ବ୍ରାଉନ ସୁଗାର ଜବତ, ୨ ଗିରଫ
ବନ୍ତ, (ଚାନ୍ଦିନୀ ମହାନ୍ତି ) : ଶୁକ୍ରବାର ଭଦ୍ରକ ଜିଲା ବନ୍ତ ଥାନା ଅଧିନ ସଖି ପାଟଣା ଆଇଟିଆଇ ଛକ କେନାଲ ରୋଡ଼ ଠାରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ହୋଇଥିବା ଯୁବକ ଦୁଇ ଜଣ ଟିଲୋ କଣ୍ଟାପଡ଼ା ଗ୍ରାମର ଚନ୍ଦନ ଦାସ(୨୦) ଏବଂ ଅଢ଼ାଳପଙ୍କ ଗ୍ରାମର ପ୍ରସନ୍ନଜିତ ପଣ୍ଡା(୩୧) ବୋଲି ପୋଲିସ ସୂତ୍ରରୁ ଜଣା ଯାଇଛି l ସୂଚନା ଅନୁଯାୟୀ ଶୁକ୍ରବାର ପୂର୍ବାହ୍ନ ୧୦ଟା ୪୫ ବେଳେ ସନ୍ଦିଗ୍ଧ ଯୁବକ ମାନେ ଏକ ମୋଟର ସାଇକେଲରେ ଯାଉଥିବା ସମୟରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କୁ କେନାଲ ରୋଡ଼ରେ ଅଟକାଇଥିଲା l ପୋଲିସକୁ ଦେଖି ସେମାନେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ କାବୁ କରା ଯାଇଥିଲା l ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କ ଉପସ୍ଥିତରେ ସେମାନଙ୍କ ଠାରୁ ୧୦ ଗ୍ରାମ ବ୍ରାଉନ ସୁଗାର ଓ ବ୍ୟବହୃତ ମୋଟର ସାଇକେଲକୁ ଜବତ କରାଯିବା ସହ ଦୁଇ ଯୁବକଙ୍କୁ ପୋଲିସ ଗିରଫ କରିଥିଲା l ଏନେଇ ଥାନାରେ ୧୯୫/୨୬ ମୂଳେ ମାମଲା ରୁଜ୍ଜୁ ହୋଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୁପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି l


