ପିଲା ଚୋର ସନ୍ଦେହରେ ଦୁଇ ସ୍ଵେଚ୍ଛାସେବୀଙ୍କୁ ଆକ୍ରମଣ ଘଟଣା: ୧୬ ଗିରଫ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଧାମୁଣିପଙ୍ଗା ପଞ୍ଚାୟତରେ ପିଲାଚୋର ସନ୍ଦେହରେ ଦୁଇ ଜଣ ସ୍ଵେଚ୍ଛାସେବୀଙ୍କୁ ମାଡ଼ ମାରି ଗୁରୁତର ଆହତ କରାଯିବା ଘଟଣାରେ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।ଏହି ମାମଲାରେ କଲ୍ୟାଣସିଂହପୁର ପୁଲିସ ବିଭିନ୍ନ ଗ୍ରାମର ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ଗିରଫ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୁଲିସ ସୂଚନା ଦେଇଛି।ଏହି ଘଟଣାକୁ ନେଇ ଥାନାରେ ମୋଟ ଚାରିଟି ଏତଲା ରୁଜୁ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ୪୦ରୁ ୫୦ ଜଣ ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ସମସ୍ତ ଦୋଷୀଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୁଲିସ କଡା ପଦକ୍ଷେପ ନେଇଛି | ରାୟଗଡ଼ ଏସଡିପିଓ ଗୌରହରୀ ସାହୁ କହିଛନ୍ତି ଯେ, ଆକ୍ରମଣ ଘଟଣାରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ତେବେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବା ଆଶଙ୍କାରେ ସେ ଅଧିକ ସୂଚନା ଦେବାରୁ ନୀରବ ରହିଛନ୍ତି। ସୂଚନା ଅନୁସାରେ, ଦିଲ୍ଲୀର ଆଜାଦପୁର ଅଞ୍ଚଳର ସୁମନ ଝା ଏବଂ ଗୁଜୁରାଟର ସୁରତର ଅର୍ପିତ ସୂତାରିଆ ଏକସ୍ବେଛାସେବୀ ଅନୁଷ୍ଠାନ ଗ୍ରାମ ବିକାଶ ସଂଗଠନ ପାଇଁ କାର୍ଯ୍ୟ କରୁଥିଲେ। ସେମାନେ ଗୁଗୁଲ ମ୍ୟାପ ସହାୟତାରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରୁ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଅଞ୍ଚଳକୁ ଯାଉଥିବାବେଳେ କଲ୍ୟାଣସିଂହପୁର ଅଞ୍ଚଳରେ ପହଞ୍ଚିଥିଲେ। ସିଲେଟ ପଞ୍ଚାୟତର କାନ୍ଦୁଲଗୁଡ଼ା ଗାଁ ନିକଟରେ ସେମାନେ ରାସ୍ତା ପଚାରିବା ସହ ଗାଁରେ ରଜ ଦୋଳି ଖେଳୁଥୁବା ପିଲାମାନଙ୍କ ସହ ମିଶି ବିସ୍ଫୁଟ ବଣ୍ଟନ କରିଥିଲେ । ଏହାକୁ ନେଇ କିଛି ଗ୍ରାମବାସୀ ସେମାନଙ୍କୁ ପିଲାଚୋର ସନ୍ଦେହ କରି ହୋହଲ୍ଲା କରିଥିଲେ। ପରେ ଉତ୍ତେଜିତ ଲୋକମାନେ ଏକତ୍ରିତ ହୋଇ ଉଭୟଙ୍କୁ ଆକ୍ରମଣ କରିଥିଲେ। ପ୍ରାଣଭୟରେ ଉଭୟ ସ୍କୁଟିରେ କଲ୍ୟାଣସିଂହପୁର ଦିଗକୁ ପଳାଇବାକୁ ଚେଷ୍ଟା କରିଥିଲେ। ଉକ୍ତ ଗ୍ରାମରୁ ଫେରିବା ବେଳେ ଫୋନ ମାଧ୍ୟମରେ ଗୁଜବ ସୃଷ୍ଟି କରି ବିଭିନ୍ନ ସ୍ଥାନକୁ କାନ୍ଦୁଲଗୁଡା ଲୋକେ ଫନ ମଧ୍ୟରେ ଜଣାଇଥିଲେ। ତେବେ କଲ୍ୟାଣସିଂହପୁର ଧାମୁଣିପଙ୍ଗା ପଞ୍ଚାତୟତ ଦେଈ ଆସିବା ବେଳେ ସ୍କୁଟିରୁ ପଡ଼ିଯିବା ପରେ ଗ୍ରାମବାସୀମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରି ଗୁରୁତର ଆହତ କରିଥିଲେ। ଖବର ପାଇ କଲ୍ୟାଣସିଂହପୁର ଥାନା ଅଧିକାରୀ କଳ୍ପନା ବେହେରା ଓ ଭାଲେରୀ ଗ୍ରାମର ବଳରାମ ବାଗ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅଧୂକ ଚିକିତ୍ସା ପାଇଁ ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ।ଘଟଣାର ଗୁରୁତ୍ବକୁ ଦେଖୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ଓ ଏସଡିପିଓ ଗୌରହରୀ ସାହୁ ଡାକ୍ତରଖାନାରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ। ବର୍ତ୍ତମାନ ଉଭୟ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି ।ଏସପି ରାଜ ପ୍ରସାଦ କହିଛନ୍ତି ଯେ, ଘଟଣାର ସମସ୍ତ ଦିଗକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣା ପୁଣିଥରେ ଗୁଗୁଲ ମ୍ୟାପ ବ୍ୟବହାର କରି ଅଜଣା ଅଞ୍ଚଳରେ ପହଞ୍ଚୁଥିବା ଲୋକଙ୍କ ସୁରକ୍ଷା ଏବଂ ଗୁଜବ ଆଧାରକୁ ନେଇ ଜିଲ୍ଲା ପୋଲିସ ସଜାଗ ରହିଥିବା ପ୍ରକାଶ।


