ଦକ୍ଷିଣାଞ୍ଚଳ ଆର୍ଡିସି ଭାବେ ଦାୟିତ୍ୱ ନେଲେ ବିଜୟ ଅମୃତା କୁଲାଙ୍ଗେ
ଛତ୍ରପୁର, (ଓ୍ବାଇଏନଏସ): ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍ଡିସି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ।
ଦାୟିତ୍ୱ ଗ୍ରହଣ ପରେ ବୁଧବାର ସେ ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ। ପୀଠରେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ସେ ଜନସାଧାରଣଙ୍କ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ତାଙ୍କୁ ମା’ ତାରାତାରିଣୀଙ୍କ ପୀଠରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା, ମନ୍ଦିର ଉନ୍ନୟନ ପରିଷଦର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଓ ସେବାୟତ ବାପୁଜୀ ରଣା ପ୍ରମୁଖ ଉପସ୍ଥିତ ଥିଲେ। ଗଞ୍ଜାମ ସହ କୁଲାଙ୍ଗେଙ୍କର ପୂର୍ବରୁ ମଧ୍ୟ ଗଭୀର ପ୍ରଶାସନିକ ସମ୍ପର୍କ ରହିଛି। ଜିଲ୍ଲାର ଜିଲ୍ଲାପାଳ ଭାବେ ସେ ୪ ଅଗଷ୍ଟ ୨୦୧୮ରୁ ୨୦ ଜୁନ୍ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଧିକାରିକ ତଥ୍ୟରେ ମଧ୍ୟ ତାଙ୍କ କାର୍ଯ୍ୟକାଳ ଏହି ସମୟସୀମା ମଧ୍ୟରେ ଥିବା ଉଲ୍ଲେଖ ରହିଛି। ଏହା ପୂର୍ବରୁ ସେ ଗଞ୍ଜାମରେ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଜିଲ୍ଲାପାଳ ଭାବେ ଦୀର୍ଘ ସମୟ ଧରି ଗଞ୍ଜାମର ପ୍ରଶାସନିକ ଦାୟିତ୍ୱ ତୁଲାଇବା ପରେ ୨୦ ଜୁନ୍ ୨୦୨୨ରେ ସେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କମିଶନର ଭାବେ ଦାୟିତ୍ୱ ନେଇଥିଲେ।
ପରବର୍ତ୍ତୀ ସମୟରେ ସେ ଓଏମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ ଏବଂ ପଶୁପାଳନ ଓ ପଶୁଚିକିତ୍ସା ସେବା ନିର୍ଦ୍ଦେଶକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ଏବେ ଦକ୍ଷିଣାଞ୍ଚଳ ଆର୍ଡିସି ଭାବେ ତାଙ୍କ ନିଯୁକ୍ତି ପରେ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର ପ୍ରଶାସନିକ ଦାୟିତ୍ୱରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ।


