ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଉଦଯାପିତ
ହାଟଡିହି (ଓ୍ବାଇଏନଏସ): ବାଲିବରେଇ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଉଦଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଅପର୍ଣ୍ଣା ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିଶୁ ଉତ୍ସବକୁ ହାଟଡିହି ବ୍ଲକର ବିଡ଼ିଓ ରଞ୍ଜନ କୁମାର ପରିଡା ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥିଭାବେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ସହ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳାର ସହ ନିଜ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଚିତ୍ରାଙ୍କନ, କୁଇଜ, ସୃଜନଶୀଳ ଲିଖନ, ବିତର୍କ, ପ୍ରବନ୍ଧ ଲିଖନ, ସଂଗୀତ, ବକ୍ତୃତା, ଆଦି ୧୩ଟି ବିଭାଗର ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ର ବିଭିନ୍ନ ପ୍ରାନ୍ତରରୁ ଦୁଇ ଶହରୁ ଉର୍ଦ୍ଧ ସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ବିଶେଷ କରି ପ୍ରତି କ୍ଲଷ୍ଟରରୁ ଆସିଥିବା ଗୋଟିଏ ଲେଖାଏଁ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକ ଙ୍କ ମନ ମୋହିଥିଲେ। କୃତି ପ୍ରତିଯୋଗୀମାନେ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ଉଦଯାପନୀ ଉତ୍ସବ ରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି, ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ସୋମନାଥ ଦାସ, ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବ୍ଲକ ସହ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ସୋସୋ ଆଇଆଇସି ଶିବ ଶଙ୍କର ଆଲଦା ପ୍ରମୁଖ ଯୋଗଦେଇ ଏହି ସୁରଭି କାର୍ଯ୍ୟକ୍ରମ ଦ୍ୱାରା କୁନି କୁନି ଛାତ୍ରଛାତ୍ରୀ ମାନେ ସେମାନଙ୍କ ଲୁକାୟିତ ପ୍ରତିଭାକୁ ପ୍ରଦର୍ଶିତ କରି ପାରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ବିଶ୍ୱଜିତ ରାଉତ, ଦେବାଶିଷ ବାରିକ, ସୁମନ୍ତ ନାୟକ, ଆକାଶ ସାହୁ, ପଙ୍କଜ ରାଉତ, ବିକାଶ ବାରିକ, ନିରଞ୍ଜନ ପଣ୍ଡା, ବୁଦ୍ଧଦେବ ରାଉତ, ଆଲୋକ ନାଥ, ସୁଶାନ୍ତ ସ୍ୱାଇଁ, ଅଞ୍ଜନ ଦାସ ପ୍ରମୁଖ ସିଆରସିସି ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ବାଲିବରେଇ ହାଇସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।


