ସାମାନ୍ୟ ବର୍ଷାରେ ଆସିକା କୁମ୍ଭାର ସାହିରେ କୃତ୍ରିିମ ବନ୍ୟା
ଆସିକା (ୱାଇଏନ୍ଏସ୍): ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗୁରବାର ଅପରାହ୍ନରେ ଦୀର୍ଘ ପ୍ରାୟ ୧ ଘଣ୍ଟା ଧରି ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଯାହାରି ଫଳରେ ସାଧାରଣ ଜନତାଙ୍କୁ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆସିକା ସହରର ବ୍ୟସ୍ତବହୁଳ ତଥା ସଦାସର୍ବଦା ଜନଗହଳିପୂର୍ଣ୍ଣ ୧୧ନଂ ୱାର୍ଡର କୁମ୍ଭାର ସାହିର ମୁଖ୍ୟରାସ୍ତାରେ ଗୁରବାର ଅପରାହ୍ନରେ ସାମାନ୍ୟ ବର୍ଷାରେ କିଛି ସମୟ ଲାଗି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଅସରାଏ ବର୍ଷାରେ ବର୍ଷାଜଳ ଦୀର୍ଘ ସମୟ ଧରି ନିଷ୍କାସନ ହୋଇନପାରି କୁମ୍ଭାର ସାହିର ମୁଖ୍ୟ ରାସ୍ତାରେ ଲଉଡି ମାରୁଥିବା ଯୋଗୁଁ ସାଧାରଣ ଜନତାଙ୍କ ଯାତାୟତ କ୍ଷେତ୍ରରେ ନାହିଁନଥିବା ସମସ୍ୟା ସୃଷ୍ଟି ହୋଇଥିଲା । ଆସିକା ସହରର କୁମ୍ଭାର ସାହି ମୁଖ୍ୟରାସ୍ତା ଏକ ବ୍ୟସ୍ତବହୁଳ ତଥା ପ୍ରମୁଖ ରାସ୍ତା ରୂପେ ପରିଚିତ ରହିଛି । ଉକ୍ତ ରାସ୍ତା ଉପରେ ଦୈନିକ ଶହ ଶହ ଜନତା ଯାତାୟତ କରୁଥିବା ବେଳେ ସଂଖ୍ୟାଧିକ ଗାଡିମୋଟର ଚଳାଚଳ କରିଥାଏ । ତେବେ ଉକ୍ତ ବ୍ୟସ୍ତବହୁଳ କୁମ୍ଭାର ସାହିର ମୁଖ୍ୟରାସ୍ତାରେ ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ଗୁରବାର ଅପରାହ୍ନରେ ହୋଇଥିବା ସାମାନ୍ୟ ବର୍ଷାରେ ଉଦ୍ବୃତ୍ତ ବର୍ଷାଜଳ ସଠିକ୍ ସମୟରେ ନିଷ୍କାସିତ ହୋଇନପାରି ଘଣ୍ଟାଘଣ୍ଟା ଧରି ମୁଖ୍ୟରାସ୍ତାରେ ଲଉଡି ମାରିଥିବା ବେଳେ ସାଧାରଣ ଜନତାଙ୍କ ଯାତାୟତରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଗତ କିଛି ଦିନ ଧରି ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପ୍ରଚଣ୍ଡ ତାତି ଅନୁଭୁତ ହେଉଥିଲା। ଅସହ୍ୟ ରୌଦ୍ର ତାପରେ ଲୋକେ ଡହଳ ବିକଳ ହେଉଥିଲା ବେଳେ ଗୁରବାର ଅପରାହ୍ନରେ ହଠାତ୍ ପାଗ ବଦଳିବା ସହ ଦୀର୍ଘ ସମୟ ଧରି ବର୍ଷା ହୋଇଥିଲା। ବର୍ଷା ହେବା ଫଳରେ ପ୍ରବଳ ତାତିରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ଦେଖିବାକୁ ମିଳିଛି । ଯାହାରି ଫଳରେ ଆସିକା ଅଞ୍ଚଳବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ କିଛିଟା ନିସ୍ତାର ମିଳିଥିବା ଲକ୍ଷ୍ୟ କରାଯାଇଛି। ସାମାନ୍ୟ ବର୍ଷାରେ କୁମ୍ଭାର ସାହିର ମୁଖ୍ୟରାସ୍ତାରେ ପାଣି ଜମି କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି ହୋଇଥିଲା ବେଳେ ରାସ୍ତା ଓ ନାଳ ଦୀର୍ଘ ସମୟ ଧରି ଏକାକାର ହୋଇପଡିଥିଲା । ଯାହାରି ଫଳରେ ଆସିକା ପୌର ପରିଷଦର ବର୍ଷାଜଳ ନିଷ୍କାସନ ପାଇଁ ନିଆଯାଇଥିବା ପ୍ରସ୍ତୁତି ପଦାରେ ପଡିଲା ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଇଛି । ସହରର ବ୍ୟସ୍ତବହୁଳ କୁମ୍ଭାର ସାହିର କେତେକ ସ୍ଥାନରେ ଖାଲଖମା ହୋଇଥିବା ଯୋଗୁଁ ବର୍ଷାପାଣି ଦୀର୍ଘ ସମୟ ଧରି ଜମାଟ ବାନ୍ଧି ରହି ଲୋକଙ୍କ ଯାତାୟତରେ ନାନା ସମସ୍ୟା ସୃଷ୍ଟି ହୋଇଥିଲା । ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସହରର ବ୍ୟସ୍ତବହୁଳ କୁମ୍ଭାର ସାହି ଅଞ୍ଚଳରେ ଲାଗି ରହିଥିବା ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଧାରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


