ଏମ୍ଜିଏନ୍ଆରଇଜିଏସ୍ ଯୋଜନାରେ କାର୍ଯ୍ୟ କରା ନ ଯାଇ ବିଲ୍ ପ୍ରଦାନ: ତଦନ୍ତ ପାଇଁ ଦାବି
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଂଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆରଇଜିଏସ୍) ରେ ପ୍ରକଳ୍ପ କାର୍ଯ୍ୟ ନ ହୋଇ ବିଲ୍ ହୋଇଥିବା ନେଇ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରାଯାଇଛି। ଏହି ଅଭିଯୋଗ ସାମାଜିକ କର୍ମୀ ଦେବଜ୍ୟୋତି ମହାନ୍ତି କରିଥିବା ବେଳେ ଏହା ଉପରେ ତଦନ୍ତ କରିବା ପାଇଁ ବ୍ଲକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଙ୍କିତା ଜାଲିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ମୁତାବକ ଉକ୍ତ ପଂଚାୟତର କୁତାମଚଣ୍ଡୀ ମନ୍ଦିର ଠାରୁ ବାଲିଘାଇ ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ କରାଯିବା ପାଇଁ ଏକ ପ୍ରକଳ୍ପ ମଂଜୁରୀ ହୋଇଛି। ଏମ୍ଜିଏନ୍ଆରଇଜିଏସ୍ ନିୟମ ଅନୁସାରେ ପ୍ରଥମେ ଚିହ୍ନଟ ପ୍ରକଳ୍ପ ସ୍ଥଳରେ ସୂଚନା ଫଳକ ଲଗାଯଇ କାର୍ଯ୍ୟ ଆରମ୍ଭ ହେବ। କିନ୍ତୁ ପ୍ରକଳ୍ପ ସ୍ଥଳରେ ସୂଚନା ଫଳକ ନିର୍ମାଣ କରାଯାଇନାହିଁ। ଏପରିକି କାର୍ଯ୍ୟସ୍ଥଳରେ ମୁଠାଏ ମାଟି ନ ପଡି ଗ୍ରାମସାଥିଙ୍କ ଦ୍ୱାରା ୧୦ଜଣ ସ୍ଥାନୀୟ ଲୋକଙ୍କୁ ପ୍ରକଳ୍ପ ସ୍ଥଳରେ ଛିଡା କରାଯାଇ ସେମାନଙ୍କର ଫଟୋ ଉତୋଳନ କରାଯାଇଛି। ଉକ୍ତ ଫଟୋକୁ ପରବର୍ତି ସମୟରେ ଏନ୍ଏମ୍ଏମ୍ଏସ୍ ଆପର ଫଟୋ ଅପଲୋଡ କରାଯାଇ ମଷ୍ଟରରୋଲରେ ଜବକାର୍ଡ ଧାରୀଙ୍କ ନାମରେ ମିଥ୍ୟା ଉପସ୍ଥାନ ଦର୍ଶାଯାଇଛି। ଏହି କାର୍ଯ୍ୟ ଜୁନ୍ ୯ ଠାରୁ ଆରମ୍ଭ ହୋଇଥିବା ମଷ୍ଟରରୋଲର ଜଣାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବର୍ଷା ୠତୁ ହେତୁ ଏମ୍ଜିଏନ୍ଆରଇଜିଏସ୍ କାର୍ଯ୍ୟ ଜୁନ୍ ୧୫ ପରଠାରୁ ବନ୍ଦ ହେବା ପାଇଁ ନିୟମ ରହିଛି। କିନ୍ତୁ ଏହି ପଂଚାୟତ ଦାୟିତ୍ୱରେ ଥିବା ଏଡିଇଓ ଏମ୍ଜିଏନ୍ଆରଇଜିଏସ୍ ନିୟମକୁ ଖୁଲମଖୁଲା ଉଲଘଂନ କରି ଜୁନ୍ ୧୫ ପରେ କରିଛନ୍ତି। ଏପରିକି ୧ ଜୁଲାଇ ୨୦୨୫ ରୁ ୭ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ମଷ୍ଟରରୋଲ ଡିମାଣ୍ଡ କରାଯାଇଛି। ପରେ ଗ୍ରାମସାଥୀ (ମେଟ୍) ୧ ଜୁଲାଇ ଓ ୨ ଜୁଲାଇରେ ଏନ୍ଏମ୍ଏମ୍ଏସ୍ ଆପରେ ଫଟୋ ଅପଲୋଡ କରାଇ ମଷ୍ଟରରୋଲରେ ମିଥ୍ୟା ଉପସ୍ଥାନ ଦର୍ଶାଇଛନ୍ତି। ହେଲେ କେବଳ ୧୦ଜଣ ଲୋକଙ୍କୁ କାର୍ଯ୍ୟସ୍ଥଳରେ ଛିଡା କରାଇ ୫୦ରୁ ଉର୍ଦ୍ଧ୍ୱ ଜବକାର୍ଡଧାରୀଙ୍କ ନାମରେ ମଷ୍ଟରରୋଲରେ ବାହାର କରାଯାଇ ସେମାନଙ୍କ ନାମରେ ଉପସ୍ଥାନ ପକାଇବା ପରେ ବିଲ୍ ପ୍ରଦାନ କରାଯାଇଛି। ହେଲେ କାର୍ଯ୍ୟସ୍ଥଳରେ ମୁଠାଏ ମାଟି ପଡି ନଥିବା ଅଭିଯୋଗ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ପ୍ରକଳ୍ପରେ ପଂଚାୟତର ୩ଟି ରାଜସ୍ୱ ଗ୍ରାମର ଜବକାର୍ଡଧାରୀଙ୍କ ନାମରେ ମଷ୍ଟରରୋଲ ବ୍ୟବହାର କରାଯାଇଛି। ଏହି ୩ଟି ଗ୍ରାମ ତଥା ଦେବୀଦୋଳର ୨୨ଟି ଜବକାର୍ଡ, ଗଜରାଜପୁର ଗ୍ରାମର ୧୧ଟି ଓ ଗନ୍ଧଣ ଗ୍ରାମରୁ ୨୭ଟି ଜବକାର୍ଡ ବ୍ୟବହାର କରାଯାଇଥିବା ଏମଜିଏନଆରଇଜିଏସ ପୋର୍ଟଲାରୁ ଜଣାଯାଇଛି। ଅନ୍ୟପଟରେ ଏହି ଘଟଣାକୁ ନେଇ ଜୁଲାଇ ୨ ତାରିଖରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ଏନ୍ଏମ୍ଏମ୍ଏସ୍ ଆପର ଫଟୋ ଅପଲୋଡ ବନ୍ଦ ରହିଛି। ବିଭାଗୀୟ ଅଧିକାରୀମାନେ ବିନା କାର୍ଯ୍ୟରେ କେବଳ ମିଥ୍ୟା ଉପସ୍ଥାନ ପକାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗରେ ଦର୍ଶାଯାଇଛି। ଏସଂର୍ପକରେ ବ୍ଲକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଙ୍କିତା ଜାଲିଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।