ମିଶ୍ରଣ ପର୍ବରେ ବିରୋଧୀଙ୍କୁ ଟାର୍ଗେଟ କଲା ବିଜେପି

ହାଟଡିହି, (ଓ୍ବାଇଏନଏସ): ଆଗାମୀ ନିର୍ବାଚନକୁ ନଜରରେ ରଖି ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନକୁ ମଜବୁତ କରିବା ଲକ୍ଷ୍ୟରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଆୟୋଜିତ ହୋଇଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତର ବାହରିପୁରଠାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଦଳୀୟ ନେତାମାନେ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ କର୍ମୀମାନଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ୩୭ ନମ୍ବର ଜୋନରୁ ବିଭିନ୍ନ ଦଳ ଛାଡ଼ି ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିବାରୁ ଦଳ ପକ୍ଷରୁ ଏହାକୁ ଏକ ସଂଗଠନାତ୍ମକ ଶକ୍ତିବୃଦ୍ଧିର କାର୍ଯ୍ୟକ୍ରମ ଭାବେ ଦେଖାଯାଇଥିଲା। କାର୍ଯ୍ୟକ୍ରମରେ ମଞ୍ଚାସୀନ ନେତାମାନେ ଆଗାମୀ ନିର୍ବାଚନରେ ବିରୋଧୀଙ୍କ ବିରୁଦ୍ଧରେ ଦଳୀୟ ଲଢ଼େଇକୁ ଅଧିକ ଜୋରଦାର କରିବା ସହ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ଦଳର ନୀତିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରି ବିରୋଧୀଙ୍କ ରାଜନୈତିକ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ନେତାମାନେ ମତ ରଖିଥିଲେ। ଏହି ମିଶ୍ରଣ ପର୍ବରେ ରାଜ୍ୟ କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ମହେଶ୍ୱର ସାହୁ, ବିଧାନସଭା ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ବରିଷ୍ଠ କାର୍ଯ୍ୟକର୍ତ୍ତା ରାମଚନ୍ଦ୍ର ସାହୁ, ମଣ୍ଡଳ ପ୍ରଭାରୀ ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନୀ, ଶାଳନିଆଁ ମଣ୍ଡଳ ସଭାପତି ଜଗନ୍ନାଥ ବାରିକ, ମିନତୀ ଧଳ, ସୁନୀଲ ନାୟକ, ରମାକାନ୍ତ ନାୟକ, ସୁଶାନ୍ତ ଜେନା, ସୁରେନ୍ଦ୍ର କାଣ୍ଡି, ଜୟଶ୍ମିତା ରାଉତ, ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ଅବିନାଶ ସେଠୀ, ତାରିଣୀ ସେନାପତି, ଅଧର ବେହେରା, ଚତୁର୍ଭୁଜ ସ୍ୱାଇଁ, ରମାକାନ୍ତ ସାହୁ, ରବୀନ୍ଦ୍ର ଜେନା, ହରେକୃଷ୍ଣ ସ୍ୱାଇଁ, ନୃସିଂହ ପାଢ଼ୀ, ନିରଞ୍ଜନ ସ୍ୱାଇଁ, ଆଲୋକ ଦାସଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ଉପସ୍ଥିତ ନେତାମାନେ ନିଜ ନିଜ ମତ ରଖି ଦଳୀୟ ଏକତା, ସଂଗଠନର ବିସ୍ତାର ଓ ଆଗାମୀ ରାଜନୈତିକ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବିଜେପି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ନେଇ ବିରୋଧୀ ଅସନ୍ତୁଷ୍ଟ ହୋଇ ବିଭିନ୍ନ ସମୟରେ କାଳ୍ପନିକ ମୁଦ୍ଦା ଉଠାଉଥିବା ନେତାମାନେ ଅଭିଯୋଗ କରିଥିଲେ। ଗଣତନ୍ତ୍ର ହତ୍ୟାକାରୀ ଗଣତନ୍ତ୍ର ସୁରକ୍ଷା ନାରା ଦେଉଛି। କଂଗ୍ରେସ ଦଳ ନିର୍ବାଚନରେ ପରାଜୟ ବରଣ କଲେ ଭୋଟ ଚୋରି ଅଭିଯୋଗ କରୁଥିବା ବେଳେ ବିଜୟୀ ହେଲେ ନିର୍ବାଚନ ପ୍ରକ୍ରିୟାକୁ ଠିକ୍ ବୋଲି କହୁଛି ବୋଲି ବିଜେପି ନେତା ଆଲୋକ ସେଠୀ ଓ ଜ୍ଞାନ ରଞ୍ଜନ ସାମନ୍ତସିଂହାର ମତବ୍ୟକ୍ତ କରିଥିଲେ। ଏହି ମିଶ୍ରଣ ପର୍ବରେ ୩୭ ନମ୍ବର ଜୋନରୁ ବିଭିନ୍ନ ଦଳର ଶତାଧିକ କର୍ମୀ ନିଜ ନିଜ ଦଳ ଛାଡ଼ି ବିଜେପିରେ ଯୋଗଦାନ କରିଥିଲେ। ଦଳରେ ନୂତନ ଭାବେ ସାମିଲ ହୋଇଥିବା କର୍ମୀମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ନବାଗତ କର୍ମୀମାନଙ୍କୁ ସଂଗଠନରେ ସାମିଲ କରି ଦଳର କାର୍ଯ୍ୟକୁ ଗ୍ରାମାଞ୍ଚଳରେ ଆହୁରି ବ୍ୟାପକ କରିବା ଉପରେ ନେତାମାନେ ଗୁରୁତ୍ୱ ଦେଇଥିଲେ। ରତ୍ନାକର କବି ଓ ଅବିନାଶ ସେନାପତି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ମିଶ୍ରଣ ପର୍ବ ମାଧ୍ୟମରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ଓ ଆଗାମୀ ନିର୍ବାଚନରେ ଦଳର ସ୍ଥିତିକୁ ସୁଦୃଢ଼ କରିବା ନେଇ ଉପସ୍ଥିତ କର୍ମୀ ଓ ନେତାମାନେ ଆଶା ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ