କେନ୍ଦୁଝର ସର୍କିଟ ହାଉସରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଦିନିଆ କେନ୍ଦୁଝର ଗସ୍ତ ସାରି ସୋମବାର ଅପରାହ୍ନରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି । ଶାରୀରିକ ଅସୁସ୍ଥତା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଶହ ଶହ ଲୋକଙ୍କର ଅଭିଯୋଗ ଶୁଣିଥିଲେ । ସୋମବାର ମଧ୍ୟାହ୍ନ ୧୧ଟା ରୁ ଶହ ଶହ ସଂଖ୍ୟାରେ ଲୋକ କେନ୍ଦୁଝର ସର୍କିଟ ହାଉସକୁ ଆସି ନିଜ ନିଜର ବ୍ୟକ୍ତିଗତ ଓ ଆଉ କିଛି ଲୋକ ସାମୂହିକ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଜଟିଳ ରୋଗରେ ଆକ୍ରାନ୍ତଙ୍କୁ ଜଣ ଜଣ କରି ମୁଖ୍ୟମନ୍ତ୍ରୀ ଭେଟିଥିଲେ ଏବଂ ସେମାନଙ୍କ ଅଭିଯୋଗପତ୍ର ଗ୍ରହଣ କରି ତୁରନ୍ତ ସରକାରୀ ସହାୟତା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସମସ୍ତ ଅଭିଯୋଗଗୁଡିକ ମୁଖ୍ୟମନ୍ତ୍ରୀ ଧୈର୍ଯ୍ୟର ସହ ଶୁଣିବା ପରେ ଏହାର କିପରି ସମାଧାନ ହୋଇପାରିବ ତାହାର ଦାୟିତ୍ୱ ଅଧିକାରୀମାନଙ୍କୁ ପ୍ରଦାନ କରିଥିଲେ । ଆଜି ଆସିଥିବା କିଛି ଲୋକ ନିଜ ନିଜ ସମସ୍ୟାକୁ ନେଇ ବିଚଳିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭରସା ଓ ଆଶ୍ୱାସନା ଦେଇ ବୁଝାଇବା ସହ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ ଜରିଆରେ ଅନେକ ଲୋକଙ୍କର ବର୍ଷ ବର୍ଷ ଧରି ପଡି ରହିଥିବା ସମସ୍ୟାର ସମାଧାନ ହୋଇପାରୁଛି । ଆଜି ଅଭିଯୋଗ ଶୁଣାଣୀରେ ସମସ୍ତ ଅଭିଯୋଗ ଗୁଡିକର ସମାଧାନ ପାଇଁ ଉପସ୍ଥିତ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ଏହି ଅବସରରେ ସେ ନିଜ ପ୍ରତିକି୍ରୟାରେ କହିଥିଲେ ଯେ, କେନ୍ଦୁଝର ସର୍କିଟ ହାଉସଠାରେ ସ୍ଥାନୀୟ ଲୋକଙ୍କୁ ଭେଟି ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ଅଭିଯୋଗପତ୍ର ଗ୍ରହଣ କଲି । ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଲି । ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିଶୃତି ଦେଇଛି, ଯାହାକି ଆମ ସରକାରର ମୂଳ ଲକ୍ଷ୍ୟ । କେନ୍ଦୁଝର ଅଂଚଳର ସାମଗ୍ରିକ ବିକାଶ ଦ୍ୱାରା ନିଯୁକ୍ତି ସୁଯୋଗ ଏବଂ ଆର୍ଥିକ ସ୍ଥିତିକୁ ସମୃଦ୍ଧ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଅଭିଯୋଗ ଶୁଣିବା ସମୟରେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ,ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତି,ଏସ୍ପି ନିତିନ କୁଶଲକର,ଡିଏଫ୍ଓ ଧନରାଜ ଏଚ୍ଡି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲିକ,ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ସନ୍ତୋଷ ବେହେରା,ଅଧିକ୍ଷଣ ଯନ୍ତ୍ରୀ ସମ୍ବିତ୍ ମହାନ୍ତି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏତଦ୍ବ୍ୟତୀତ କେନ୍ଦୁଝରଠାରେ ପ୍ରତିଷ୍ଠା କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଅଭିଯୋଗ ଶୁଣାଣୀ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ଅପରାହ୍ନ ୩ଟାରେ କେନ୍ଦୁଝର ରିଜର୍ଭ ପଡିଆରେ ନିର୍ମିତ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିୟମିତ ଅଭିଯୋଗ ଶୁଣାଣି ଯୋଗୁଁ ବିଭିନ୍ନ କାରଣରୁ ସମସ୍ୟାରେ ଥିବା ଲୋକମାନେ ଆଶା ଓ ଭରସା ନେଇ ଆସୁଛନ୍ତି ଓ ସେମାନଙ୍କର ସମସ୍ୟାର ସମାଧାନ କରାଯାଉଛି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିୟମିତ ପ୍ରୟାସ ଯୋଗୁଁ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି ।


