୍ତୁତି କମିଟିରେ ମଧ୍ୟ ସଦସ୍ୟ ରହିଲେ । ସମ୍ବିଧାନ ପ୍ରସ୍ତୁତ କରିବାର କାର୍ଯ୍ୟଟି ଶେଷରେ ଆମ୍ବେଦକରଙ୍କ ଉପରେ ନ୍ୟସ୍ତ ରହିଲା । ଅନ୍ୟତମ ଅତିଥି ତଥା ବିଶିଷ୍ଟ ସାମ୍ବାଦିକ ଡ ରାଜେନ୍ଦ୍ର ରାଜୁ କହିଥିଲେ ଯେ, ଆମ୍ବେଦକର ସମ୍ବିଧାନର ପ୍ରଣେତା ଥିଲେ । ସମ୍ବିଧାନର ପ୍ରଥମ ଡ୍ରାଫ୍ଟ ଟି ପ୍ରସ୍ତୁତ ହେବା ପରେ ଏହାକୁ ସର୍ବ ସାଧାରଣରେ ପ୍ରକାଶ କରାଯାଇ ଜନସାଧାରଣଙ୍କ ମତାମତ ସଂଗ୍ରହ କରାଯାଇ ସମ୍ବିଧାନକୁ ପୂର୍ଣ୍ଣାଙ୍ଗ ରୂପରେଖ ଦିଆଗଲା । ପୃଥିବୀର ବିଭିନ୍ନ ଦେଶର ଆଇନ ଓ ସମ୍ବିଧାନ ବିଷୟରେ ଏତେ କଥା ଜାଣିବା ସମ୍ଭବତଃ କାହା ପାଖରେ ସମ୍ଭବ ନୁହେଁ । ସେ ଯଥାର୍ଥରେ ଜଣେ ସମ୍ବିଧାନ ବିଶାରଦ । ତେଣୁକରି ସମ୍ବିଧାନ ସଭାର ସଭାପତି ଡଃ ରାଜେନ୍ଦ୍ର ପ୍ରସାଦ ଶେଷରେ କହିଥିଲେ, ଆମ୍ବେଦକରଙ୍କୁ ଯେଉଁ ଦାୟୀତ୍ବ ଦିଆ ଯାଇଥିଲା ସେ ତାହାକୁ କେବଳ ସଫଳତାର ସହ ସମାପନ କରିଛନ୍ତି, ତାହା ନୁହେଁ, ସେ ସମ୍ବିଧାନ ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ଭାବେ ସେହି ପଦର ଗାରିମା ବୃଦ୍ଧି କରିଛନ୍ତି । ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗ ଦେଇ କହିଥିଲେ ଯେ, ସମ୍ବିଧାନ ସଭାରେ ସମ୍ବିଧାନ ପାରିତ ହେବା ପୂର୍ବରୁ ଆମ୍ବେଦକର ମାନନୀୟ ସଦସ୍ୟ ମାନଙ୍କର ମତାମତ ଶୁଣିବା ପରେ ଯେଉଁ ମତବ୍ୟକ୍ତ କରିଥିଲେ ତାହା ମଧ୍ୟ ଅତ୍ୟନ୍ତ ଭାବଗର୍ଭକ ଥିଲା । ସେ କହିଥିଲେ ଯେ, ଏକ ସମ୍ବିଧାନର କାର୍ଯ୍ୟକାରିତା ଏହାର ସ୍ବରୂପ ଉପରେ ନିର୍ଭର କରେ ନାହିଁ । ଏହା ଏକ ରାଷ୍ଟ୍ରର ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟ ପାଳିକା ଉପରେ ନିର୍ଭର କରେ । ଲୋକମାନେ ଓ ରାଜନୈତିକ ଶକ୍ତି ମାନେ ସାମ୍ବିଧାନିକ ଆଦର୍ଶ ଗୁଡିକୁ କିପରି ପାଳନ କରବେ ଓ ଏହାର ମର୍ଯ୍ୟାଦା ରକ୍ଷା କରିବେ ଏହା ସେମାନଙ୍କ ଉପରେ ନିର୍ଭର କରୁଛି ।ଏକ ସମ୍ବିଧାନର ଆଭିମୁଖ୍ଯ ଯେତେ ମହତ୍ ହେଲେ ମଧ୍ୟ ଯଦି ଲୋକମାନେ ଓ ରାଜନୈତିକ ଶକ୍ତିମାନେ ଅସାମ୍ବିଧାନିକ ଓ ବୈପ୍ଲବିକ ପନ୍ଥାର ଆଶ୍ରୟ ନେବେ ତେବେ ସମ୍ବିଧାନର ପନ୍ଥା ଯେ ବ୍ୟର୍ଥ ହୋଇଛି ଏହା କେବଳ କେହି ପ୍ରଫେଟ୍ ହିଁ କହିପାରିବେ । ବସ୍ତୁତଃ ଏକ ସମ୍ବିଧାନ ରାଷ୍ଟ୍ରର ଲକ୍ଷ୍ୟ, ସ୍ବପ୍ନ ଓ ଆଦର୍ଶକୁ କେତେ ସାର୍ଥକ କରିପାରିବ ତାହା ଭବିଷ୍ୟତ ହିଁ କହିବ । ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ବନ୍ଧୁଗଣ, ଛାତ୍ରଛାତ୍ରୀ ଗଣ ଯୋଗ ଦେଇ ଉତ୍ସବଟିକୁ ସାଫଲ୍ୟମଣ୍ଡିତ କରିଥିଲେ । ଓଡିଆ ପକ୍ଷ ପାଳନର ପ୍ରମାଣପତ୍ର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ଅରୁଣ କୁମାର ଶତପଥୀ ସଂଯୋଜନା କରିଥିବା ବେଳେ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ