ଜଳଯନ୍ତ୍ରଣାରେ ଛଟପଟ ପଶୁପକ୍ଷୀ! ସାହିବସ୍ତିରେ କେବେ ସ୍ଥାପିତ ହେବ ଜଳକୁଣ୍ଡ ?
ଆସିକା(ୱାଇଏନ୍ଏସ୍): ପ୍ରଚଣ୍ଡ ଖରାରେ ବୁଲା ପଶୁଜନ୍ତୁ ଓ ପକ୍ଷୀମାନେ ଶୋଷ ମେଣ୍ଟାଇବା ପାଇଁ ଆସିକା ସହରର ସମସ୍ତ ସାହିବସ୍ତି ଗୁଡିକରେ ଅଦ୍ୟାବଧି ଜଳକୁଣ୍ଡ ସ୍ଥାପନ ହୋଇପାରିନଥିବା ଯୋଗୁଁ ବୁଲା ପଶୁଯନ୍ତୁôମାନେ ଜଳଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳୁଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବୁଲା ଗାଈଗୋରୁ, କୁକୁର ଓ ପକ୍ଷୀମାନଙ୍କ ଶୋଷ ମେଣ୍ଟାଇବା ପାଇଁ ସହରର ସମସ୍ତ ସାହିବସ୍ତି ଗୁଡିକରେ ଜଳପାତ୍ର ସ୍ଥାପନ କରିବା ଦିଗରେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି । ପ୍ରଶାସନ ପକ୍ଷରୁ ପଶୁପକ୍ଷୀମାନଙ୍କୁ ପାନୀୟ ଜଳ ଯୋଗାଇଦେବା ପାଇଁ ସହରର ହରିହର ହାଇସ୍କୁଲ ମୁଖ୍ୟରାସ୍ତା ପାଶ୍ୱର୍, ବାଣିବିହାର ମୁଖ୍ୟରାସ୍ତା ପାଶ୍ୱର୍, ବିଜୁ ପଟ୍ଟନାୟକ ଛକ, ଶବ ବ୍ୟବଚ୍ଛେଦ ଗୃହ ଛକ, କୁମ୍ଭାର ସାହି ମୁଖ୍ୟରାସ୍ତା ପାଶ୍ୱର୍ ସମେତ ଅନ୍ୟ କେତେକ ହାତଗଣତି ସାହିବସ୍ତିରେ ଲୋକ ଦେଖାଣିଆ ଭାବେ ଜଳକୁଣ୍ଡ ସ୍ଥାପନ କରାଯାଇ ବୁଲା ପଶୁପକ୍ଷୀମାନଙ୍କ ପାଇଁ ପାନୀୟ ଜଳର ସୁବିଧା କରାଯାଇଥିଲା ବେଳେ ସହରର ଅନ୍ୟ ଅଞ୍ଚଳମାନଙ୍କରେ କେଉଁ କାରଣରୁ ଜଳକୁଣ୍ଡ ସ୍ଥାପନରେ ବିଳମ୍ବ କରାଯାଉଛି ତାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିଲା ବେଳେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଶୈଳୀ ପ୍ରତି ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି । ପ୍ରଶାସନ ପକ୍ଷରୁ ଆସିକା ସହରର ଜଳକୁଣ୍ଡ ସ୍ଥାପନ ହୋଇନଥିବା ସାହିବସ୍ତିରେ ପାଣିଟୋପାଏ ପିଇବା ପାଇଁ ବୁଲା ପଶୁଜନ୍ତୁ ଓ ପକ୍ଷୀମାନେ ପ୍ରଚଣ୍ଡ ରୌଦ୍ରତାପରେ ଡହଳବିକଳ ହେବା ସହ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ମେ ମାସର ଟାଇଁ ଟାଇଁ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିଲା ବେଳେ ଦିନ ୧୧ଟା ପରେ ଦାଉ ସାଧୁଛି ଖରା । ଯେଉଁଠି ମଣିଷ ପକ୍ଷେ ଘରୁ ବାହାରିବା ପ୍ରଚଣ୍ଡ ଖରାରେ ସମ୍ଭବପର ହେଉନାହିଁ ଏପରିସ୍ଥଳେ କେତେକ ଅଞ୍ଚଳରେ ବୁଲା ପଶୁପକ୍ଷୀଙ୍କ ପରିସ୍ଥିତି ଅଧିକ ଜଟିଳ ହୋଇପଡୁଥିବା ଦେଖିବାକୁ ମିଳୁଛି । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ସାଧାରଣ ଜନତାଙ୍କ ପାଖରେ ନାନା ସୁବିଧା ଥିଲା ବେଳେ ଏପରି କ୍ଷେତ୍ରରେ ପଶୁପକ୍ଷୀଙ୍କ କଥା ପଚାରେ ବା କିଏ । ପଶୁପକ୍ଷୀଙ୍କ ତୃଷା ନିବାରଣ ପାଇଁ ସହରର ସମସ୍ତ ସାହିବସ୍ତି ଗୁଡିକରେ କେବେ ଜଳକୁଣ୍ଡ ସ୍ଥାପନ ହେବ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । କହିବାର ଶକ୍ତି ନାହିଁ ବୋଲି ବୁଲା ଗାଈଗୋରୁ ଓ ପଶୁପକ୍ଷୀ ମାନେ ପ୍ରତିବାଦ କରିପାରୁନାହାନ୍ତି । ସହରର ସାହିବସ୍ତିରେ ଜଳକୁଣ୍ଡ ସ୍ଥାପନ ପାଇଁ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ପ୍ରଚଣ୍ଡ ଖରାରେ ପାଣି ଟୋପାଏ ପାଇଁ ବୁଲା ପଶୁପକ୍ଷୀମାନେ ସନ୍ତୁଳି ହେଉଛନ୍ତି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଖରା ବଢୁଛି ଅଥଚ ବର୍ତ୍ତମାନ ସୁଦ୍ଧା ବୁଲା ପଶୁପକ୍ଷୀ ଏବଂ ବୁଲା ଗାଈଗୋରୁମାନେ ପିଇବା ପାଇଁ ସମସ୍ତ ସାହିବସ୍ତି ଗୁଡିକରେ ଜଳକୁଣ୍ଡ ରଖିବା ସମ୍ଭବପର ହୋଇପାରି ନାହିଁ । ଖାଦ୍ୟ ତ ଦୂରେ ଥାଉ, ଖରାରେ ଡହଳ ବିକଳ ପରିସ୍ଥିତିରେ ପାଣି ମୁନ୍ଦେ ମିଳିବା ବୁଲା ପଶୁପକ୍ଷୀଙ୍କ ପାଇଁ କେତେକ ସାହିବସ୍ତିରେ ମୁସ୍କିଲ୍ ହୋଇପଡିଲାଣି । ଏପରି କ୍ଷେତ୍ରରେ ବୁଲା ପଶୁପକ୍ଷୀ ଏବଂ ବୁଲା ଗାଈଗୋରୁଙ୍କ କଥା ବୁଝିବ ବା କିଏ ? ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସିକା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ପ୍ରଶାସନ ପକ୍ଷରୁ ସହରର ଯେଉଁ ସବୁ ସ୍ଥାନରେ ଜଳକୁଣ୍ଡ ସ୍ଥାପନ କରାଯାଇଛି ସେହିି ଅଞ୍ଚଳରେ ହିଁ ବୁଲା ପଶୁଜନ୍ତୁ ଓ ପକ୍ଷୀମାନେ ଅଛନ୍ତି ନା ସହରର ସମସ୍ତ ସାହିବସ୍ତିରେ ଅଛନ୍ତି ତାହାକୁ ନେଇ ମଧ୍ୟ ନାନା କଥା ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ବୁଲା ପଶୁଜନ୍ତୁ ଓ ପକ୍ଷୀମାନଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ଗ୍ରୀଷ୍ମର ପ୍ରକୋପରୁ ରକ୍ଷା ପାଇବା ପାଇଁ ସହରର ସମସ୍ତ ସାହିବସ୍ତି ଗୁଡିକରେ ଜଳକୁଣ୍ଡ ସ୍ଥାପନ ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।


