ଯୁକ୍ତଦୁଇ ପ୍ରଥମ ବର୍ଷ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ
ଆସିକା (ୱାଇଏନ୍ଏସ୍): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ଲାଗି ଯୁକ୍ତଦୁଇ ପ୍ରଥମବର୍ଷ (ଏକାଦଶ) ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମଙ୍ଗଳବାର ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆଗ୍ରହୀ ଛାତ୍ରଛାତ୍ରୀମାନେ ଯୁକ୍ତଦୁଇ ଶ୍ରେଣୀରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷକ ଓ ସଂସ୍କୃତ ଉପଶାସ୍ତ୍ରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନକାରୀମାନେ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ (ସାମ୍ସ ପୋର୍ଟାଲ୍) ମାଧ୍ୟମରେ ଅନ୍ଲାଇନ୍ ଜରିଆରେ ଆବେଦନ କରୁଥିବା ଦେଖିବାକୁ ମିଳୁଛି । ଆସନ୍ତା ଜୁନ୍ ମାସ ୩୦ ତାରିଖ ପର୍ଯ୍ୟନ୍ତ ଯୁକ୍ତଦୁଇ ପ୍ରଥମବର୍ଷ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଶେଷ ତାରିଖ ରହିଥିବା ବେଳେ ପ୍ରଥମ ମେଧା ତାଲିକା ଜୁଲାଇ ମାସ ୮ ତାରିଖରେ ପ୍ରକାଶ ପାଇବ ଏବଂ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଜୁଲାଇ ମାସ ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମନୋନୀତ ହୋଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ରିପୋର୍ଟିଂ ସହ ନାମ ଲେଖାଇ ପାରିବେ ବୋଲି ଜଣାପଡିଛି । ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମରେ ୨୫୬ଟି ଲେଖାଏଁ ସିଟ୍ ରହିଥିଲା ବେଳେ ବାଣିଜ୍ୟ ଓ କଳା ବିଭାଗର ଧନ୍ଦାମୂଳକ ପାଠ୍ୟକ୍ରମରେ ୩୬ଟି ସିଟ୍ ରହିଥିବା ଜଣାପଡିଛି । ସେହିଭଳି ନିମିନା ବୃନ୍ଦାବନ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ କଳା ପାଠ୍ୟକ୍ରମରେ ୨୫୬ଟି ଓ ବିଜ୍ଞାନ ପାଠ୍ୟକ୍ରମରେ ୧୨୮ଟି ସିଟ୍ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪୮ଟି ସିଟ୍ ରହିଥିବା ଜଣାପଡିଛି । ଆସିକା ସରକାରୀ ନିରଂଜନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ କଳା ପାଠ୍ୟକ୍ରମରେ ୨୫୬ଟି ସିଟ୍ ଓ ବିଜ୍ଞାନ ପାଠ୍ୟକ୍ରମରେ ୧୨୮ଟି ସିଟ୍ ରହିଥିବା ବେଳେ ସରସ୍ୱତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମରେ ୧୨୮ଟି ସିଟ୍ ରହିଥିବା ବେଳେ ମେକ୍ ମାଇକେଲ୍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ଉପଶାସ୍ତ୍ରୀ ପାଠ୍ୟକ୍ରମରେ ୯୬ଟି ସିଟ୍ ରହିଥିବା ଜଣାପଡିଛି । ଆସନ୍ତା ଜୁଲାଇ ମାସ ୨୩ ତାରିଖରୁ ଯୁକ୍ତଦୁଇ ପ୍ରଥମବର୍ଷ ନବାଗତ ବିଦ୍ୟାର୍ଥୀଙ୍କ ପାଠପଢା ଆରମ୍ଭ ହେବ ବୋଲି ଜଣାପଡିଛି । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବହୁ ବିଦ୍ୟାର୍ଥୀ ଯୁକ୍ତ ଦୁଇ ପ୍ରଥମବର୍ଷ ପାଠ୍ୟକ୍ରମରେ ନାମ ଲେଖାଇବା ପରିବର୍ତ୍ତେ ଆଇଟିଆଇ, ଡିପ୍ଳୋମା ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଯୋଗୁଁ ଚଳିତବର୍ଷ ଆସିକା ଅଞ୍ଚଳର କେତେକ ଯୁକ୍ତଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ ମହାବିିଦ୍ୟାଳୟ) ରେ ବହୁ ସିଟ୍ ଖାଲି ପଡିବ ବୋଲି ଆଶଙ୍କା କରାଯାଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ୫ଟି ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଯୁକ୍ତଦୁଇ ଶିକ୍ଷାନୁଷ୍ଠାନ ଗୁଡିକରେ ଚଳିତବର୍ଷ ବିଜ୍ଞାନ, କଳା, ବାଣିଜ୍ୟ, ସଂସ୍କୃତ ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପାଇଁ ୧୮୪୪ ସିଟ୍ ରହିଥିବା ଜଣାପଡିଛି । ସାଧାରଣ ବର୍ଗଙ୍କ ଆବେଦନ ଦେୟ ୨୦୦ ଟଙ୍କା ଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ୧୦୦ ଟଙ୍କା ରହିଛି । ମାଧ୍ୟମିକ ଶିକ୍ଷା ପରିଷଦ କିମ୍ବା ସମକକ୍ଷ ବୋର୍ଡରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ଆବେଦନ କରିବାର ବ୍ୟବସ୍ଥା କରାଯାଇଥିଲା ବେଳେ ଆସନ୍ତା ଜୁଲାଇ ମାସ ୨୩ ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶିତ ହେବ ଏବଂ ଜୁଲାଇ ୨୪ ରୁ ୨୮ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ ବୋଲି ଜଣାପଡିଛି ।


