ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାମେଲିଙ୍କ ଧାରଣା
କେନ୍ଦ୍ରାପଡ଼ା, (ଚିିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଧିନ ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ କେନ୍ଦ୍ରପାଡ଼ା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ ଧାରଣା ସ୍ଥଳକୁ ଆସି ଚାମେଲିଙ୍କ ସହିତ ଆଲୋଚନା କରି ତିନିଦିନ ମଧ୍ୟରେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପାଇବା ପରେ ସରପଞ୍ଚ ଚମେଲି ଓଝା ଧାରଣା ପ୍ରତ୍ୟାହାର କରିନେଇଥିଲେ। ଚାମେଲି ଅଭିଯୋଗ କରିଥିଲେ ଯେ ସେ ଯେଉଁମାନଙ୍କ ବିରୋଧରେ ଏତଲା ଦେଇଥିଲେ ସେମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ଗିରଫ ହୋଇଛନ୍ତି। ହେଲେ ବାକି ଅଭିଯୁକ୍ତମାନେ ଗିରଫ ହୋଇ ନାହଁନ୍ତି।ପୋଲିସ ସେମାନଙ୍କୁ ସୁରକ୍ଷା ଦେଉଛି। ସେହିପରି ସେ ମହାକାଳପଡ଼ା ପୋଲିସ ବିରୋଧରେ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହାଦ୍ୱାରା ସେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଧାରଣା ଦେଇଥିଲେ। ତାଙ୍କ ସହ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ମଧ୍ୟ ଧାରଣାରେ ସାମିଲ ହୋଇଥିଲା। ଧାରଣା ସ୍ଥଳକୁ ଅତିରିକ୍ତ ଏସପି ସୁଧାକର ସାହୁ ଆସି ଚାମେଲିଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ତିନି ଦିନ ମଧ୍ୟରେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ସେ ଧାରଣା ପ୍ରତ୍ୟାହାର କଲେ ବୋଲି ଘୋଷଣା କରିଥିଲେ। ସୂଚନା ଥାଉକି ଗତ ୧୧ ତାରିଖରେ ଚାମେଲି ମହାକାଳପଡ଼ା ବିଡିଙ୍କ କାର୍ଯ୍ୟାଳୟରେ ପଶି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ବିଡିଓ ଏହାର ଉତ୍ତର ଦେଉଥିବା ବେଳେ ସେ ଫେସବୁକରେ ଲାଇଭ କରି ଭିଡିଓ ରେକର୍ଡିଂ କରୁଥିଲେ। ଏହାକୁ ସେଠାରେ ଉପସ୍ଥିତ ଥିବା କେତେକ ସରକରୀ କର୍ମଚାରୀ ଓ ସାଧାରଣ ଲୋକେ ବିରୋଧ କରିଥିଲେ। ଏହାକୁ ନେଇ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଚାମେଲିଙ୍କ ବିରୋଧରେ ପୋଲିସ ଓ ବିଡିଓ ଅଭିଯୋଗ କରିଥିବା ବେଳେ ଚାମେଲିଙ୍କ ଅଭିଯୋଗକ୍ରମେ ୮ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଚାମେଲି ଜାମିନ ପାଇ ଯାଇଥିବା ବେଳେ ସେ ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏ ସଂକ୍ରାନ୍ତରେ ଅତିରିକ୍ତ ଏସପି ସୁଧାକର ସାହୁ କହିଛନ୍ତି ଆଇନ୍ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଚାମେଲି ଯେଉଁ ଅଭିଯୋଗ କରିଥିଲେ ସେହି ମାମଲାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରାଯାଇଛି। ବାକି ଅଭିଯୁକ୍ତ ମଧ୍ୟ ଆଇନ୍ ଅନୁଯାୟୀ ଗିରଫ ହେବେ ବୋଲି ଅତିରିକ୍ତ ଏସପି ଶ୍ରୀ ସାହୁ କହିଥିଲେ।


